ଜେରୁଜଲମ: ଯୁଦ୍ଧ ମଧ୍ୟରେ ବିଗିଡ଼ିଲା ବ୍ରିଟେନ ଓ ଇସ୍ରାଏଲ୍ ସମ୍ପର୍କ। ପୂର୍ବ ଜେରୁଜେଲମରେ ଥିବା ୟୁକେ ଦୂତାବାସ ବନ୍ଦ କରିବାକୁ ଘୋଷଣା କଲା ଇସ୍ରାଏଲ୍। ମଙ୍ଗଳବାର ଇସ୍ରାଏଲ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଏକ ନୂଆ ତିକ୍ତତା ସୃଷ୍ଟି ହୋଇଛି। ପ୍ରକୃତରେ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଇସ୍ରାଏଲୀ ବସତିରୁ ଆସୁଥିବା ସାମଗ୍ରୀ ଆମଦାନୀ ଉପରେ ବ୍ରିଟେନ, ଫ୍ରାନ୍ସ ଓ କାନାଡା କଟକଣା ଲଗାଇବାକୁ ଘୋଷଣା କରିବା ପରେ ଇସ୍ରାଏଲ ପ୍ରତିକ୍ରିୟାସ୍ୱରୂପ ଏହି ନିଷ୍ପତ୍ତି ନେଇଛି।

ଆମେରିକା ମଧ୍ୟ ଏହି ତିନି ଦେଶର ପଦକ୍ଷେପକୁ ନେଇ ଚିନ୍ତା ପ୍ରକାଶ କରିଛି। ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ୱାଶିଂଟନ୍ ବ୍ରିଟେନ, ଫ୍ରାନ୍ସ ଓ କାନାଡା ସହ ମିଶି ଇସ୍ରାଏଲୀ ବସତିର ସାମଗ୍ରୀ ଉପରେ ନିଷେଧ ଲଗାଇବ ନାହିଁ। ଏପରି କଟକଣା ୱେଷ୍ଟ ବ୍ୟାଙ୍କର ସ୍ଥିତିକୁ ଅସ୍ଥିର କରିପାରେ ବୋଲି ସେ ସତର୍କ କରିଛନ୍ତି।

ବ୍ରିଟେନ ବିରୋଧରେ ଇସ୍ରାଏଲର କଠୋର ପଦକ୍ଷେପ

ଇସ୍ରାଏଲର ବିଦେଶମନ୍ତ୍ରୀ ଗିଡିଅନ୍ ସାଆର କହିଛନ୍ତି ଯେ, ବ୍ରିଟେନ ବିରୋଧରେ ନିଆଯାଉଥିବା ପ୍ରତିକାରମୂଳକ ପଦକ୍ଷେପର ଅଂଶ ଭାବେ ବ୍ରିଟିଶ୍ କନସୁଲେଟ୍ ବନ୍ଦ କରାଯିବ। ଏହି ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା କରାଯାଇ ନିଆଯାଇଛି ବୋଲି ସେ କହିଛନ୍ତି। ଏହାସହ ବ୍ରିଟେନକୁ ଗାଜା ଯୁଦ୍ଧବିରତି ଉପରେ ନଜର ରଖିବା ପାଇଁ ଆମେରିକା ନେତୃତ୍ୱରେ ଗଠିତ ସମନ୍ୱୟ ମିଶନରୁ ବାଦ୍ ଦିଆଯିବ। ୱେଷ୍ଟ ବ୍ୟାଙ୍କରେ ପାଲେଷ୍ଟିନୀୟ ପ୍ରାଧିକରଣର ସୁରକ୍ଷା ବାହିନୀକୁ ଦିଆଯାଉଥିବା ବ୍ରିଟିଶ୍ ପ୍ରଶିକ୍ଷଣ ମଧ୍ୟ ବନ୍ଦ ହେବ।

ଇସ୍ରାଏଲ ଆହୁରି ୧୨ ଜଣ ନିର୍ବାଚିତ ବ୍ରିଟିଶ୍ ଅଧିକାରୀ ଏବଂ ଅନ୍ୟ କିଛି ବ୍ରିଟିଶ୍ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇବ। ଏହି ତାଲିକାରେ ପୂର୍ବତନ ଲେବର୍ ପାର୍ଟି ନେତା ଜେରେମି କର୍ବିନ୍ ମଧ୍ୟ ରହିଛନ୍ତି। ଇସ୍ରାଏଲ ବିରୋଧୀ ଏବଂ ଇହୁଦୀ ବିରୋଧୀ କାର୍ଯ୍ୟକଳାପରେ ସେମାନେ ଜଡ଼ିତ ଥିବା ଇସ୍ରାଏଲ ଅଭିଯୋଗ କରିଛି।

Also Read- ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନା ଆଶା ବଢ଼ିଲା...ଆଲୋଚନା ପାଇଁ କ୍ରେମଲିନର ସକାରାତ୍ମକ ବୟାନ

ଇସ୍ରାଏଲୀ ବିଦେଶମନ୍ତ୍ରୀ ବ୍ରିଟେନର ଏହି ନୀତିକୁ ତୀବ୍ର ସମାଲୋଚନା କରି ଏହାକୁ ଏକ ସାର୍ବଭୌମ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଓ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି କହିଛନ୍ତି। ୱେଷ୍ଟ ବ୍ୟାଙ୍କର କିଛି ଅଞ୍ଚଳରେ ପାଲେଷ୍ଟିନୀୟଙ୍କ ‘ଜାତିଗତ ନିର୍ବାସନ’ ହେଉଥିବା ବ୍ରିଟିଶ୍ ବିଦେଶମନ୍ତ୍ରୀ ଏଡ୍ ମିଲିବାଣ୍ଡଙ୍କ ଅଭିଯୋଗକୁ ମଧ୍ୟ ସେ ଖାରଜ କରିଛନ୍ତି।

ବସତି ସାମଗ୍ରୀ ଉପରେ ବ୍ରିଟେନ, ଫ୍ରାନ୍ସ ଓ କାନାଡାର କଟକଣା

ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲୀ ବସତିର ବିସ୍ତାର ଏବଂ ବଢ଼ୁଥିବା ହିଂସାକୁ ନେଇ ବ୍ରିଟେନ, ଫ୍ରାନ୍ସ ଓ କାନାଡା ଏହି ବାଣିଜ୍ୟିକ କଟକଣା ଘୋଷଣା କରିଛନ୍ତି। ଏହି ତିନି ଦେଶ ସହ ଡେନମାର୍କ, ନରୱେ, ପୋଲାଣ୍ଡ, ସ୍ପେନ୍ ଓ ସ୍ୱିଡେନ୍ ସମେତ ଅନ୍ୟ ୧୦ଟି ଦେଶର ବିଦେଶମନ୍ତ୍ରୀ ଦୁଇ-ରାଷ୍ଟ୍ର ସମାଧାନ ପ୍ରତି ସମର୍ଥନ ଜଣାଇଛନ୍ତି।

ବ୍ରିଟିଶ୍ ବିଦେଶମନ୍ତ୍ରୀ ମିଲିବାଣ୍ଡ କହିଛନ୍ତି ଯେ, ଇସ୍ରାଏଲୀ ବସତିର ବିସ୍ତାର ଏକ ସମ୍ଭାବ୍ୟ ପାଲେଷ୍ଟିନୀୟ ରାଷ୍ଟ୍ରର ସମ୍ଭାବନାକୁ ଦୁର୍ବଳ କରୁଛି। ତେଣୁ କେବଳ ନିନ୍ଦା କରି ଚୁପ୍ ରହିବା ଆଉ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

କାନାଡାର ବିଦେଶମନ୍ତ୍ରୀ ଅନିତା ଆନନ୍ଦ ମଧ୍ୟ ଇସ୍ରାଏଲୀ ବସତିଗୁଡ଼ିକ ସ୍ଥାୟୀ ଶାନ୍ତି ପାଇଁ ଚାଲିଥିବା ପ୍ରୟାସକୁ ଦୁର୍ବଳ କରୁଥିବା କହିଛନ୍ତି। ଫ୍ରାନ୍ସ ୱେଷ୍ଟ ବ୍ୟାଙ୍କରେ ବସତିର ‘ଦ୍ରୁତ ବିସ୍ତାର’ ଏବଂ ବଢ଼ୁଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ କରିଛି। ଜାତିସଂଘ, ପାଲେଷ୍ଟିନୀୟ ପକ୍ଷ ଏବଂ ବିଶ୍ୱର ଅଧିକାଂଶ ଦେଶ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲୀ ବସତିକୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଅବୈଧ ବୋଲି ମନେ କରୁଥିବା ତେବେ ଇସ୍ରାଏଲ ଏହି ମତକୁ ଅସ୍ୱୀକାର କରିଛି।

ବାଣିଜ୍ୟିକ ପ୍ରଭାବ କମ୍, କୂଟନୈତିକ ପ୍ରଭାବ ଅଧିକ

ୱେଷ୍ଟ ବ୍ୟାଙ୍କର ଇସ୍ରାଏଲୀ ବସତିଗୁଡ଼ିକରୁ ମୁଖ୍ୟତଃ ଖଜୁରୀ, ସିଟ୍ରସ୍ ଫଳ, ଔଷଧୀୟ ଗଛପତ୍ର ଏବଂ ମଦ ଭଳି କୃଷିଜାତ ସାମଗ୍ରୀ ରପ୍ତାନି ହୋଇଥାଏ। ତେବେ ଇସ୍ରାଏଲର ସମୁଦାୟ ରପ୍ତାନି ତୁଳନାରେ ଏହାର ଅଂଶ ବହୁତ କମ୍।

ଏହି କାରଣରୁ ନୂଆ ବାଣିଜ୍ୟିକ କଟକଣା ଇସ୍ରାଏଲର ସମଗ୍ର ବାଣିଜ୍ୟ ଉପରେ ବଡ଼ ପ୍ରଭାବ ପକାଇବାର ସମ୍ଭାବନା କମ୍। କିନ୍ତୁ ଦୁଇ-ରାଷ୍ଟ୍ର ସମାଧାନକୁ ବଞ୍ଚାଇ ରଖିବା ପାଇଁ ଚାଲିଥିବା କୂଟନୈତିକ ପ୍ରୟାସ ମଧ୍ୟରେ ଏହାର ରାଜନୈତିକ ଓ କୂଟନୈତିକ ପ୍ରଭାବ ଅଧିକ ହୋଇପାରେ।

ଏହି ଘୋଷଣା ସମୟରେ ଇସ୍ରାଏଲ ୱେଷ୍ଟ ବ୍ୟାଙ୍କରେ ଆହୁରି ୧,୦୦୦ଟି ନୂଆ ଘର ନିର୍ମାଣ ପାଇଁ ଯୋଜନା ମଧ୍ୟ ପ୍ରକାଶ କରିଛି। ଜେରୁସାଲେମ୍ ନିକଟସ୍ଥ ଇ-୧ ବସତି ପ୍ରକଳ୍ପକୁ ନେଇ ବିଶେଷ ଚିନ୍ତା ରହିଛି। ସମାଲୋଚକଙ୍କ ମତରେ, ଏହି ପ୍ରକଳ୍ପ ପାଲେଷ୍ଟିନୀୟମାନେ ଭବିଷ୍ୟତରେ ରାଷ୍ଟ୍ର ଗଠନ ପାଇଁ ଦାବି କରୁଥିବା ଅଞ୍ଚଳକୁ ବିଭକ୍ତ କରିପାରେ।

ବ୍ରିଟେନ କହିଛି ଯେ ଏହାର ନୂଆ ଆଇନ ୬ରୁ ୯ ମାସ ମଧ୍ୟରେ ଲାଗୁ ହେବ। ଏହାସହ ହିଂସାକୁ ସମର୍ଥନ କରିଥିବା ଅଭିଯୋଗରେ କିଛି ଚରମପନ୍ଥୀ ଇସ୍ରାଏଲୀ ବସତିବାସୀଙ୍କ ଉପରେ ତୁରନ୍ତ ପ୍ରତିବନ୍ଧକ ମଧ୍ୟ ଲଗାଇଛି।

ଏହି ଘଟଣାକ୍ରମ ଇସ୍ରାଏଲ ଓ ବ୍ରିଟେନ ମଧ୍ୟରେ ପୂର୍ବରୁ ଥିବା ତିକ୍ତତାକୁ ଆହୁରି ବଢ଼ାଇଛି। ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟକଳାପ, ୱେଷ୍ଟ ବ୍ୟାଙ୍କରେ ବସତି ବିସ୍ତାର ଏବଂ ବସତିବାସୀଙ୍କ ହିଂସାକୁ ନେଇ ବ୍ରିଟେନର ଆଲୋଚନା ପରେ ଦୁଇ ଦେଶର ସମ୍ପର୍କ କ୍ରମେ ଖରାପ ହୋଇଆସୁଛି।