କୋଲକାତା, ୦୩/୦୪ : ଚାଲିଛି ଆଇପିଏଲ ୨୦୨୬ । ରୋମାଞ୍ଚକର ହେଉଛି ଟୁର୍ଣ୍ଣାମେଣ୍ଟ । ଦେଖିବାକୁ ମିଳୁଛି ହାଇସ୍କୋରିଂ ମ୍ୟାଚ୍ । ବ୍ୟାଟରଙ୍କ ସହ ବୋଲରମାନେ ମଧ୍ୟ ମ୍ୟାଚ୍ ଜିତାଉଛନ୍ତି । ତେବେ ଗୁରୁବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ମୁକାବିଲାକୁ ହାଇଦ୍ରାବାଦ୍ ଜିତି ନେଇଛି । ହେଲେ କୋଲକାତାର ଜଣେ ବ୍ୟାଟରଙ୍କ ରନ୍ ଆଉଟକୁ ନେଇ ସବୁଠି ଚର୍ଚ୍ଚା ।

କୋଲକାତାର ଇଡେନ୍ ଗାର୍ଡେନରେ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ୍ । ଦଳ ବିଶାଳ ରନ୍ କରିଥିଲା । ଜବାବରେ କୋଲକାତା ୬୫ ରନ୍ ଦୂରରେ ରହିଯାଇ ପରାସ୍ତ ହୋଇଥିଲା । କିନ୍ତୁ ମୁକାବିଲାରେ ସମସ୍ତଙ୍କର ନଜରରେ ରହିଥିଲା କ୍ୟାମେରୁନ୍ ଗ୍ରୀନଙ୍କ ରନ୍ ଆଉଟ୍ । ସେ ସମସ୍ତଙ୍କୁ ଚକିତ କଲା ଭଳି ରନ୍ ଆଉଟ୍ ହୋଇଥିଲେ । ଗ୍ରୀନ୍ ଏବଂ ଅଙ୍ଗକୁଷ ରଘୁବଂଶୀଙ୍କ ମଧ୍ୟରେ ଭୁଲ୍ ବୁଝାମଣାରୁ ଏହି ରନ୍ ଆଉଟ୍ ହୋଇଥିଲା ।

ଘଟଣା ଥିଲା ଏମିତି । କୋଲକାତା ବ୍ୟାଟିଂର ଷଷ୍ଠ ଓଭରରେ ବ୍ୟାଟିଂ କରୁଥିଲେ ଅଙ୍ଗକୁଷ । ତାଙ୍କୁ ହାଇଦ୍ରାବାଦ୍ ବୋଲର ଇଶାନ୍ ମାଲିଙ୍ଗା ଏକ ବଲ୍ ପକାଇଥିଲେ । ଏଥିରେ ଅଙ୍ଗକୁଷ ସାମ୍ନା ଦିଗକୁ ସଟ୍ ଖେଳିଥିଲେ । ତେବେ ବଲଟି ଇଶାନଙ୍କ ଦେହରେ ବାଜି କ୍ରିଜରେ ହିଁ ରହିଯାଇଥିଲା । ଏଠାରୁ ବ୍ୟାଟିଂ କରୁଥିବା ଗ୍ରୀନ୍ ଏବଂ ରଘୁବଂଶୀଙ୍କ ମଧ୍ୟରେ ଭୁଲ ବୁଝାମଣା ଆରମ୍ଭ ହୋଇଥିଲା । ଗ୍ରୀନ୍ ବଲର ବେଗକୁ ପଢିପାରିନଥିଲେ । ରନ୍ ନେବା ପାଇଁ ଧାଇଁ ଯାଇଥିଲେ । ଅନ୍ୟ ଦିଗରେ ରଘୁବଂଶୀ ମଧ୍ୟ ବଲକୁ ଦେଖିନଥିଲେ । ସେ କିଛି ସମୟ ପାଇଁ କ୍ରିଜରେ ହିଁ ରହିଯାଇଥିଲେ । ସେତେବେଳକୁ ଗ୍ରୀନ୍ ଅଧା କ୍ରିଜ୍ ଅତିକ୍ରମ କରିସାରିଥିଲେ । ତେଣୁ ଉଭୟଙ୍କ ପାଖରେ ରନ୍ ନେବା ଛଡା ଅନ୍ୟ କୌଣସି ବ୍ୟତିକ୍ରମ ନଥିଲା ।

ଏହି ସମୟରେ ମାଲିଙ୍ଗା ବଲକୁ ନେଇ ବୋଲର ଏଣ୍ଡରେ ଥିବା ଷ୍ଟମ୍ପରେ ଲଗାଇ ଦେଇଥିଲେ । ତେବେ ରଘୁବଂଶୀ ପ୍ୟାଭିଲିୟନ ଆଡକୁ ଫେରି ଯାଉଥିଲେ । ତାଙ୍କୁ ଲାଗିଥିଲା କି ସେ ଗ୍ରୀନକୁ ଅତିକ୍ରମ କରିସାରିଛନ୍ତି । କିନ୍ତୁ ଅମ୍ପାୟାର ତାଙ୍କୁ ବାଉଣ୍ଡରୀ ଲାଇନ୍ ପାଖରେ ଅଟକାଇ ଗ୍ରୀନଙ୍କୁ ଆଉଟ୍ ଦେଇଥିଲେ । ଶେଷରେ ମାମଲା ଥାର୍ଡ ଅମ୍ପାୟାରଙ୍କ ପାଖକୁ ଯାଇଥିଲା । ଗ୍ରୀନ୍ ବୋଲର ଏଣ୍ଡର ଅଧିକ ପାଖରେ ଥିଲେ । କ୍ରିକେଟ୍ ନିୟମ ଅନୁସାରେ ଏଭଳି ସ୍ଥିତିରେ ଯେଉଁ ବ୍ୟାଟର ଓ୍ୱିକେଟ୍ ପାଖରେ ଥାଏ ସେ ହିଁ ଆଉଟ୍ ହୋଇଥାଏ । ତେଣୁ ଅମ୍ପାୟାର ଗ୍ରୀନକୁ ଆଉଟ୍ ଦେଉଥିଲେ ।

ସୂଚନାଯୋଗ୍ୟ, ୨୦୨୬ ନିଲାମିରେ ଗ୍ରୀନଙ୍କୁ କେକେଏର ୨୫ କୋଟି ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା । ହେଲେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ବୋଲିଂ କରିନଥିଲେ । କେବଳ ବ୍ୟାଟରଭାବେ ମ୍ୟାଚ୍ ଖେଳିଥିଲେ ।