ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ମାଥିଶା ପଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିଛି। IPL ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଶ୍ରୀଲଙ୍କା କ୍ରିକେଟର ହୋଇଛନ୍ତି ପଥିରାନା। ନିଲାମ ପୂର୍ବରୁ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ରିଲିଜ୍ କରିଥିଲା । ମାଥିଶା ପଥିରାନାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ତାଙ୍କ ପାଇଁ ଲଢ଼ିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଉଭୟ ମାଥିଶା ପଥିରାନାଙ୍କ ପାଇଁ ସେମାନଙ୍କର ଅଧାରୁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛୁକ ଥିଲେ । କିନ୍ତୁ KKR ସେମାନଙ୍କୁ ପଛରେ ପକାଇ ୧୮ କୋଟି ଖର୍ଚ୍ଚ କରି ତାଙ୍କୁ କିଣିଛି ।

 

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ୧୫.୬୦ କୋଟି ଟଙ୍କା ଦେବ ବୋଲି ନିଲାମୀ ଡାକିଥି । ଏହା ପରେ ଟିମ୍ ପ୍ରତ୍ୟାହାର କରିନେଇଥିଲା, କିନ୍ତୁ LSG ହାର ମାନିନଥିଲା । ଲକ୍ଷ୍ନୌ ମାଥିଶା ପଥିରାନାଙ୍କୁ କ୍ରୟ କରିବାକୁ ୧୭.୮୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା । କିନ୍ତୁ LSG ମଧ୍ୟ ପଛକୁ ହଟିଥିଲା। ଶେଷରେ KKR ମାଥିଶା ପଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିଛି । ଏହା ପୂର୍ବରୁ, ନିଲାମୀରେ ସବୁଠାରୁ ମହଙ୍ଗା ଶ୍ରୀଲଙ୍କା ଖେଳାଳିଙ୍କ ରେକର୍ଡ ୱାନିନ୍ଦୁ ହସରଙ୍ଗାଙ୍କ ନାମରେ ଥିଲା । ତାଙ୍କୁ ୨୦୨୨ରେ RCB ୧୦.୭୫ କୋଟି ଟଙ୍କାରେ କିଣିଥିଲା।

ମାଥିଶା ପଥିରାନାଙ୍କୁ ଗତବର୍ଷ ଚେନ୍ନାଇ ସୁପର କିଙ୍ଗସ ୧୩ କୋଟି ଟଙ୍କାରେ ନିଜ ଟିମରେ ରଖିଥିଲା । କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଗତବର୍ଷ ତୁଳନାରେ ୫ କୋଟି ଟଙ୍କା ଅଧିକ ଦେଇଛି । ପୂର୍ବରୁ କେକେଆର କ୍ୟାମେରନ ଗ୍ରୀନଙ୍କୁ ସର୍ବାଧିକ ୨୫.୨୦ କୋଟି ଟଙ୍କା ଦେଇ କିଣିଥିଲା । ମାଥିଶା ପଥିରାନା ଏପର୍ଯ୍ୟନ୍ତ ତାଙ୍କ ୩୨ ମ୍ୟାଚ୍ ବିଶିଷ୍ଟ IPL କ୍ୟାରିୟରରେ ୪୭ ୱିକେଟ୍ ନେଇଛନ୍ତି। ୨୦୨୫ରେ ସେ ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ CSK ପାଇଁ ୧୨ ମ୍ୟାଚ୍ରେ ୧୩ ୱିକେଟ୍ ନେଇଥିଲେ।