ଧର୍ମଶାଳା: ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବିଶାଳ ସ୍କୋର କରିଛି। ଧର୍ମଶାଳାରେ ଖେଳା ଯାଉଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବେଙ୍ଗାଲୁରୁ ୪ ଓ୍ଵିକେଟ୍ ହରାଇ ୨୨୨ ରନ କରିଛି। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୭୩ ରନର ଦମଦାର ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୫୮ ରନ ଓ ଦେବଦତ୍ତ ପାଡିକଲ ୪୫ ରନ କରିଛନ୍ତି। ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବାକୁ ହେଲେ ପଞ୍ଜାବ ସମ୍ମୁଖରେ ରହିଛି ୨୨୩ ରନର ବିଜୟ ଲକ୍ଷ୍ୟ।

ଏହି ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଅୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଆରସିବିର ଆରମ୍ଭ ସାମାନ୍ୟ ଧିମା ରହିଥିଲା। ଦଳ ମାତ୍ର ତୃତୀୟ ଓଭରରେ ଜ୍ୟାକବ୍ ବେଥେଲ୍ (୧୧)ଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଏହାପରେ କ୍ରିଜ୍‌କୁ ଆସିଥିବା ଦେବଦତ୍ତ ପଡିକ୍କଲ ଏବଂ ଓପନର ବିରାଟ କୋହଲି ଦଳର ସ୍ଥିତି ସମ୍ଭାଳିଥିଲେ। ପଡିକ୍କଲ ଆସିବା ମାତ୍ରେ ହରପ୍ରୀତଙ୍କୁ ଚମତ୍କାର ଛକା ମାରିଥିବା ବେଳେ କୋହଲି ମଧ୍ୟ ଆଜମତୁଲ୍ଲା ଓମରଜାଇ ଏବଂ ଲକି ଫର୍ଗୁସନଙ୍କ ବଲ୍‌କୁ ବାଉଣ୍ଡ୍ରୀ ପାର୍ କରାଇଥିଲେ। ଫଳରେ ଆରସିବି ପାୱାରପ୍ଲେ ସୁଦ୍ଧା ୧ ୱିକେଟ୍ ହରାଇ ୬୧ ରନ୍ ସଂଗ୍ରହ କରିଥିଲା।​​​​​​​

ପଡିକ୍କଲଙ୍କ ଆକ୍ରମଣ ଓ କୋହଲିଙ୍କ ଚତୁର୍ଥ ଅର୍ଦ୍ଧଶତକ

ବେଙ୍ଗାଲୁରୁର ରନ୍ ଗତିକୁ ଆଗକୁ ବଢ଼ାଇ ପଡିକ୍କଲ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦୁଇଟି ଦମଦାର ଛକା ମାରି ସ୍ବାଗତ କରିଥିଲେ। କୋହଲି ମଧ୍ୟ ଚୌକା ବର୍ଷା କରିଥିଲେ। ତେବେ ଭଲ ଫର୍ମରେ ଥିବା ପଡିକ୍କଲ ୨୫ ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୫ ରନ୍ କରି ହରପ୍ରୀତଙ୍କ ବଲ୍‌ରେ ଶ୍ରେୟସ ଅୟରଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।

ଅନ୍ୟପଟେ କିଙ୍ଗ କୋହଲି ନିଜର ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ୧୦ ଓଭରରେ ଦଳୀୟ ସ୍କୋର ୧୦୦ ପାର୍ ହୋଇଥିବା ବେଳେ କୋହଲି ମାତ୍ର ୩୧ ବଲ୍‌ରୁ ଚଳିତ ସିଜିନ୍‌ର ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୫୮ ରନ୍‌ର ଏକ ଦାୟିତ୍ଵବାନ ପାଳି ଖେଳିଥିଲେ, ଯେଉଁଥିରେ ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

ଭେଙ୍କଟେଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ 

କୋହଲି ଆଉଟ୍ ହେବା ପରେ ବ୍ୟାଟିଂ ଭାର ନିଜ କାନ୍ଧକୁ ନେଇଥିଲେ ଭେଙ୍କଟେଶ ଅୟର। ସେ ୧୫ତମ ଓଭରରେ ଚହଲଙ୍କୁ ଦୁଇଟି ବଡ଼ ଛକା ମାରି ଦଳୀୟ ସ୍କୋରକୁ ୧୫୦ ପାର୍ କରାଇଥିଲେ। ଏହାପରେ ୧୭ତମ ଓଭରରେ ଲକି ଫର୍ଗୁସନଙ୍କୁ ପ୍ରହାର କରି ମାତ୍ର ୨୯ ବଲ୍‌ରେ ଚଳିତ ସିଜିନ୍‌ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଭେଙ୍କଟେଶ ୪୦ ବଲ୍‌ରେ ୮ଟି ଚୌକା ଓ ୪ଟି ଛକା ସହ ୭୩ ରନ୍ କରି ନଟ୍ ଆଉଟ୍ ରହିଥିଲେ।

ଶେଷ ଆଡ଼କୁ ଟିମ୍ ଡେଭିଡ୍ ମଧ୍ୟ ମାତ୍ର ୧୨ ବଲ୍‌ରୁ ୨୮ ରନ୍‌ର ଏକ ଦ୍ରୁତ ପାଳି ଖେଳି ଦଳୀୟ ସ୍କୋରକୁ ୨୦୦ ପାର୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫଳରେ ଆରସିବି ପଞ୍ଜାବ କିଙ୍ଗସ ସାମ୍ନାରେ ଏକ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।