ତେହେରାନ୍: ହିଜାବ ପିନ୍ଧି ନଥିବା ପାଇଁ ଦଣ୍ଡ ଆମେ ଶୁଣିଛେ। କାହାକୁ ବାସନ୍ଦ ତ ଆଉ କାହାକୁ ଜୋରିମାନା। କିନ୍ତୁ ଏଠି ଦିଆଯିବ ବଡ଼ ଦଣ୍ଡ। ଅମାନୁଷିକ ଦଣ୍ଡ। ପୁଣି ଜଣେ ଲୋକପ୍ରିୟ ସିଙ୍ଗରଙ୍କୁ। ଅନଲାଇନ୍ କନସର୍ଟ ସମୟରେ ଗାୟିକା ହିଜାବ ନପିନ୍ଧିବାରୁ ଭୋଗିବେ ପରିଣାମ। ଏହି ମାମଲାରେ ପରସ୍ତୁଙ୍କୁ ୭୪ ଥର ଚାବୁକ ମାରିବା ଦଣ୍ଡ ଦିଆଯାଇଛି।

ଦି ଗାର୍ଡିଆନ ଅନୁଯାୟୀ, ଇରାନର କୋମ ପ୍ରଦେଶର ଏକ କୋର୍ଟ ପରସ୍ତୁ ଏବଂ ତାଙ୍କ ପ୍ରଡକ୍ସନ ଟିମର ୮ ଜଣ ସଦସ୍ୟଙ୍କୁ ପ୍ରତ୍ୟେକଙ୍କୁ ୭୪ଟି ଚାବୁକ ମାରିବା ଦଣ୍ଡ ଦେଇଛନ୍ତି। ଗାୟିକାଙ୍କୁ ଅଶ୍ଳୀଳ କଣ୍ଟେଣ୍ଟ ପ୍ରକାଶ କରିବାର ଅଭିଯୋଗ ଆଣିଛି। ଏହା ବ୍ୟତୀତ, ପରସ୍ତୁଙ୍କୁ ଦୁଇ ବର୍ଷ ପାଇଁ ଦେଶ ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି କଳାତ୍ମକ କାର୍ଯ୍ୟକଳାପରେ ନିୟୋଜିତ ହେବାରୁ ବାରଣ କରାଯାଇଛି। ଏହି ନିର୍ଦ୍ଦେଶ ଇରାନୀ କଳାକାରଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଏହି ଦଣ୍ଡକୁ ନିନ୍ଦା କରାଯାଉଛି। ଏଥିରୁ ଜଣାପଡୁଛି ଯେ ଇରାନରେ କିଛି ପରିବର୍ତ୍ତନ ହୋଇନାହିଁ। ସେଠାକାର ମାନବାଧିକାର ପରିସ୍ଥିତି ଆଦୌ ପରିବର୍ତ୍ତନ ହୋଇନାହିଁ।

ଡିସେମ୍ବର ୨୦୨୪ରେ, 29 ବର୍ଷୀୟା ପାରାସ୍ତୁ YouTube ରେ ଏକ ଲାଇଭ୍ କନସର୍ଟ କରିଥିଲେ, ଯେଉଁଠାରେ ସେ ଇରାନୀ ଦେଶାତ୍ମବୋଧକ ଗୀତ "Az Khoone Jawanane Vatan" ଗାଇଥିଲେ। ଏହି କନସର୍ଟକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ। ଏହି ପ୍ରଦର୍ଶନ ସମୟରେ, ଗାୟିକା ହିଜାବ ବଦଳରେ ଏକ ସ୍ଲିଭଲେସ୍ ଡ୍ରେସ୍ ପିନ୍ଧିଥିଲେ। ଗାୟିକାଙ୍କ ଏହି ଭିଡିଓ ଶୀଘ୍ର ଭାଇରାଲ ହୋଇଥିଲା। ବିବାଦ ପରେ, ଇରାନୀ କର୍ତ୍ତୃପକ୍ଷ ଗାୟିକା ଏବଂ ତାଙ୍କ ଦଳର କିଛି ସଦସ୍ୟଙ୍କୁ ଅଟକ ରଖିଥିଲେ। ଯଦିଓ ସେମାନଙ୍କୁ ପରେ ମୁକ୍ତ କରାଯାଇଥିଲା, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ଗାୟିକାଙ୍କ ଭାଇରାଲ ଭିଡିଓ ୨୭ ମିନିଟ୍ ଲମ୍ବା ଥିଲା। ଏଥିରେ, ସେ ଏକ କଳା ସ୍ଲିଭଲେସ୍ ଡ୍ରେସ୍ ପିନ୍ଧିଥିଲେ। ଅନେକ ମହିଳା ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତାର ଏକ କାର୍ଯ୍ୟ ବୋଲି ବିବେଚନା କରୁଥିଲେ, କିନ୍ତୁ ଇରାନୀ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଆଇନର ଉଲ୍ଲଂଘନ ଥିଲା। ଇରାନରେ, ମହିଳାମାନଙ୍କୁ ସାର୍ବଜନୀନ ସ୍ଥାନରେ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ। ଏକକ ଗୀତ ଗାଇବା ସମ୍ପର୍କରେ ମଧ୍ୟ କଠୋର ନିୟମ ଅଛି। ମହିଳାମାନଙ୍କୁ ସାର୍ବଜନୀନ ସ୍ଥାନରେ ଏକାକୀ ଗୀତ ଗାଇବା ନିଷେଧ। ଆଇନ ଅନୁଯାୟୀ, ସେମାନେ ହିଜାବ ବିନା ସାର୍ବଜନୀନ ଭାବରେ ଦେଖାଯାଇପାରିବେ ନାହିଁ। କିନ୍ତୁ ପାରାସ୍ତୁ ସର୍ବଦା ଏହି ନିୟମଗୁଡ଼ିକର ବିରୋଧୀ ହୋଇଆସିଛନ୍ତି। ୨୦୨୨ରେ ସେ ଏକ ହିଜାବ ବିରୋଧୀ ପ୍ରତିବାଦର ଅଂଶ ମଧ୍ୟ ଥିଲେ।