ଚଣ୍ଡୀଗଡ଼: ସହରରେ ଯାତ୍ରୀମାନଙ୍କୁ କ୍ୟାବ୍ ଏବଂ ବାଇକ୍ ରାଇଡ୍ ସେବା ଯୋଗାଉଥିବା ଦୁଇ ପ୍ରମୁଖ ଆପ୍- ଭିତ୍ତିକ ସଂସ୍ଥା ଉବର (Uber) ଏବଂ ରାପିଡୋ (Rapido) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମ ଉଲ୍ଲଂଘନ ଅଭିଯୋଗରେ ଚଣ୍ଡୀଗଡ଼ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଏହି ଦୁଇଟିଯାକ କମ୍ପାନୀର ଆଗ୍ରିଗେଟର ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରିଛନ୍ତି। ଫଳରେ ଆସନ୍ତା ୬ ମାସ ଯାଏଁ ଏହି ଦୁଇ ସଂସ୍ଥା ସହରରେ ନିଜର ବ୍ୟବସାୟିକ କାର୍ଯ୍ୟ ଜାରି ରଖିପାରିବେ ନାହିଁ।

ପରିବହନ ବିଭାଗର ସୂଚନା ଅନୁଯାୟୀ, ଚଣ୍ଡୀଗଡ଼ ପ୍ରଶାସନ ପକ୍ଷରୁ ପ୍ରଣୟନ କରାଯାଇଥିବା 'ମୋଟର ଯାନ ଆଗ୍ରିଗେଟର ନିୟମାବଳୀ, ୨୦୨୫' କୁ ଏହି ଦୁଇ ସଂସ୍ଥା ବାରମ୍ବାର ଅବମାନନା କରୁଥିଲେ। ଏ ସମ୍ପର୍କରେ ପ୍ରଶାସନ ଅନେକ ଥର ଜବାବ ମାଗିଥିଲେ ବି କମ୍ପାନୀଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ଆବଶ୍ୟକୀୟ ଦସ୍ତାବେଜ ଦାଖଲ ହୋଇନଥିଲା। ଶେଷରେ ବାଧ୍ୟ ହୋଇ ବିଭାଗ ଏଭଳି ଦୃଢ଼ ପଦକ୍ଷେପ ନେଇଛି।

କେଉଁ ସବୁ ନିୟମରେ ରହିଥିଲା ତ୍ରୁଟି?

୨୦୨୫ର ନୂଆ ନିୟମାବଳୀ ଅନୁସାରେ ଡ୍ରାଇଭରମାନଙ୍କ କଲ୍ୟାଣ ଏବଂ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହି ଦୁଇ କମ୍ପାନୀ ଡ୍ରାଇଭରମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ବୀମା ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଏହାକୁ ଲାଗୁ କରାଯାଇନଥିଲା । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଭଡ଼ା ତାଲିକାକୁ ଏହି କମ୍ପାନୀଗୁଡ଼ିକ ଠିକ୍ ଭାବେ ପାଳନ କରୁନଥିଲେ। ସେହିଭଳି ଡ୍ରାଇଭରମାନଙ୍କ ତାଲିମ ଅଭାବ, ସବ୍‌ସ୍କ୍ରିପସନ ମଡେଲ ଏବଂ ପ୍ରିପେଡ୍ ରିଚାର୍ଜ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିଥିଲା।

Also Read: ଦିଲ୍ଲୀ ସତ୍ୟ ନିକେତନ ଅଘଟଣ: ବିପଜ୍ଜନକ କୋଠା ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନିର୍ଦ୍ଦେଶ

ପୂର୍ବରୁ ଓଲା ଏବଂ ଇନ୍‌ଡ୍ରାଇଭ୍ ମଧ୍ୟ ହୋଇଛି ବ୍ୟାନ୍

କେବଳ ଉବର କିମ୍ବା ରାପିଡୋ ନୁହେଁ, ଏହା ପୂର୍ବରୁ ଚଣ୍ଡୀଗଡ଼ ପ୍ରଶାସନ ଅନ୍ୟ ଦୁଇ ପ୍ରମୁଖ ସଂସ୍ଥା ଉପରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି। ଚଳିତ ବର୍ଷ ଜୁନ୍ ମାସରେ ଓଲା (Ola) ଏବଂ ଅଗଷ୍ଟ ମାସରେ ଇନ୍‌ଡ୍ରାଇଭ୍ (inDrive)ର ଲାଇସେନ୍ସକୁ ମଧ୍ୟ ଏହିପରି ଭାବେ ୬ ମାସ ପାଇଁ ବାତିଲ କରାଯାଇଥିଲା।