ନୂଆଦିଲ୍ଲୀ: ଯୁଦ୍ଧ ଆରମ୍ଭ ହେବା ପରଠାରୁ ବନ୍ଦ ରହିଥିଲା ଇରାନ ଆକାଶମାର୍ଗ। ହେଲେ ଏବେ ପ୍ରାୟ ୫୦ ଦିନ ପରେ ଇରାନ ଏହାର ଆକାଶମାର୍ଗ ଖୋଲଛି । ଅବଶ୍ୟ ଏହା ଆଂଶିକ ଭାବରେ ଖୋଲାଯାଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛି, ପୂର୍ବ ଇରାନ ଉପରେ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି। ସକାଳ ୭ ଟା ସୁଦ୍ଧା କିଛି ବିମାନବନ୍ଦର ମଧ୍ୟ ଖୋଲାଯାଇଥିଲା। ତଥାପି ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ କମ୍ପାନି ଏବେବି ଇରାନ ଆକାଶମାର୍ଗକୁ ଏଡ଼ାଇବା ପାଇଁ ଲମ୍ବା ରୁଟ୍ ଦେଇ ଯାଆସ କରୁଛନ୍ତି।

ଇରାନ କହିଛି ଧୀରେ ଧୀରେ ଦେଶର ବିଭିନ୍ନ ବିମାନବନ୍ଦରକୁ ବିମାନ ଚଳାଚଳ ପୁନଃ ଆରମ୍ଭ ହେବ। ସେପଟେ ୟୁକେ ହର୍ମୁଜ୍ ପ୍ରଣାଳୀ ଦେଇ ସ୍ବାଭାବିକ ଜାହାଜ ଚଳାଚଳା ପାଇଁ ଅପିଲ୍ କରିଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ୟେଭେଟ୍ କୁପର କହିଛନ୍ତି ଯେ ଯୁଦ୍ଧବିରତି ସତ୍ତ୍ୱେ, ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ। ଏହି ମାର୍ଗ ଦେଇ ପରିବହନ ସମ୍ପୂର୍ଣ୍ଣ ଭାବରେ ପୁନଃ ଆରମ୍ଭ ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Also Read: ପୁଣି ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲଗାଇଲା ଇରାନ: ଆମେରିକା ଉପରେ ଆଣିଲା ଗମ୍ଭୀର ଅଭିଯୋଗ

ସର୍ତ୍ତ ସହିତ ଖୋଲିଲା ହର୍ମୁଜ୍ ପ୍ରଣାଳୀ: ଇରାନ

ସେପଟେ ଇରାନ ସ୍ପଷ୍ଟ କରିଛି ଯେ, ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଖୋଲା ନାହିଁ। ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ରାସ୍ତା ବର୍ତ୍ତମାନ କେବଳ ଯୁଦ୍ଧବିରତି ସମୟ ପର୍ଯ୍ୟନ୍ତ ଏବଂ କିଛି ସର୍ତ୍ତାବଳୀ ଅନୁଯାୟୀ ଖୋଲା ରହିଛି। ସେ କହିଛନ୍ତି ଯେ, ଶତ୍ରୁର ସାମରିକ ଜାହାଜ ଏବଂ ଶତ୍ରୁ ସହ ଜଡ଼ିତ ଜାହାଜଗୁଡ଼ିକୁ ମଧ୍ୟ ଯିବାକୁ ଅନୁମତି ଦିଆଯିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଲେବାନନରେ ଇରାନ-ସମର୍ଥିତ ହେଜବୁଲ୍ଲାହ ଗୋଷ୍ଠୀ ଉପରେ ଚାପ ବୃଦ୍ଧି ପାଏ ତେବେ ଏହି ବ୍ୟବସ୍ଥା ପରିବର୍ତ୍ତନ କରାଯାଇପାରିବ।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବାକୁ ଅରାଜି ଇରାନ

IRGC ସହିତ ଜଡ଼ିତ ଗଣମାଧ୍ୟମ ଅନୁଯାୟୀ, ଇରାନ ଆମେରିକା ସହିତ ଆଉ ଏକ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ରାଜି ହେବାକୁ ମନା କରିଦେଇଛି। ତସନିମ ନ୍ୟୁଜ୍ ଶନିବାର ରିପୋର୍ଟ କରିଛି ଯେ, ଇରାନ ଏପର୍ଯ୍ୟନ୍ତ ଆମେରିକା ସହିତ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ରାଜି ହୋଇନାହିଁ। ରିପୋର୍ଟ ଅନୁଯାୟୀ, ତେହେରାନ ଜଣେ ପାକିସ୍ତାନୀ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକୀୟ ଅଧିକାରୀମାନଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇଛି।

Also Read: ଆମେରିକା-ଇରାନ ନୂତନ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ, ସୋମବାର ଇସଲାମାବାଦରେ ହେବ ବୈଠକ

ଇରାନରେ ୫୦ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

ସେପଟେ ଇରାନରେ ଇଣ୍ଟରନେଟ୍ ଉପରେ କଟକଣା ଜାରି ରହିଛି। ଇଣ୍ଟରନେଟ୍ ମନିଟରିଂ ସଂଗଠନ ନେଟବ୍ଲକ୍ସ ଅନୁଯାୟୀ, ଦେଶରେ ୫୦ ଦିନରୁ ଡିଜିଟାଲ୍ ବ୍ଲାକଆଉଟ୍ କାର୍ଯ୍ୟକାରୀ ହୋଇଛି। ଏହାର ଅର୍ଥ ହେଉଛି ପ୍ରାୟ ସାତ ସପ୍ତାହ ଧରି ଲୋକମାନେ ଇଣ୍ଟରନେଟ୍ ଠାରୁ ବିଚ୍ଛିନ୍ନ ହୋଇଛନ୍ତି। ଏହି ବ୍ୟାଘାତ ୧,୧୭୬ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି। ଫଳରେ ଏହା ଲୋକଙ୍କ କାମ, ଯୋଗାଯୋଗ ଏବଂ ଦୈନନ୍ଦିନ ଜୀବନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଛି।