ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ସାମରିକ ଉତ୍ତେଜନା ଏବେ ସମ୍ପୂର୍ଣ୍ଣ ଗଲଫ ପାଇଁ ଚିନ୍ତାର କାରଣ ପାଲଟିଛି। ତାଜା ଘଟଣାକ୍ରମରେ ବାହାରିନ ଉପରେ ଇରାନର ଡ୍ରୋନ ଆକ୍ରମଣ ଓ ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଯୁଦ୍ଧବିରାମ ଭାଙ୍ଗିବା ଅବସ୍ଥାକୁ ପହଞ୍ଚି ଯାଇଛି। ଏଥିରେ ଆମେରିକା ଓ ଇରାନ ପରସ୍ପର ଉପରେ ଯୁଦ୍ଧବିରାମ ଉଲ୍ଲଂଘନର ଅଭିଯୋଗ ଆଣୁଛନ୍ତି। ଏଣୁ ସମଗ୍ର ଅଞ୍ଚଳରେ ପୁଣି ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି।

ବାହାରିନ ବିଦେଶମନ୍ତ୍ରାଳୟ ପୁଷ୍ଟି କରିଛି ଯେ ଶନିବାର ସକାଳେ ଅନେକ ଅଞ୍ଚଳକୁ ଟାର୍ଗେଟ୍ କରି ଇରାନ ଡ୍ରୋନ ଆକ୍ରମଣ କରିଛି। ବାହାରିନରେ ଆମେରିକା ନୌସେନାର ପଞ୍ଚମ ଭେଳା ମୁଖ୍ୟାଳୟ ରହିଛି। ଏଣୁ ଏହି ସ୍ଥାନକୁ ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇତିମଧ୍ୟରେ ହର୍ମୁଜ ପ୍ରଣାଳୀରେ ଏକ ତୈଳ ଟ୍ୟାଙ୍କର ଉପରେ ଅଜଣା ପ୍ରୋଜେକ୍ଟାଇଲ ଦ୍ୱାରା ଆକ୍ରମଣ କରାଯାଇଛି। ବ୍ରିଟେନର ଏକ ନୌସେନା ସମୂହ ଏହି ଘଟଣାର ପୁଷ୍ଟି କରିଛି। ଏହାପରଠାରୁ ଅନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ଏଜେନ୍ସୀ ଚିନ୍ତାରେ ପଡି ଯାଇଛନ୍ତି।

ତେବେ ଗୁରୁବାର ଏହି ଉତ୍ତେଜନା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ହର୍ମୁଜରେ ଏକ କଣ୍ଟୈନର ସିପ୍ ଉପରକୁ ଇରାନ ଡ୍ରୋନ ଆକ୍ରମଣ କରିଥିଲା। ଏହାର ଜବାବରେ ଆମେରିକା ସେନା ଶୁକ୍ରବାର ଇରାନର ଏକ ମିଜାଇଲ ଷ୍ଟୋରେଜ ଓ ରାଡାର ସେଣ୍ଟର ଉପରେ ଆକାଶୀୟ ଆକ୍ରମଣ କରିଥିଲା। ଏହା ପରେ ଇରାନ ଶନିବାର ଦାବି କରିଛି ଯେ ସେ ପାରସ୍ୟ ଉପସାଗରରେ ଆମେରିକୀୟ ଆଡ୍ଡାକୁ ଟାର୍ଗେଟ୍ କରିଛି। ତେବେ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଏହି ଘଟଣାର ଅଧିକାରୀକ ପୁଷ୍ଟି କରିନାହିଁ। ଇରାନ ଅଭିଯୋଗ କରିଛି ଯେ ଚଳିତମାସରେ ହୋଇଥିବା ପାରସ୍ପରିକ ବୁଝାମଣା (ଏମଓୟୁ)କୁ ଆମେରିକା ଉଲ୍ଲଂଘନ କରିଛି। ଅନ୍ୟପଟେ ଇରାନ ଲଗାତାର ଯୁଦ୍ଧବିରାମର ସର୍ତ୍ତ ଉଲ୍ଲଂଘନ କରୁଥିବା ଆମେରିକା ଅଭିଯୋଗ କରୁଛି।

ଏଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଥିବା ୬୦ ଦିନିଆ ଯୁଦ୍ଧବିରାମ ଏବେ ବିପଦରେ ପଡିଥିବା ଦେଖା ଯାଉଛି। ଏହି ବୁଝାମଣା ଅନୁସାରେ ଇରାନକୁ ନ୍ୟୁକ୍ଲିୟର ଆଲୋଚନା ଆଗକୁ ବଢାଇବାର ଥିଲା ଓ ସମୁଦ୍ରରେ ଜାହାଜଙ୍କ ସୁରକ୍ଷିତ ଗମନାଗମନ ସୁନିଶ୍ଚିତ କରିବାର ଥିଲା। ଏହା ବଦଳରେ ଆମେରିକା କିଛି କଟକଣା ଉପରେ ଇରାନକୁ ଆଶ୍ୱସ୍ତ କରିବାକୁ ପ୍ରସ୍ତୁତ ଥିଲା। ହେଲେ ଏବେକା ପରିସ୍ଥିତିରେ ଏମଓୟୁ ଭାଙ୍ଗୁଥିବାର ଦେଖାଯାଉଛି। ଏଥି ମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେରିକା ଏମଓୟୁକୁ ପାଳନ କରୁଛି ହେଲେ ଯଦି ହିଂସା ଜାରି ରହେ ତେବେ ସାମରିକ କ୍ଷମତାରେ ଏହାର ଜବାବ ଦିଆଯିବ।