ଧର୍ମଶାଳା: ଧର୍ମଶାଳାରେ ରବିବାର (୧୭ ମେ) ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ୨୦୨୬ (IPL 2026) ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପକ୍ଷରୁ ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେଇଥିଲେ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର। ପ୍ଲେ-ଅଫର ଏହି ମହାମୁକାବିଲାରେ ମେରଠର ଏହି ୩୫ ବର୍ଷୀୟ ପେସର ନିଜର ଚମତ୍କାର ବୋଲିଂ ବଳରେ ପଞ୍ଜାବ କିଙ୍ଗସର ବ୍ୟାଟିଂ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ।

ମ୍ୟାଚର ପ୍ରଥମ ଓଭରରୁ ହିଁ ଭୁବନେଶ୍ୱର ନିଜର ସୁଇଂର ଯାଦୁ ଦେଖାଇବା ଆରମ୍ଭ କରିଥିଲେ। ସେ ପାଳିର ପ୍ରଥମ ଓଭରର ତୃତୀୟ ବଲରେ ପଞ୍ଜାବର ଓପନିଂ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଦିଲ୍ଲୀର ଏହି ବାମହାତୀ ଓପନର ଭୁବିଙ୍କ ତିନୋଟି ବଲର ସାମ୍ନା କରିଥିଲେ ମଧ୍ୟ ଗୋଟିଏ ହେଲେ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇନଥିଲେ।

ଷ୍ଟାର ବୋଲରଙ୍କୁ ପଛରେ ପକାଇଲେ ଭୁବି

ଏହି ସଫଳତା ପରେ ମଧ୍ୟ ଭୁବନେଶ୍ୱରଙ୍କ ଘାତକ ବୋଲିଂ ଜାରି ରହିଥିଲା। ପାଳିର ତୃତୀୟ ଓଭରର ଶେଷ ବଲ୍ରେ ସେ ପଞ୍ଜାବର ଦ୍ୱିତୀୟ ଓପନର ପ୍ରଭସିମରନ ସିଂଙ୍କୁ ଆଉଟ୍ କରି ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଏହି ୱିକେଟ୍ ହାସଲ କରିବା ସହିତ ଭୁବନେଶ୍ୱର କୁମାର ଆଇପିଏଲ୍ ଇତିହାସରେ ଭାରତର ଦୁଇ ପୂର୍ବତନ ବୋଲର ଆଶିଷ ନେହେରା ଏବଂ ଅନିଲ କୁମ୍ବଲେଙ୍କୁ ପଛରେ ପକାଇ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

ପ୍ଲେ-ଅଫରେ ଆରସିବିର ଦମଦାର ଆରମ୍ଭ

ପ୍ଲେ-ଅଫ୍ ଭଳି ହାଇ-ପ୍ରେସର ମ୍ୟାଚ୍ରେ ଭୁବନେଶ୍ୱର କୁମାରଙ୍କ ପ୍ରାରମ୍ଭିକ ଝଟକା ଆରସିବିକୁ ମ୍ୟାଚ୍ରେ ବହୁତ ଆଗକୁ ନେଇଯାଇଛି। ଧର୍ମଶାଳା ପିଚରେ ସୁଇଂବ୍ୟବହାର କରି ସେ ବିପକ୍ଷ ଦଳକୁ ଆରମ୍ଭରୁ ହିଁ ରନ୍ କରିବାର କୌଣସି ସୁଯୋଗ ଦେଇନଥିଲେ । ତାଙ୍କର ଏହି ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଆରସିବି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ବିଗତ କିଛି ବର୍ଷ ଧରି ଆଇପିଏଲ୍ରେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଭୁବି, ଆଜି ପୁଣିଥରେ ପ୍ରମାଣ କରିଛନ୍ତି ଯେ, ଟି-୨୦ କ୍ରିକେଟର ସେ ଅନ୍ୟତମ ଶ୍ରେଷ୍ଠ ବୋଲର ।

୩୫ ବର୍ଷରେ ଗୋଟିଏ IPL ସଂସ୍କରଣରେ ସର୍ବାଧିକ ୱିକେଟ୍

୨୬ - ୨୦୧୯ରେ ଇମ୍ରାନ ତାହିର

୨୩ – ୨୦୨୬ରେ ଭୁବନେଶ୍ୱର କୁମାର

୨୨ - ୨୦୧୫ରେ ଆଶିଷ ନେହେରା

୨୨ – ୨୦୨୫ରେ ଟ୍ରେଣ୍ଟ ବୋଲ୍ଟ

୨୧ - ୨୦୦୯ରେ ଅନିଲ କୁମ୍ବଲେ

ଟି-୨୦ ମ୍ୟାଚର ପ୍ରଥମ ଓଭରରେ ୫୦ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ

ଭୁବନେଶ୍ୱର କୁମାର ଟି-୨୦ ମ୍ୟାଚର ପ୍ରଥମ ଓଭରରେ ୫୦ କିମ୍ବା ତା’ଠାରୁ ଅଧିକ ବ୍ୟାଟରଙ୍କୁ ଆଉଟ୍ କରିବାରେ ବିଶ୍ୱର ଚତୁର୍ଥ ଏବଂ ଭାରତର ପ୍ରଥମ ବୋଲର ହୋଇଛନ୍ତି। ପାକିସ୍ତାନର ଶାହିନ ଶାହ ଆଫ୍ରିଦିଙ୍କ ନାମରେ ଟି-୨୦ ମ୍ୟାଚରେ ପ୍ରଥମ ଓଭରରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରହିଛି। ସେ ତାଙ୍କ ପ୍ରଥମ ଓଭରରେ ୬୪ ବ୍ୟାଟଙ୍କୁ ଆଉଟ୍ କରିଛନ୍ତି। ତାଙ୍କ ପରେ ଇଂଲଣ୍ଡର ଡେଭିଡ୍ ୱିଲି ୬୩ ୱିକେଟ୍ ସହିତ ଦ୍ୱିତୀୟ ଏବଂ ପାକିସ୍ତାନର ପୂର୍ବତନ ବାମହାତୀ ପେସର ମହମ୍ମଦ ଆମିର ୫୨ ୱିକେଟ୍ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ପ୍ରିୟାଂଶଙ୍କ ୱିକେଟ୍ ସହିତ, ଭୁବି ଏହି ଫର୍ମାଟରେ ୫୦ ୱିକେଟ୍ ପୂରଣ କରିଛନ୍ତି।