ଇସ୍ଲାମାବାଦ: ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ୩ ଦିବସୀୟ ତେହେରାନ ଗସ୍ତ ଶନିବାର ଶେଷ ହୋଇଛି। ତେବେ ଆମେରିକା ପାଇଁ ଚାମଚାଗିରି କରୁଥିବା ମୁନିର ଶତ ଉଦ୍ୟମ ସତ୍ୱେ ଇରାନକୁ ପରମାଣୁ କାର୍ଯ୍ୟକ୍ରମରୁ ନିବୃ୍ତ୍ତ କରିବାକୁ ରାଜି କରାଇ ପାରି ନାହାନ୍ତି। ଇରାନ ସ୍ପଷ୍ଟ ଭାବେ କହିଛିଯେ ସମ୍ବର୍ଦ୍ଧିତ (ଏନରିଚଡ) ୟୁରେନିୟମ ନା କାହାକୁ ଟ୍ରାନ୍ସଫର କରିବ ନା ନିଜ ପରମାଣୁ କାର୍ଯ୍ୟକ୍ରମରୁ ପଛକୁ ହଟିବ। ତେବେ ଏହା ପୂର୍ବରୁ ମୁନିର ବାହାବାହା ନେବାକୁ ଟ୍ରମ୍ପଙ୍କୁ ମିଛ ବାର୍ତ୍ତା ପଠାଇ ଇରାନ ଏନରିଚ୍ ୟୁରେନିୟମ ଟ୍ରାନ୍ସଫର କରିବାକୁ ରାଜି ହୋଇଯାଇଥିବା ସୂଚିତ କରିଦେଇଥିଲେ, ଯାହା ସାରା ପୃଥିବୀରେ ଚହଳ ପକାଇଥିଲା।

ଇରାନର ସବୁ ଟପ ଲିଡରଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ ମୁନିର
ମୁନିର ତାଙ୍କ ୩ ଦିବସୀୟ ତେହେରାନ ଗସ୍ତ କାଳରେ ଇରାନର ସବୁ ଶୀର୍ଷ ନେତାଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିଲେ। ଏଥିରେ ସେ ଯେ କୌଣସି ପ୍ରକାରେ ଆମେରିକା ଆଗରେ ଇରାନକୁ ଅପ୍ରତ୍ୟକ୍ଷ ରୂପେ ନିଜର ହାର ମାନି ନେବାକୁ ଓ ସରେଣ୍ଡର କରିବା ଲାଗି ମନେଇବାକୁ ଚେଷ୍ଟା କରିଥିଲେ। ହେଲେ ଇରାନ ନିଜ ପୂର୍ବ ସର୍ତ୍ତରୁ କୌଣସି ପ୍ରକାରେ ପଛକୁ ହଟିବାକୁ ସ୍ପଷ୍ଟ ମନା କରିଦେଇଛି। ଏହା ସହିତ ଶନିବାର ମୁନିରଙ୍କ ୩ ଦିବସୀୟ ଇରାନ ଗସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଛି।

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରାମ ବୁଝାମଣା ପରେ ମୁନିର ପ୍ରଥମ ବିଦେଶୀ ସୈନ୍ୟ ଅଧିକାରୀ ଯିଏ ଇରାନ ଗସ୍ତ କରିଥିଲେ। ଏହି ଗସ୍ତରେ ସେ ଉଚ୍ଚସ୍ତରୀୟ ପାକିସ୍ତାନୀ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ। ପାକିସ୍ତାନ ସେନାର ମିଡିଆ ଶାଖା ଇଣ୍ଟର-ସର୍ଭିସେସ ପବ୍ଲିକ୍ ରିଲେସନସ୍ (ଆଇଏସପିଆର) ସୂଚିତ କରିଛି ଯେ ଗସ୍ତକାଳରେ ମୁନିର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିୟାନଙ୍କୁ ଭେଟିଛନ୍ତି। ଏହାଛଡା ସେ ଇରାନ ସଂସଦର ବାଚସ୍ପତି ମହମଦ ବାଗେର ଗାଲିବାଫ, ବିଦେଶ ମନ୍ତ୍ରୀ ଆବ୍ୱାସ ଅରାଘଚୀ ଓ ଖାତମ ଉଲ-ଅମ୍ବିୟା ମୁଖ୍ୟାଳୟ କମାଣ୍ଡର ମେଜର ଜେନେରାଲ ଅଲୀ ଅବଦୁଲ୍ଲାହୀଙ୍କୁ ମଧ୍ୟ ଭେଟିଥିଲେ।

ପୁରଣ ହୋଇ ପାରିଲାନି ଟ୍ରମ୍ପଙ୍କୁ ଖୁସି କରିବାର ଯୋଜନା
ପାକିସ୍ତାନ ଏହି ଗସ୍ତକୁ ସଫଳ କରିବା ପାଇଁ ସବୁମନ୍ତେ ଉଦ୍ୟମ କରିଥିଲା, ଯାହାଦ୍ୱାରା ଟ୍ରମ୍ପଙ୍କୁ ଖୁସି କରାଯାଇ ପାରିବ। ହେଲେ ପାକିସ୍ତାନର ସ୍ୱପ୍ନ ପୁରାହୋଇ ପାରିନି। ଆଇଏସପିଆର ବୟାନରେ କୁହାଯାଇଛି ଯେ ମୁନିରଙ୍କ ଏହି ସାକ୍ଷାତ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ଷେତ୍ରରେ ସ୍ଥାୟୀ ଶାନ୍ତି ସ୍ଥାପନା କରିବା। ଏଣୁ ବାର୍ତ୍ତାମାନଙ୍କରେ ଆଞ୍ଚଳିକ ସୁରକ୍ଷାସ୍ଥିତି, ବର୍ତ୍ତମାନର କୂଟନୈତିକ ପ୍ରୟାସ ଓ ଲମ୍ବିତ ପ୍ରସଙ୍ଗଗୁଡିକର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେବେ ମୁନିରଙ୍କୁ ତେହେରାନରୁ ଖାଲି ହାତରେ ଫେରସ୍ତ ଆସିବାକୁ ପଡିଛି।

Also Read..ପୁଣି ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲଗାଇଲା ଇରାନ: ଆମେରିକା ଉପରେ ଆଣିଲା ଗମ୍ଭୀର ଅଭିଯୋଗ