ଇସଲାମାବାଦ, ୦୫ /୦୩: ମଧ୍ୟପ୍ରାଚ୍ୟ ଅଶାନ୍ତ । ଜଳୁଛି ଇରାନ । ଘନ ଘନ ମିସାଇଲ ଆକ୍ରମଣ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ତେହେରାନ ମଧ୍ୟ ପାଲଟା ଜବାବ ଦେଉଛି । ଫଳରେ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡେ ମୁହାଁଇଲାଣି । ଏସବୁ ଭିତରେ ପାକିସ୍ତାନ ଖୁବ୍ ଶୀଘ୍ର ଯୁଦ୍ଧରେ ସାମିଲ ହେବା ନେଇ ଆଶଙ୍କା କରାଯାଉଛି । ସାଉଦି ଆରବ ଉପରେ ଇରାନ କରିଥିବା ଆକ୍ରମଣ ପାକିସ୍ତାନକୁ ଲଢେଇ ଭିତରକୁ ଟାଣିପାରେ ବୋଲି ଆଲୋଚନା ହେଉଛି ।

୨୦୨୫ରେ ସାଉଦି ଏବଂ ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଥିଲେ । ଚୁକ୍ତି ଅନୁସାରେ ଦୁଇ ଦେଶ ମଧ୍ୟରୁ କୌଣସି ଦେଶରେ ଆକ୍ରମଣ ହେଲେ ଅନ୍ୟ ଦେଶ ବାହାରିବ । ଅର୍ଥାତ ଏହାକୁ ଉଭୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ । ଏବେସୁଦ୍ଧା ପାକ୍ ଚୁପ୍ ରହିଥିଲେ ମଧ୍ୟ ଆଗାମୀ ଦିନରେ ସାଉଦି ସହ ହାତ ମିଶାଇପାରେ । ପାକିସ୍ତାନ ପାଖରେ ଆଣବିକ ଅସ୍ତ୍ର ରହିଛି । ତେଣୁ ଯୁଦ୍ଧ ହେଲେ ଏହା ଆଣବିକ ଅସ୍ତ୍ରର ବ୍ୟବହାର କରିବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

ତେବେ ସାଉଦି ଉପରେ ଆକ୍ରମଣ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍ ମୁହଁ ଖୋଲିଥିଲେ । ସେ ଏହାକୁ ନିନ୍ଦା କରିବା ସହ ସାଉଦି ସହ ପାକ୍ ର ସାମରିକ ଚୁକ୍ତି ଥିବା କଥା ଇରାନକୁ କହିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଚୁକ୍ତି ଅନୁସାରେ ପାକିସ୍ତାନ ନିଜର ଆଣବିକ ଅସ୍ତ୍ର ଭଣ୍ଡାର ଖୋଲିପାରେ ।

ସୂଚନାଯୋଗ୍ୟ, ୨୦୨୫ ସେପ୍ଟେମ୍ବରରେ ଇସ୍ରାଏଲ ଦୋହା ଏବଂ କତାର ଉପରେ ଆକ୍ରମଣ କରିବା ପରେ ସାଉଦି ନୂଆ ସହଯୋଗୀ ଖୋଜିଥିଲା । ପ୍ରଥମେ ସାଉଦି ଇସ୍ରାଏଲର ଶତ୍ରୁ ପାକିସ୍ତାନ ସହ ହାତ ମିଳାଇଥିଲା । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପାକିସ୍ତାନର କୌଣସି ସମ୍ପର୍କ ନଥିଲେ ମଧ୍ୟ ଚୁକ୍ତି ଅନୁସାରେ ସାଉଦି ସପକ୍ଷରେ ବାହାରିପାରେ ଇସଲାମାବାଦ୍ ।

ଏବେସୁଦ୍ଧା ପାକିସ୍ତାନ ସରକାରୀ ଭାବେ ଯୁଦ୍ଧ ନେଇ କୌଣସି ଘୋଷଣା କରିନାହିଁ । ଗୋଟିଏ ଦିଗରେ ଇସ୍ରାଏଲ ସହ ପାକିସ୍ତାନର ଖରାପ ସମ୍ପର୍କ । ଅନ୍ୟ ଦିଗରେ ଇରାନ ଆକ୍ରମଣରେ ସାଉଦିକୁ ସୁରକ୍ଷା ଦେବା ପାଇଁ ପରୋକ୍ଷ ଭାବେ ଇସ୍ରାଏଲକୁ ସାହାଯ୍ୟ କରିବ ପାକିସ୍ତାନ । ଯଦି ପାକିସ୍ତାନ ବାହାରେ ତେବେ ଋଷ ଏବଂ ଚାଇନା ସହ ସମ୍ପର୍କ ଖରାପ ହେବ । ଏସିଆର ଦୁଇ ସୁପର ପାଓ୍ୱାର ଇରାନକୁ ପରୋକ୍ଷ ସମର୍ଥନ କରୁଛନ୍ତି । ଅର୍ଥାତ ପାକିସ୍ତାନ ପାଇଁ ନିଷ୍ପତ୍ତି ନେବା ସେତେଟା ସହଜ ହେବ ନାହିଁ ।