CSK vs RR IPL 2026: ଆଇପିଏଲ୍ ୨୦୨୬ର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସହଜରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି। ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଲୋ ସ୍କୋରି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୨୭ ରନ କରିଥିଲା। ଯାହାକୁ ରାଜସ୍ଥାନ ମାତ୍ର ୧୨.୧ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଚଳିତ ସିଜିନରେ ରାଜସ୍ଥାନ ବିଜୟରୁ ଇନିଂସ ଆରମ୍ଭ କରିଥିବା ବେଳେ ପାଞ୍ଚ ଥରର ଚାମ୍ପିଅନ ଚେନ୍ନାଇ ଶୋଚନୀୟ ପରାଜୟ ଭୋଗିଛି। ବୈଭବ ସୂର୍ଯ୍ୟବଂଶୀ ୫୨ ରନର ବିଧ୍ଵଂସୀ ଇନିଂସ ଖେଳିଥିବା ବେଳେ ଜୟସ୍ଵାଲ ୩୮ ରନ କରିଛନ୍ତି। ଚେନ୍ନାଇ ପକ୍ଷରୁ ବ୍ୟାଟିଂରେ ଜେମି ଓଭର ୪୩ ରନ କରିଥିବା ବେଳେ ବାକି ସବୁ ନିରାଶ କରିଥିଲେ।

୧୨୮ ରନର ସହଜ ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ବୈଭବ ସୂର୍ଯ୍ୟବଂଶୀ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ସୂର୍ଯ୍ୟବଂଶୀ ନିଜର ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆରମ୍ଭରୁ ତାଙ୍କୁ ମିଳିଥିବା ଜୀବନଦାନର ଫାଇଦା ଉଠାଇ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ସୂର୍ଯ୍ୟବଂଶୀ। ଦୁଇ ବାମହାତୀ ବ୍ୟାଟର ଓପନିଂରେ ୬.୨ ଓଭରରେ ୭୫ ରନ ଯୋଡ଼ି ଦଳର ସହଜ ବିଜୟ ସୁନିଶ୍ଚିତ କରିଥିଲେ।

Also Read: IPL 2026କୁ ନେଇ ବାଂଲାଦେଶର ୟୁ-ଟର୍ଣ୍ଣ, ପ୍ରସାରଣ ଉପରେ ରୋକ୍

ବୈଭବ ସୂର୍ଯ୍ୟବଂଶୀ ୧୭ ବଲରୁ ୪ ଚୌକା ଓ ୫ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ। ଧ୍ରୁବ ଜୁରେଲ ୧୮ ରନ କରିଥିଲେ। ଜୟସ୍ଵାଲ ୩୬ ବଲରୁ ୩୮ ରନ କରି ଅପରାଜିତ ଥିଲେ। ଅଧିନାୟକ ରିୟାନ ପରାଗ ୧୪ ରନ କରି କ୍ରିଜରେ ଥିଲେ। ରାଜସ୍ଥାନ ୧୨.୧ ଓଭରରେ ୨ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ମ୍ୟାଚକୁ ସହଜରେ ଜିତି ନେଇଛି।

CSK ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ପାୱାରପ୍ଲେରେ ଚାରୋଟି  ୱିକେଟ ହରାଇଥିଲା। ସଞ୍ଜୁ ସାମସନ୍ ୬, ଅଧିନାୟକ ଗାୟକୱାଡ୍ ୬, ଆୟୁଷ ମହାତ୍ରେ ୦ ଏବଂ ମାଥ୍ୟୁ ସର୍ଟ ୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ସରଫରାଜ ଖାନଙ୍କ ଉପରେ ଆଶା ରହିତିଲା। ମାତ୍ର  ସରଫରାଜ ଖାନ ୧୨ ବଲ୍‌ରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ମାରି ୧୭ ରନ କରି ଆଉଟ୍ ହୋଇଥିଲେ।

ଯୁବ କାର୍ତ୍ତିକ ଶର୍ମା ଏକ ଛକା ମାରିଥିଲେ କିନ୍ତୁ ୧୫ ବଲ୍ ରୁ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶିବମ୍ ଦୁବେ ପ୍ରଥମ ବଲରେ ଛକା ମାରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ଜେମି ଓଭରଟନ୍ ୪୩ ରନ୍ କରି ସ୍କୋରକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କେବଳ ୮ ଜଣ ଚେନ୍ନାଇ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ।

Also Read: ​​​​​​​PSL 2026 Ball Tampering: କ୍ୟାମେରାରେ ଧରାପଡ଼ିଲେ ଶାହିନ୍ ଆଫ୍ରିଦି, ଦେଖନ୍ତୁ ପୁରା ଭିଡିଓ...

ଦଶମ ୱିକେଟ ପାଇଁ ବଡ଼ ପାର୍ଟନରସିପ୍

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ସବୁଠୁ ବଡ଼ ପାର୍ଟନରସିପ୍ ଜେମି ଓଭରଟନ୍ ଏବଂ ଅଂଶୁଲ କାମ୍ବୋଜଙ୍କ ମଧ୍ୟରେ ଦଶମ ୱିକେଟ ପାଇଁ ଥିଲା। ୯୪ ରନରେ ୯ଟି ୱିକେଟ ପଡ଼ିଥିଲା। ଏହା ପରେ ଦୁହେଁ ୩୩ ରନର ପାର୍ଟନରସିପ୍ କରିବାରୁ ଚେନ୍ନାଇ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ଜେମି ଓଭରଟନ୍ ୩୬ ବଲ୍‌ରେ ଦୁଇଟି ଚୌକା ଏବଂ ଦୁଇଟି ଛକା ମାରି ୪୩ ରନ କରିଥିଲେ। ଅଂଶୁଲ କାମ୍ବୋଜ ୭ ରନ କରି ଅପରାଜିତ ଥିଲେ।

ରାଜସ୍ଥାନ ପାଇଁ ଜୋଫ୍ରା ଆର୍ଚର ଚାରି ଓଭରରେ ୧୯ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ନାଣ୍ଡ୍ରେ ବର୍ଗର ତାଙ୍କ କୋଟା ଓଭରରେ ୨୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ରବୀନ୍ଦ୍ର ଜାଡେଜା ତିନି ଓଭରରେ ୧୮ ରନ୍ ଦେଇ ଦୁଇ ଖେଳାଳିଙ୍କୁ ଆଉଟ୍ କରିଥିଲେ। ବ୍ରଜେଶ ଶର୍ମା, ରବି ବିଷ୍ଣୋଇ ଏବଂ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।