ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଶାସନ ମଧ୍ୟରେ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗାଦି ହରାଇପାରନ୍ତି । ବେଞ୍ଜାମିନ ନେତାନ୍ୟାହୁଙ୍କ ସାମ୍ନାରେ ଏବେ ବଡ଼ ଆହ୍ବାନ । ଦେଶର ପୂର୍ବତନ ସେନା ମୁଖ୍ୟଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି । ସେ ନେତାନ୍ୟାହୁଙ୍କ ପ୍ରତିଦ୍ବନ୍ଦୀ ଭାବରେ ଉଭା ହୋଇଛନ୍ତି । ଏପରିକି ତାଙ୍କୁ ନେଇ ଇସ୍ରାଏଲା ଜନତା ବେଶ ଉତ୍ସାହୀ ଏବଂ ଆଶାବାଦୀ । ଯଦି ଏଭଳି ହୁଏ, ତେବେ ଆଗାମୀ ନିର୍ବାଚନରେ ନେତାନ୍ୟାହୁଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିପାରେ । 

ଇସ୍ରାଏଲରେ ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଶର ପୂର୍ବତନ ସେନାପତି ଗାଡି ଆଇଜେନକୋଟ ଉଭା ହୋଇଛନ୍ତି।
‘ଚ୍ୟାନେଲ ୧୨’ (Channel 12) ର ଜନମତ ସର୍ଭେ ଅନୁଯାୟୀ, ଆଇଜେନକୋଟଙ୍କ ନୂତନ ଦଳ ‘ୟାଶାର’ (Yashar) ଇସ୍ରାଏଲ ସଂସଦରେ ୨୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଅପରପକ୍ଷରେ, ନେତାନ୍ୟାହୁଙ୍କ ‘ଲିକୁଡ’ ଦଳକୁ ୨୨ଟି ଆସନ ମିଳିପାରେ।

୪୩ ପ୍ରତିଶତ ନାଗରିକ ୬୬ ବର୍ଷୀୟ ଆଇଜେନକୋଟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ଭାବେ ବାଛିଥିବା ବେଳେ, ମାତ୍ର ୩୪ ପ୍ରତିଶତ ଲୋକ ନେତାନ୍ୟାହୁଙ୍କ ସମର୍ଥନରେ ବାହାରିଛନ୍ତି। ୨୦୧୫ ରୁ ୨୦୧୯ ମଧ୍ୟରେ ଆଇଜେନକୋଟ ଇସ୍ରାଏଲ ସେନାର ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ କରିଥିଲେ।

ଲେବାନନର ହିଜବୁଲ୍ଲା ସଂଗଠନ ବିପକ୍ଷରେ ପ୍ରସ୍ତୁତ ‘ଦାହିୟା ସିଦ୍ଧାନ୍ତ’ ର ମୁଖ୍ୟ ପ୍ରଣେତା ଭାବେ ସେ ପରିଚିତ। ଏହି ନୀତି ଅନୁଯାୟୀ, ଶତ୍ରୁପକ୍ଷ ସାଧାରଣ ନାଗରିକଙ୍କୁ ଆଢ଼ୁଆଳ କରି ଆକ୍ରମଣ କଲେ, ଇସ୍ରାଏଲ ସେନା ଅତ୍ୟନ୍ତ କଠୋର ଓ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଆମେ ନିଶ୍ଚିତ କରିବୁ ଯେ, ଇସ୍ରାଏଲ ଏକ ଯିହୂଦୀ, ଗଣତାନ୍ତ୍ରିକ, ଶକ୍ତିଶାଳୀ ଏବଂ ସୁରକ୍ଷିତ ରାଷ୍ଟ୍ର ଭାବେ ଛିଡ଼ା ହେବ ବୋଲି ନିର୍ବାଚନୀ ପ୍ରଚାରରେ କହିଛନ୍ତି ଆଇଜେନକୋଟ । 

୨୦୨୩ ଅକ୍ଟୋବର ୭ ରେ ହମାସ ଦ୍ୱାରା ହୋଇଥିବା ରକ୍ତାକ୍ତ ଆକ୍ରମଣ ଓ ଗୁଇନ୍ଦା ବିଫଳତାର ସ୍ୱାଧୀନ ତଦନ୍ତ ପାଇଁ ଏକ 'ତଦନ୍ତ କମିଶନ' ଗଠନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ୟିହୂଦୀ ଏବଂ ଆରବ ନାଗରିକମାନଙ୍କ ପାଇଁ ବାଧ୍ୟତାମୂଳକ ସାମରିକ ସେବା ଲାଗୁ କରିବାକୁ ସେ ଦାବି କରିଛନ୍ତି। ନେତାନ୍ୟାହୁ ସରକାର ଅଲ୍ଟ୍ରା-ଅର୍ଥୋଡକ୍ସ ଗୋଷ୍ଠୀକୁ ସେନାରୁ ଛାଡ଼ ଦେବା ପ୍ରସ୍ତାବକୁ ସେ କଡ଼ା ସମାଲୋଚନା କରିଛନ୍ତି।

ନ୍ୟାୟପାଳିକାର ସ୍ୱାଧୀନତା, ସଂଖ୍ୟାଲଘୁଙ୍କ ଅଧିକାର ଏବଂ ସମ୍ବାଦପତ୍ରର ସ୍ୱାଧୀନତା ସୁରକ୍ଷିତ ରଖିବା ସହ ବେଆଇନ ବସତି ସ୍ଥାପନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଆଭିମୁଖ୍ୟ ରଖିଛନ୍ତି। ଗାଜା ଯୁଦ୍ଧ ଚାଲିଥିବା ସମୟରେ ଆଇଜେନକୋଟଙ୍କ ପୁଅ ଗାଲ୍ ଏବଂ ଦୁଇଜଣ ଭଣଜା ସହୀଦ ହୋଇଥିଲେ। ଏହି ବ୍ୟକ୍ତିଗତ ତ୍ୟାଗ ଓ ଦେଶପ୍ରେମ ଯୋଗୁଁ ଇସ୍ରାଏଲର ସାଧାରଣ ନାଗରିକଙ୍କ ମଧ୍ୟରେ ତାଙ୍କ ପ୍ରତି ବ୍ୟାପକ ସହାନୁଭୂତି ଓ ସମର୍ଥନ ବୃଦ୍ଧି ପାଉଛି ।