ନୂଆଦିଲ୍ଲୀ: ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ରୋମାଞ୍ଚକର ତଥା ନାଟକୀୟ ମ୍ୟାଚ୍ ଦେଖିବାକୁ ମିଳିଛି। ୧୪୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆୟରଲାଣ୍ଡ ଦଳ ମାତ୍ର ୯୯ ରନ୍ କରିଥିଲେ ମଧ୍ୟ ଡକ୍‌ୱର୍ଥ ଲୁଇସ୍ (DLS) ନିୟମ ଆଧାରରେ ୱେଷ୍ଟଇଣ୍ଡିଜ୍‌କୁ ୧ ରନ୍‌ରେ ପରାସ୍ତ କରିଛି। କ୍ଲୋନଟାର୍ଫଠାରେ ଖେଳାଯାଇଥିବା ଏହି ମହିଳା ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ବର୍ଷା ସାଜିଥିଲା ବାଧକ । ଫଳରେ ଡିଏଲ୍‌ଏସ୍ ପଦ୍ଧତିରେ ମ୍ୟାଚ ଜିତିନେଲା ଆୟରଲାଣ୍ଡ।

ଏହି ଐତିହାସିକ ବିଜୟ ସହ ଆୟରଲାଣ୍ଡ ଦଳ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆୟରଲାଣ୍ଡ ମହିଳା ଦଳର ଏହା ହେଉଛି ପ୍ରଥମ ଟି-୨୦ ବିଜୟ। ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

 ଆୟରଲାଣ୍ଡର ଆଭା କ୍ୟାନିଂ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୧ ରନ୍ ଦେଇ ୨ଟି ପ୍ରମୁଖ ୱିକେଟ୍ (ହେଲି ମାଥ୍ୟୁସ ଓ କିଆନା ଜୋସେଫ୍) ନେଇଥିଲେ। ମାତ୍ର ୫୩ ରନ୍ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଏହା ସହିତ ଷ୍ଟେଫାନୀ ଟେଲର ମଧ୍ୟ ୯ ରନ୍ କରି ଆହତ ହୋଇ ପଡ଼ିଆ ଛାଡ଼ିଥିଲେ।

ଏହାପରେ ଶେମାଇନ୍ କ୍ୟାମ୍ପବେଲ (୨୧ ରନ୍) ଏବଂ ଜାନିଲିଆ ଗ୍ଲାସଗୋ (୩୬ ରନ୍)ଙ୍କ ମଧ୍ୟରେ ୪୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ଶେଷ ଆଡ଼କୁ ଓର୍ଲା ପ୍ରେଣ୍ଡରଗାଷ୍ଟ ୨୬ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା।

୧୪୨ ରନ୍‌ର ପିଛା କରୁଥିବା ଆୟରଲାଣ୍ଡର ଆରମ୍ଭ ଅତି ନିରାଶାଜନକ ଥିଲା। ୱେଷ୍ଟଇଣ୍ଡିଜ୍ ବୋଲର ଶନିଶା ହେକ୍ଟର ପ୍ରଥମ ଓଭରରେ ହିଁ ଦୁଇଟି ୱିକେଟ୍ ନେଇ ଆୟରଲାଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ମାତ୍ର ୧୦.୩ ଓଭର ସୁଦ୍ଧା ଆୟରଲାଣ୍ଡ ୫ଟି ୱିକେଟ୍ ହରାଇ ସାରିଥିଲା।

ବିପର୍ଯ୍ୟୟ ସମୟରେ ଓର୍ଲା ପ୍ରେଣ୍ଡରଗାଷ୍ଟ କ୍ରିଜ୍‌ରେ ଜମି ରହି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ସେ ମାତ୍ର ୪୬ଟି ବଲ୍‌ରୁ ୧୧ଟି ଚୌକା ଓ ୧ଟି ଛକା ସହାୟତାରେ ୭୧ ରନ୍‌ର ଏକ ଅପରାଜିତ ଇନିଂସ ଖେଳିଥିଲେ। ବିଶେଷ କଥା ହେଉଛି, ଦଳର ସମୁଦାୟ ସ୍କୋରର ପ୍ରାୟ ୭୨ ପ୍ରତିଶତ ରନ୍ ସେ ଏକାକୀ ସଂଗ୍ରହ କରିଥିଲେ।

କେମିତି ହେଲା ନାଟକୀୟ ବିଜୟ ?
୫ଟି ୱିକେଟ୍ ପଡ଼ିବା ପରେ ଓର୍ଲାଙ୍କ ସହ ଲୁଇସ୍ ଲିଟିଲ୍ ବ୍ୟାଟିଂ କରିବାକୁ ଆସିଥିଲେ। ଲୁଇସ୍ ଆରମ୍ଭରୁ ସଂଘର୍ଷ କରୁଥିଲେ ଏବଂ ପ୍ରଥମ ୭ଟି ବଲ୍‌ରୁ ମାତ୍ର ୫ ରନ୍ କରିଥିଲେ। କିନ୍ତୁ ୧୫ତମ ଓଭରର ପ୍ରଥମ ବଲ୍‌ରେ ସେ ଏକ ଚୌକା ମାରିଥିଲେ। ଏହି ଚୌକା ସହ ଆୟରଲାଣ୍ଡର ସ୍କୋର ୧୪.୧ ଓଭରରେ ୫ ୱିକେଟ୍ ହରାଇ ୯୯ ରନ୍‌ରେ ପହଞ୍ଚିଥିଲା।

 ଠିକ୍ ସେହି ସମୟରେ ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ରଖିବାକୁ ପଡ଼ିଥିଲା। ଖେଳ ବନ୍ଦ ହେବା ସମୟରେ ୧୪.୧ ଓଭର ସୁଦ୍ଧା ଡିଏଲ୍‌ଏସ୍ (DLS) ନିୟମ ଅନୁଯାୟୀ ବିଜୟ ପାଇଁ ୯୮ ରନ୍ ଆବଶ୍ୟକ ଥିଲା। ବର୍ଷା ନଥମିବାରୁ ଅମ୍ପାୟାରମାନେ ମ୍ୟାଚ୍‌କୁ ସେହିଠାରେ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେହେତୁ ଆୟରଲାଣ୍ଡର ସ୍କୋର (୯୯ ରନ୍) ଧାର୍ଯ୍ୟ ଡିଏଲ୍‌ଏସ୍ ସ୍କୋର (୯୮ ରନ୍) ଠାରୁ ୧ ରନ୍ ଅଧିକ ଥିଲା, ତେଣୁ ଆୟରଲାଣ୍ଡକୁ ୧ ରନ୍‌ରେ ବିଜେତା ଘୋଷଣା କରାଯାଇଥିଲା।