MI vs KKR IPL 2026: ରବିବାର ଆଇପିଏଲରେ ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ସର୍ବଦା ପ୍ରାରମ୍ଭରୁ ମନ୍ଥର ଆରମ୍ଭ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ନାଇଟ ରାଇଡର୍ସ ପୂର୍ବ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ଏକ ରୋମାରାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ମ୍ୟାଚରେ ଟସ୍ ଜିତି ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ କେକେଆର। ତେବେ ମୁମ୍ବାଇର ଚୂଡ଼ାନ୍ତ ଏକାଦଶରେ ନାହାନ୍ତି ସୂର୍ଯ୍ୟକୁମାର ଯାଦବ

ଷ୍ଟାର୍ ଖେଳାଳିରେ ଭରପୁର

ଉଭୟ ଦଳରେ ଏକାଧିକ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳି ରହିଥିବାରୁ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଉଭୟ ଦଳକୁ ଜବରଦସ୍ତ ସମର୍ଥନ ମିଳିବ । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରୀଶ ରଘୁବଂଶୀଙ୍କ ଭଳି ମୁମ୍ବାଇ ଖେଳାଳିମାନେ ଖେଳିବା ନିଶ୍ଚିତ । ତେବେ ସୂର୍ଯ୍ୟକୁମାର ଯାଦବ ଇମ୍ପାକ୍ଟ ପ୍ଲେୟାର ତାଲିକାରେ ଅଛନ୍ତି ପୂର୍ବ ରେକର୍ଡ ସବୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରେ ରହିଥିଲେ ହେଁ ନାଇଟ୍ ରାଇଡର୍ସ ନିକଟରେ ଚାମ୍ପିଅନ୍ ହେବାର ଉପଯୁକ୍ତ କ୍ଷମତା ରହିଛି । ଏଥର ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ନାଇଟ୍ ରାଇଡର୍ସ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ମନେ ହେଉଛି ।​​​​​​​

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ ଶର୍ମା, ରିୟାନ ରିକଲଟନ(ଓ୍ଵିକେଟ୍ କିପର), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶେରଫେନ ରଦରଫୋର୍ଡ, ନମନ ଧୀର, ଶାର୍ଦ୍ଦୁଳ ଠାକୁର, ମୟଙ୍କ ମାରକଣ୍ଡେ, ଗଜନଫର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

ଇମ୍ପାକ୍ଟ ପ୍ଲେୟାର ତାଲିକା- ସୂର୍ଯ୍ୟକୁମାର ଯାଦବ, କର୍ବିନ ବୋଶ, ରୋବିନ ମିଞ୍ଜ, ରାଜା ବାଓ୍ଵା, ଅଶ୍ଵନୀ କୁମାର

କୋଲକାତା ନାଇଟ୍ ରାଇଡର୍ସ

ଫିନ ଆଲେନ, ଆଜିଙ୍କ୍ୟ ରାହାଣେ(ଅଧିନାୟକ), କାମେରୁନ ଗ୍ରୀନ, ଅଙ୍ଗକୃଷ ରଘୁବଂଶୀ(ଓ୍ଵିକେଟ୍ କିପର), ରିଙ୍କୁ ସିଂ, ରମଣଦୀପ ସିଂ, ଅନୁକୁଲ ରୟ, ସୁନିଲ ନାରିନ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା, ବ୍ଲେସିଂ ମୁଜରବାନି।  

ଇମ୍ପାକ୍ଟ ପ୍ଲେୟାର ତାଲିକା- ମନୀଷ ପାଣ୍ଡେ, ରୋଭମାନ ପାଓ୍ଵେଲ, କାର୍ତ୍ତିକ ତ୍ୟାଗୀ, ସୌରଭ ଦୁବେ, ତେଜସ୍ଵୀ ଦାହିୟା ।

ମୁମ୍ବାଇର ପଲ୍ଲା ଭାରି

ଆଇପିଏଲରେ ଉଭୟ ଦଳ ପରସ୍ପରକୁ ୩୫ ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୪ଟି ମ୍ୟାଚ ଜିତିଥିବାବେଳେ ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୨୪ ସିଜନରେ ନାଇଟ୍ ରାଇଡର୍ସ ୨ଟି ଯାକ ଲିଗ୍ ମ୍ୟାଚ ଜିତିଥିଲା । ମାତ୍ର ସେତେବେଳେ ଶ୍ରେୟାସ ଆୟର ଦଳର ଅଧିନାୟକ ରହିଥିଲେ । ସେହିବର୍ଷ ନାଇଟ୍ ରାଇଡର୍ସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଉପରେ ଦର୍ଶକଙ୍କ ନଜର ରହିବା ସ୍ୱାଭାବିକ ।

ମାତ୍ର ନାଇଟ୍ ରାଇଡର୍ସର ଏକାଦଶ ଚୟନକୁ ନେଇ ଉତ୍ସୁକତା ଲାଗି ରହିବ । ଏଥର ନାଇଟ ରାଇଡର୍ସ ନ୍ୟୁଜିଲାଣ୍ଡର ଦୁଇ ଓପନର ଫିନ ଆଲେନ ଓ ଟିମ ସାଇଫର୍ଟଙ୍କୁ କିଣିଛି । ଉଭୟ ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ନାଇଟ୍ ରାଇଡର୍ସ ସର୍ବଦା ସୁନୀଲ ନାରାଏନଙ୍କୁ ଓପନର ଭାବେ ଖେଳାଇ ଆସିଛି । ରାହାଣେ ଓ ରଘୁବଂଶୀ ମଧ୍ୟ ଓପନର ଭାବେ ଖେଳନ୍ତି । ତେଣୁ କେଉଁ ଦୁଇ ଖେଳାଳି ଓପନର ଭାବେ ଓହ୍ଲାଇବେ ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିବେ ।

ଫୋକସରେ ରୋହିତ

ରୋହିତ ଶର୍ମା ମୁଖ୍ୟ ଆକର୍ଷଣ ସାଜିବେ । ସେ ୧୫କିଲୋ ଓଜନ କମାଇ ଯୁବ ଖେଳାଳିଙ୍କ ଭଳି ଫିଟ୍ ଦେଖା ଯାଉଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ଆଶାବାଦୀ ଥିବା ରୋହିତଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ବାନ୍ଧିଛନ୍ତି । ଆସନ୍ତାକାଲି ରୋହିତ ଓ ନାରାଏନଙ୍କ ମଧ୍ୟରେ ଏକ ଲଢ଼େଇ ହେବା ଆଶା କରାଯାଉଛି । ରୋହିତଙ୍କ ବିପକ୍ଷରେ ନାରାଏନଙ୍କ ରେକର୍ଡ ବେଶ୍ ଉନ୍ନତ ରହିଛି । ସେ ଆଇପିଏଲରେ ରୋହିତଙ୍କୁ ୧୦ଥର ଆଉଟ୍ କରିସାରିଛନ୍ତି ।

ବ୍ୟାଟିଂ ପାଇଁ ଅନୁକୂଳ ପିଚ୍

ୱାଙ୍ଖଡ଼େ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ସନ୍ଧ୍ୟାରେ ପେସ୍ ବୋଲରମାନେ ପିଚର ଫାଇଦା ଉଠାଇବାର ରେକର୍ଡ ରହିଛି । ନାଲି ମାଟିର ପିଚ୍ ଅତିରିକ୍ତ ବାଉନ୍ସ ହେଉଥିବାବେଳେ ସନ୍ଧ୍ୟାରେ ସମୁଦ୍ର ପଟୁ ବହୁଥିବା ପବନରେ ନୂଆ ବଲ୍ ସୁଇଂ ହୋଇଥାଏ । ତଥାପି ଏଠାରେ ସତର୍କତାର ସହ ଖେଳିଲେ ବିଶାଳ ସ୍କୋର ସମ୍ଭବ । ଟସ ବିଜୟୀ ଦଳ ସନ୍ଧ୍ୟା ସମୟର ଫାଇଦା ଉଠାଇବା ପାଇଁ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।