ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ବିଶ୍ୱର ସବୁଠାରୁ ସଫଳ ଟି-୨୦ ଲିଗ୍ ଭାବେ ପରିଚିତ । ୨୦୦୮ ମସିହାରେ ଏହି ଲିଗ୍ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଏହାର ପଏଣ୍ଟ ଟେବୁଲ ନିୟମରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ମାତ୍ର ବର୍ତ୍ତମାନ ଏହି ପୁରୁଣା ନିୟମକୁ ବଦଳାଇବା ପାଇଁ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟର ତଥା ପ୍ରସିଦ୍ଧ କ୍ରିକେଟ୍ କମେଣ୍ଟେଟର ଆକାଶ ଚୋପ୍ରା (Aakash Chopra) ଏକ ଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।

ଆଇପିଏଲର ନିୟମ କଣ ?

ଆଇପିଏଲ୍ ଇତିହାସରେ ପ୍ରଥମ ସିଜିନରୁ ହିଁ ବିଜେତା ଦଳ ପାଇଁ ନିର୍ଦ୍ଦିଷ୍ଟ ପଏଣ୍ଟ ବ୍ୟବସ୍ଥା ରହିଆସିଛି । ମ୍ୟାଚ୍ ଜିତିଲେ ବିଜେତା ଦଳକୁ ୨ ପଏଣ୍ଟ ମିଳେ । ଯଦି ବର୍ଷା ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ରଦ୍ଦ ହୁଏ, ତେବେ ଉଭୟ ଦଳକୁ ୧-୧ ପଏଣ୍ଟ ଲେଖାଏଁ ମିଳିବାର ନିୟମ ରହିଛି । ଆଇପିଏଲ୍ରେ କୌଣସି ପ୍ରକାରର ବୋନସ ପଏଣ୍ଟ ଦିଆଯାଏ ନାହିଁ। କୌଣସି ଟିମ ମ୍ୟାଚକୁ ଶେଷ ବଲ୍ରେ ୧ ରନ୍ରେ ଜିତୁ କିମ୍ବା ୧୦୦ ରନର ଏକ ବିଶାଳ ବ୍ୟବଧାନରେ ଜିତୁ, ଉଭୟ ସ୍ଥିତିରେ ବିଜେତାକୁ କେବଳ ୨ ପଏଣ୍ଟ ହିଁ ମିଳିବ।

ବଡ଼ ବ୍ୟବଧାନରେ ଜିତିବା ଦ୍ୱାରା ଟିମକୁ କୌଣସି ଅତିରିକ୍ତ ପଏଣ୍ଟ ମିଳେନାହିଁ, ଏହା କେବଳ ଦଳର 'ନେଟ୍ ରନ୍ ରେଟ୍' (Net Run Rate) କୁ ସୁଧାରିବାରେ ସାହାଯ୍ୟ କରିଥାଏ। ଲିଗ୍ ପର୍ଯ୍ୟାୟ ଶେଷରେ ଯଦି ଦୁଇଟି ଦଳ ସମାନ ପଏଣ୍ଟରେ ରୁହନ୍ତି, ତେବେ NRR ଆଧାରରେ ପ୍ଲେ-ଅଫ୍ ସ୍ଲଟ୍ ନିର୍ଦ୍ଧାରଣ କରାଯାଏ।

'ବୋନସ ପଏଣ୍ଟ' ଦାବି ?

ଆକାଶ ଚୋପ୍ରା ନିଜର ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' (X) ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ବିସିସିଆଇ (BCCI) କୁ ଆଇପିଏଲ୍ ନିୟମରେ ସଂଶୋଧନ କରିବାକୁ ଏକ ଅଭିନବ ପ୍ରସ୍ତାବ ଦେଇଛନ୍ତି। ସେ ଚାହାନ୍ତି ଯେ ଯେଉଁ ଦଳ ମ୍ୟାଚ୍ରେ ଅତି ଚମତ୍କାର ପ୍ରଦର୍ଶନ କରି ବଡ଼ ବ୍ୟବଧାନରେ ଜିତୁଛି, ତାକୁ ଏକ ବୋନସ ପଏଣ୍ଟ (Bonus Point) ମିଳିବା ଉଚିତ। ସେ କହିଛନ୍ତି, ନେଟ୍ ରନ୍ ରେଟ୍ ସିଜିନ୍ର ପ୍ରଦର୍ଶନକୁ ମାପିବା ପାଇଁ ଏକ ଭଲ ଉପାୟ ହୋଇପାରେ, କିନ୍ତୁ ଏହାର ପ୍ରକୃତ ଲାଭ ଲିଗ୍ର ଶେଷ ସମୟରେ ହିଁ ଜଣାପଡ଼ିଥାଏ। କିନ୍ତୁ ବୋନସ ପଏଣ୍ଟ ଏଭଳି ଏକ ପୁରସ୍କାର, ଯାହା ଦଳକୁ ତତ୍କାଳ ଏବଂ ସ୍ପଷ୍ଟ ଭାବେ ଫାଇଦା ଦେଇଥାଏ ଏବଂ ଏହା ଅତ୍ୟନ୍ତ ପ୍ରଭାବଶାଳୀ।

ଆକାଶ ଚୋପ୍ରାଙ୍କ ଫର୍ମୁଲା

ଆକାଶ ଚୋପ୍ରା ଏହି ବୋନସ ପଏଣ୍ଟ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଏକ ସହଜ ଫର୍ମୁଲା ମଧ୍ୟ କହିଛନ୍ତି ।ଯଦି କୌଣସି ଦଳ ପ୍ରଥମେ ବ୍ୟାଟିଂ କରି ୨०० ରନ୍ ସଂଗ୍ରହ କରେ ଏବଂ ପ୍ରତିପକ୍ଷ ଦଳକୁ ୨୦% କମ୍ ଅର୍ଥାତ୍ ୧୬୦ ରନ ଭିତରେ ଅଟକାଇ ଦିଏ, ତେବେ ତାକୁ ବୋନସ ପଏଣ୍ଟ ମିଳିବା ଉଚିତ। ଯଦି କୌଣସି ଦଳ ୨०० ରନ୍ର ଲକ୍ଷ୍ୟକୁ ପିଛା କରି ୨୦% କମ୍ ଓଭର ଅର୍ଥାତ୍ ୧୬ ଓଭର ମଧ୍ୟରେ ମ୍ୟାଚ୍ ଜିତିନିଏ, ତେବେ ସେହି ଦଳକୁ ୨ ପଏଣ୍ଟ ବଦଳରେ ମୋଟ ୩ ପଏଣ୍ଟ (୨ ପଏଣ୍ଟ ବିଜୟ ପାଇଁ + ୧ ବୋନସ ପଏଣ୍ଟ) ମିଳିବା ଉଚିତ।

ଏହି ନିୟମ ଆସିଲେ କଣ ହେବ ଫାଇଦା ?

ଅନେକ ସମୟରେ ଲିଗର ଶେଷ ଆଡ଼କୁ କିଛି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଯାନ୍ତି। କିନ୍ତୁ ବୋନସ ପଏଣ୍ଟ ନିୟମ ରହିଲେ, କମ୍ ମ୍ୟାଚ୍ ଜିତିଥିବା ଦଳ ମଧ୍ୟ କ୍ରମାଗତ ବଡ଼ ବିଜୟ ହାସଲ କରି ପ୍ଲେ-ଅଫ୍ ଦୌଡ଼କୁ ଫେରିପାରିବେ। କେବଳ ମ୍ୟାଚ୍ ଜିତିବା ଲକ୍ଷ୍ୟ ନରଖି ଦଳଗୁଡ଼ିକ ବୋନସ ପଏଣ୍ଟ ହାସଲ କରିବା ପାଇଁ ଶେଷ ପର୍ଯ୍ୟନ୍ତ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବେ, ଯାହା ଦର୍ଶକଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବ।