ବେଙ୍ଗାଲୁରୁ, ୦୭/୦୫: ଚଳିତ ଆଇପିଏଲର ୫୦ତମ ଲିଗ୍ ମୁକାବିଲାରେ ଗୁରୁବାର ମୁହାଁମୁହିଁ ହେବେ ଏଲଏସଜି ଏବଂ ଆରସିବି । ଏଲଏସଜି ବା ଲକ୍ଷ୍ନୌ ନିଜ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ(ଆରସିବି)କୁ ଭେଟିବ । ବେଙ୍ଗାଲୁରୁ ମ୍ୟାଚ ଜିତି ପ୍ଲେ-ଅଫ୍ ପାଇଁ ପଥ ପରିସ୍କାର କରିବ । ଲକ୍ଷ୍ନୌ ପରାଜିତ ହେଲେ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିବ ।

ବେଙ୍ଗାଲୁରୁ ୯ଟି ମ୍ୟାଚ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ଅର୍ଜନ କରି ସାରିଛି । ଆଗକୁ ଦଳ ଆଉ ୫ଟି ଲିଗ୍ ମ୍ୟାଚ ଖେଳିବ । ଫଳରେ ଚାମ୍ପିଅନ୍ ଦଳ ପାଇଁ ପ୍ଲେ-ଅଫରେ ପ୍ରବେଶ କରିବା କଷ୍ଟକର ହେବ ନାହିଁ । ରିଷଭ ପନ୍ତଙ୍କ ଦଳର ଭାଗ୍ୟ ସୂତା ଖିଅରେ ଝୁଲୁଛି । ଲକ୍ଷ୍ନୌ ମଧ୍ୟ ଆଗକୁ ଶେଷ ୫ଟି ଯାକ ମ୍ୟାଚ ଜିତିଲେ ମୋଟ୍ ୧୪ ପଏଣ୍ଟ ଅର୍ଜନ କରିବ । ଗୋଟିଏ ପରାଜୟ ବିଦାୟ ରାସ୍ତା ଦେଖାଇବ । ତେଣୁ ଆଜି ଲକ୍ଷ୍ନୌକୁ ସମସ୍ତ ଶକ୍ତି ଖଟାଇ ବିଜୟ ହାସଲ କରିବାକୁ ପଡ଼ିବ ।

ପନ୍ତ, ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ ଫର୍ମରେ ନଥିବାରୁ ଲକ୍ଷ୍ନୌ ପରାଜୟରୁ ମୁକୁଳି ପାରୁ ନାହିଁ । ତଥାପି ଆଜି ନୂଆ ଆଶା ନେଇ ଲକ୍ଷ୍ନୌ ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳରେ ସେଭଳି ପରିବର୍ତ୍ତନ ସମ୍ଭାବନା ନାହିଁ । ବଡ଼ ଖେଳାଳିଙ୍କ ବ୍ୟାଟ୍ରୁ ମ୍ୟାଚ ବିଜୟୀ ଇନିଂସର ଆଶା ରଖିବ ଲକ୍ଷ୍ନୌ ।

ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ହେବ ନାହିଁ । ଫିଲ ସଲ୍ଟ ଆହତ ହୋଇ ସ୍ୱଦେଶ ଫେରି ଯାଇଛନ୍ତି । ତେଣୁ ଜାକବ ବେଥେଲ ତାଙ୍କ ସ୍ଥାନରେ ଓପନ କରିବା ନିଶ୍ଚିତ । ଆସନ୍ତା କାଲି ଭୁବନେଶ୍ୱର କୁମାରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି ଓ ୧୭ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେହିପରି ଲକ୍ଷ୍ନୌ ପେସ୍ ବୋଲର ମହସିନ ଖାନ ୩ଟି ମେଡେନ ଓଭର ବୋଲିଂ କରିସାରିଛନ୍ତି ।