ତେହେରାନ ୨୦।୩: ଇରାନ ସୁପ୍ରିମ ଲିଡର ଅୟାତୋଲା ମୁଜତବା ଖାମେନି ଆମେରିକା ଓ ଇସ୍ରାଏଲ ଦ୍ୱାରା ଆରମ୍ଭ କରାଯାଇଥିବା ଯୁଦ୍ଧର ୩ ସପ୍ତାହ ପରେ ଶୁକ୍ରବାର ଆଉ ଏକ ଲିଖିତ ବୟାନ ଜାରି କରିଛନ୍ତି। ଏଥିରେ ସେ ଇରାନ ଲୋକଙ୍କ ଦୃଢତାକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଏହି ଯୁଦ୍ଧରେ ଆମର ଶତ୍ରୁ ପରାଜିତ ହେଉଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଓ ଇସ୍ରାଏଲ ଭ୍ରମରେ ପଡି ଶୀର୍ଷ ନେତାଙ୍କୁ ହତ୍ୟା କରି ଦେଶର ସରକାର ଭାଙ୍ଗିବାକୁ ଯୋଜନା କରିଥିଲେ। ହେଲେ ତାହା ପଣ୍ଡ ହୋଇଥିବା କହିଛନ୍ତି।

ପାରସ୍ୟ ନବବର୍ଷ ‘ନବରୋଜ’ ଅବସରରେ ଜାରି କରାଯାଇଥିବା ତାଙ୍କର ଏହି ପତ୍ରକୁ ଇରାନ ଟେଲିଭିଜନରେ ପାଠ କରାଯାଇଛି। ଖେମେନି ଇରାନ ଜନତାଙ୍କ ପ୍ରଶଂସା କରି କହିଛନ୍ତି ଯେ ସେମାନେ ସାରା ଦେଶର ସହର, ମହଲା ଓ ମସଜିଦମାନଙ୍କରେ ମଜଭୁତ ପ୍ରତିରକ୍ଷା ବ୍ୟବସ୍ଥା ସୃଷ୍ଟି କରିଛନ୍ତି। ଫଳରେ ଶତ୍ରୁ ଭ୍ରମିତ ହୋଇ ତର୍କହୀନ ଓ ଅସଙ୍ଗତ ବୟାନବାଜି ଆରମ୍ଭ କରିଛନ୍ତି। ଖାମେନି ତାଙ୍କ ପିତା ଅୟାତୋଲା ଅଲୀ ଖେମେନିଙ୍କ ମୃତ୍ୟୁ ପରେ ଶାସନ ସମ୍ଭାଳିବା ପରଠାରୁ ଆଉ କେବେ ସାର୍ବଜନିକ ଭାବେ ଦେଖା ଯାଇ ନାହାନ୍ତି। ଯୁଦ୍ଧର ପ୍ରଥମ ଦିନରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା।

ଇସ୍ରାଏଲ ଓ ଆମେରିକୀୟ ଅଧିକାରୀମାନେ ମୁଜତବା ଆହତ ହୋଇଥିବା ଦାବି କରିଥିଲେ। ତେବେ ମୁଜତବା ତାଙ୍କ ଲିଖିତ ପତ୍ରରେ ଇରାନ ଗଣରାଜ୍ୟର ଶତ୍ରୁ ଇସ୍ରାଏଲ ଓ ଆମେରିକା ଜାରି ଯୁଦ୍ଧରେ ପରାଜୟର ସମ୍ମୁଖୀନ ହୋଇଥିବା କହିଛନ୍ତି। ଖାମେନି କହିଛନ୍ତି ଯେ ଆମ ଦେଶବାସୀଙ୍କ ମଧ୍ୟରେ ବିଶେଷ ଏକତା କାରଣରୁ ଧାର୍ମିକ, ବୌଦ୍ଧିକ, ସାଂସ୍କୃତିକ ଓ ରାଜନୈତିକ ପୃଷ୍ଠଭୂମିରେ ମତପାର୍ଥକ୍ୟ ସତ୍ତ୍ୱେ ଶତ୍ରୁକୁ ପରାଜୟର ସମ୍ମୁଖୀନ ହେବାକୁ ପଡୁଛି। ଏଥି ମଧ୍ୟରେ ଇରାନ ସାରା ବିଶ୍ୱର ମନୋରଞ୍ଜନ ଓ ପର୍ଯ୍ୟଟନ ସ୍ଥଳଙ୍କୁ ଟାର୍ଗେଟ୍ କରିବ ବୋଲି ଧମକ ଦେଇଛି ଓ କହିଛି ଏଥି ପାଇଁ ସେ ମିଜାଇଲ ତିଆରି କରୁଛି।