ନୂଆଦିଲ୍ଲୀ: ଟ୍ରମ୍ପଙ୍କ ମୁଣ୍ଡ ଦିଅ। ୫୦୦ କୋଟି ନିଅ। ଶତାବ୍ଦୀର ଭୟଙ୍କର ପୁରସ୍କାର ଘୋଷଣା କଲା ଇରାନ। ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଘନଉଛି ବିପଦ। ପେଣ୍ଟାଗନରେ ହଲଚଲ୍, ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ‘ଡେଥ୍ ଆଓ୍ୱାର୍ଡ’ ଘୋଷଣା କରିଛି ତେହେରାନ। ହତ୍ୟାକାରୀଙ୍କୁ ମିଳିବ ୫୪ ମିଲିୟନ ଡଲାର ଅର୍ଥାତ ୫୦୦ କୋଟି ଟଙ୍କା। ଇରାନ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁଯାୟୀ, ଇରାନ ସଂସଦରେ 'ସେନା ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଶୋଧ' ଶୀର୍ଷକ ଭୟଙ୍କର ଆଇନର ଡ୍ରାଫ୍ଟ ଉପସ୍ଥାପିତ ହୋଇଛି। ଏହା ଅଧୀନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ CENTCOM କମାଣ୍ଡରଙ୍କୁ ଟାର୍ଗେଟ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଏହି ମୋଟା ରାଶି ପ୍ରଦାନ କରାଯିବ।

ଆମେରିକା ଏବଂ ଇରାନ ମଧ୍ୟରେ ଏପର୍ଯ୍ୟନ୍ତ ହୋଇପାରିନାହିଁ ଶାନ୍ତି ଚୁକ୍ତି। ହର୍ମୁଜ୍ ପ୍ରଣାଳୀ ବନ୍ଦ ଭଳି ସ୍ଥିତି। ଉଭୟ ଦେଶ ନିଜ ନିଜ ସର୍ତ୍ତ ଓ ଜିଦ୍ରେ ଅଟଳ ଅଛନ୍ତି। ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଟ୍ରମ୍ପ। ଏହି ସମୟରେ ଇରାନ ମଧ୍ୟ ନେଇଛି ଭୟଙ୍କର ପଦକ୍ଷେପ। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ଚୁକ୍ତିନାମା ପ୍ରଦାନ କରିଛି । ଚୁକ୍ତି ପୂରଣ କରୁଥିବା ବ୍ୟକ୍ତି ପାଇଁ ୫୦୦ କୋଟିର ପୁରସ୍କାର ଘୋଷଣା କରିଛି ତେହେରାନ। ଇରାନର ବିରୋଧୀ ନ୍ୟୁଜ୍ ଆଉଟଲେଟ୍ ଏହି ଭୟଙ୍କର ଯୋଜନାର ପର୍ଦ୍ଦାଫାସ କରିଛି।

ଇରାନର ସଂସଦରେ ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ମୁଖ୍ୟ ଇବ୍ରାହିମ ଅଜିଜି ସରକାରୀ ଟେଲିଭିଜନରେ ଏନେଇ ନିଶ୍ଚିତ କରିଛନ୍ତି। ଅଜିଜିଙ୍କ ଅନୁଯାୟୀ, ଇରାନ ସାଂସଦମାନେ "ଇସଲାମିକ୍ ଗଣରାଜ୍ୟର ସାମରିକ ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ" ଶୀର୍ଷକ ଏକ ବିପଜ୍ଜନକ ନୂତନ ବିଲ୍ ପ୍ରସ୍ତୁତ କରିଛନ୍ତି। ଏହି ଆଇନ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଏହି "ଧାର୍ମିକ ଏବଂ ଆଦର୍ଶ ମିଶନ" ସମାପ୍ତ କରୁଥିବା ଯେକୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ଇରାନ ସରକାରଙ୍କ କୋଷାଗାରରୁ ୫ ବିଲିୟନ ଡଲାର ବା ୫୦୦ କୋଟି ଟଙ୍କା ପୁରସ୍କାର ଦିଆଯିବ।

ଇବ୍ରାହିମ୍ ଅଜିଜି ଖୋଲାଖୋଲି ଭାବରେ କହିଛନ୍ତି ଯେ କେବଳ ଟ୍ରମ୍ପ ନୁହେଁ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ର କମାଣ୍ଡର ମଧ୍ୟ ତାଙ୍କ ହିଟ୍ ଲିଷ୍ଟରେ ଅଛନ୍ତି। ସେ ବିଶ୍ୱବ୍ୟାପୀ ମୁସଲମାନ ଏବଂ ଉଦାରବାଦୀ ଚିନ୍ତାଧାରାର ବ୍ୟକ୍ତିବିଶେଷଙ୍କୁ ଆଗକୁ ଆସି ଆମେରିକା ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଦଣ୍ଡ ଦେବାକୁ ଆହ୍ୱାନ କରିଥିଲେ।

ଇରାନର ରଣନୀତି କେବଳ ସଂସଦୀୟ ବିବୃତ୍ତି କିମ୍ବା ଡ୍ରାଫ୍ଟ ପର୍ଯ୍ୟନ୍ତ ସୀମିତ ନୁହେଁ। ବରଂ ଏହାକୁ ନେଇ ବିଶାଳ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିଛି। ପ୍ରଥମଟି ହେଲା ସାଧାରଣ ଲୋକଙ୍କୁ ମେସେଜ୍ ଏବଂ ଦ୍ୱିତୀୟଟି କୋଟି କୋଟି ଟଙ୍କା ଗୁପ୍ତ ପାଣ୍ଠି ସୃଷ୍ଟି। ରିପୋର୍ଟ ଅନୁସାରେ ଇରାନ ଏବଂ ଆଖପାଖ ଅଞ୍ଚଳର ସାଧାରଣ ମୋବାଇଲ୍ ୟୁଜର୍ସଙ୍କ ଫୋନକୁ ମେସେଜ ପଠାଯାଇଛି। ଏହି ମେସେଜ ଲୋକଙ୍କୁ "ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଅନ୍ତର୍ଜାତୀୟ ପୁରସ୍କାର ଅଭିଯାନ"ରେ ଯୋଗ ଦେବାକୁ ଉତ୍ସାହିତ କରୁଛି। ଏହି ବାର୍ତ୍ତାଗୁଡ଼ିକ SMS ଏବଂ ଅନଲାଇନ୍ ୱେବସାଇଟ୍ ମାଧ୍ୟମରେ ଏହାର ଅଂଶ ହେବାକୁ ପଞ୍ଜିକରଣ କରିବାକୁ କୁହାଯାଉଛି।

ସେହିପରି ତେହେରାନର ଏକ ସ୍ଥାନୀୟ ଆଉଟଲେଟ୍ ଡିଡବାନ ଇରାନ ଦାବି କରିଛି ଯେ ଟ୍ରମ୍ପଙ୍କୁ ନିପାତ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ଏପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ 90 ହଜାର ଲୋକଙ୍କଠାରୁ ସିଧାସଳଖ ସମର୍ଥନ ମିଳିଛି। ଜନସାଧାରଣଙ୍କଠାରୁ ପ୍ରାୟ 25 ନିୟୁତ ଡଲାର ସଂଗ୍ରହ କରାଯାଇଛି। ସେହିପରି ଇରାନର "ମାସାଫ" ଆଉଟଲେଟ୍ ଏବଂ "ହାଣ୍ଡାଲା" ନାମକ ଏକ କୁଖ୍ୟାତ ହ୍ୟାକିଂ ଗୋଷ୍ଠୀ ମଧ୍ୟ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ବିଶ୍ୱରୁ ନିପାତ କରିବା ପାଇଁ ପ୍ରତ୍ୟେକ 50 ନିୟୁତ ଡଲାରର ସିକ୍ରେଟ୍ ବଜେଟ୍ ରଖାଯାଇଥିବା ଦାବି କରିଛି। ଏଭଳି ଟେକନିକକୁ ଦେଖି ଆମେରିକୀୟ ଗୁପ୍ତଚର ସଂସ୍ଥା ବି ଆଶ୍ଚର୍ଯ୍ୟ। ପୂର୍ବରୁ ବି ନିର୍ବାଚନ ବେଳେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। ସେଦିନ ଅଳ୍ପକେ ବର୍ତ୍ତିଯାଇଥିବା ଟ୍ରମ୍ପଙ୍କ ପାଇଁ ପୁଣି ଆସିଛି ଶନିଦଶା।