• ୟୁଏସଏସ୍ ଆବ୍ରାହାମ ଲିଙ୍କନ ଆମେରିକୀୟ ନୌସେନାର ପଞ୍ଚମ ‘ନିମିତଜ୍’ଶ୍ରେଣୀର ବିମାନ ବାହକ ପୋତ
  • ଯୁଦ୍ଧ ପୋତ ଉପରକୁ ଇରାନର ମିଜାଇଲ ଆକ୍ରମଣ ଦାବି ନେଇ ଆମେରିକା ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ
  • ଏହି ଘଟଣା ବିଶ୍ୱର ସବୁଠୁ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗରେ ଏକ ପ୍ରତ୍ୟକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନର ବଢୁଥିବା ବିପଦକୁ ରେଖାଙ୍କିତ କରୁଛି

ତେହେରାନ ୨୫।୩: ଆମେରିକା ନୌସେନାର ବିମାନ ବାହକ ପୋତ ୟୁଏସଏସ୍ ଆବ୍ରାହାମ ଲିଙ୍କନ (ସିଭିଏନ-୭୨)କୁ ଇରାନ ଟାର୍ଗେଟ କରିଛି । ୨୫ ମାର୍ଚ୍ଚ ବୁଧବାର ଇରାନ ଆମେରିକୀୟ ଯୁଦ୍ଧ ଜାହାଜ ଉପରକୁ କ୍ରୁଜ ମିଜାଇଲ ମାଡ଼ କରିଛି ଓ ଚେତାବନୀ ଦେଇଛି ଯେ ଯଦି ଜାହାଜ ମିଜାଇଲ ସୀମା ମଧ୍ୟରେ ଥାଏ ତେବେ ଏହି ଆକ୍ରମଣ ଆହୁରି ଭୀଷଣ ହେବ। ଗଲ୍ଫ ଉତ୍ତେଜନା କାଳରେ ଇରାନର ଏପରି ଦାବି ଉତ୍ତେଜନାକୁ ଆହୁରି ବଢାଇ ଦେଇଛି।

ରଣନୈତିକ ଜଳକ୍ଷେତ୍ରରେ ବଢୁଛି ଉତ୍ତେଜନା
ଇରାନ ନୌସେନାର ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମିଜାଇଲ ଟାର୍ଗେଟ୍ ହାସଲ କରିବା ଅଥବା ଏହା ଯୋଗୁ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ନୈସେନା ପକ୍ଷରୁ କୋଷ୍ଟାଲ କ୍ରୁଜ ମିଜାଇଲ ଯୋଗେ ଷ୍ଟ୍ରାଇକ୍ ଗ୍ରୁପ କ୍ୟାରିୟରକୁ ଟାର୍ଗେଟ୍ କରାଯାଇଥିବା କୁହାଯାଇଛି। ଆକ୍ରମଣ ପରେ ଆବ୍ରାହାମ ଲିଙ୍କନ ସମୁଦ୍ରରେ ତାର ସ୍ଥାନ ପରିବର୍ତ୍ତନ କରିଛି।  ଏହି ସୂଚନା ହୋର୍ମୁଜ ପ୍ରଣାଳୀ ଓ ପାରସ୍ୟ ଉପସାଗରର ରଣନୈତିକ ଜଳକ୍ଷେତ୍ରରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆସିଛି। ଇରାନ ନୌସେନାର କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ କହିଛନ୍ତି ଯେ ଏହି ଆମେରିକୀୟ ବିମାନ ବାହକ ପୋତ ଉପରେ ଲଗାତାର ନଜର ରଖା ଯାଇଛି। ଯଦି ଏହା ଇରାନ ମିଜାଇଲ ପ୍ରଣାଳୀର ସଞ୍ଚାଳନ ସୀମା ମଧ୍ୟକୁ ପ୍ରବେଶ କରେ ତେବେ ଭୀଷଣ ଆକ୍ରମଣର ଶିକାର ହେବ।

ହୋର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣକୁ ନେଇଛି ଇରାନ
ଇରାନୀ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ‘ଇରାନ ସେନା ୟୁଏସଏସ୍ ଆବ୍ରାହାମ ଲିଙ୍କନ ଉପରେ କଡ଼ା ନଜର ରଖିଛି ଓ ମିଜାଇଲ ଲକ୍ଷ୍ୟଭେଦ ସୀମା ମଧ୍ୟକୁ ପ୍ରବେଶ କରିବାମାତ୍ରେ ଜୋରଦାର ଜବାବ ଦିଆଯିବ’। ଇରାନ ଏହା ମଧ୍ୟ ଦାବି କରିଛି ଯେ ହୋର୍ମୁଜ ପ୍ରଣାଳୀ ଉପରେ ଇରାନର ନିୟନ୍ତ୍ରଣ ପ୍ରଭାବୀ ଓ ମଜଭୁତ ହୋଇଛି। ଏହି କ୍ଷେତ୍ର ଉପରେ ଦେଶ ସାମୁଦ୍ରିକ ସାର୍ବଭୌମତ୍ୱକୁ ଗୁରୁତ୍ୱ ଦେଉଛି। ଏଣୁ ଇରାନୀ ନୌସେନା ନିଜ ଜଳକ୍ଷେତ୍ର ନିକଟରେ ସାମରିକ ଜାହାଜଙ୍କ ଗତିବିଦ୍ଧି ଉପରେ ଲଗାତାର ନଜର ରଖିଛି।

ଘଟଣା ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗରେ ବିପଦକୁ ରେଖାଙ୍କିତ କରୁଛି
ନୌସେନା ମୁଖ୍ୟ କହିଛନ୍ତି ଯେ ଇରାନ ନିଜ ସ୍ୱାର୍ଥ ରକ୍ଷାରେ ଆଦୌ ପଛକୁ ହଟିବ ନାହିଁ। ୟୁଏସଏସ୍ ଆବ୍ରାହାମ ଲିଙ୍କନ ଆମେରିକୀୟ ନୌସେନାର ପଞ୍ଚମ ‘ନିମିତଜ୍’ଶ୍ରେଣୀର ବିମାନ ବାହକ ପୋତ ଓ ଏହା କ୍ଷେତ୍ରରେ ଆମେରିକା ସୈନ୍ୟ ଉପସ୍ଥିତିର ଗୁରୁତ୍ୱପୂର୍ଣ୍ଣ ସଂକେତ।ତେବେ ଯୁଦ୍ଧ ପୋତ ଉପରକୁ ଇରାନର ମିଜାଇଲ ଆକ୍ରମଣ ଦାବି ନେଇ ଆମେରିକା ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେ ଏହି ଘଟଣା ବିଶ୍ୱର ସବୁଠୁ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗରେ ଏକ ପ୍ରତ୍ୟକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନର ବଢୁଥିବା ବିପଦକୁ ରେଖାଙ୍କିତ କରୁଛି।