ନୂଆଦିଲ୍ଲୀ: ଯଦି ଆପଣ ନିଜର ପୁରୁଣା ଆଇଫୋନ୍ (iPhone) ବଦଳାଇ ଏକ ନୂଆ ଆଣ୍ଡ୍ରଏଡ୍ (Android) ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି। ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର । ଗୁଗଲ୍ (Google) ଏହାର ଆଗାମୀ ଅପରେଟିଂ ସିଷ୍ଟମ୍ ‘ଆଣ୍ଡ୍ରଏଡ୍ ୧୭’ (Android 17)ରେ ଡାଟା ଟ୍ରାନ୍ସଫର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ଏହାଦ୍ବାରା ଆଇଫୋନ୍ରୁ ଆଣ୍ଡ୍ରଏଡକୁ ସ୍ୱିଚ୍ କରିବା ପାଇଁ କୌଣସି ବାହ୍ୟ ବା ଥାର୍ଡ- ପାର୍ଟି ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ।

ପ୍ରକୃତରେ ଗୁଗଲ୍ ଏକ ନୂଆ ନେଟିଭ ମାଇଗ୍ରେସନ୍ ସିଷ୍ଟମ୍ (Native Migration System) ପ୍ରସ୍ତୁତ କରିଛି। ଯାହା ସିଧାସଳଖ ଅପରେଟିଂ ସିଷ୍ଟମ୍ ସହ ହିଁ ମିଳିବ। ପୂର୍ବରୁ ଆଇଫୋନ୍ରୁ ଆଣ୍ଡ୍ରଏଡକୁ ଡାଟା ନେବା ସମୟରେ କେବଳ ଫଟୋ, ଭିଡିଓ ଏବଂ କଣ୍ଟାକ୍ଟସ୍ ଭଳି ସୀମିତ ଜିନିଷ ହିଁ ଟ୍ରାନ୍ସଫର ହେଉଥିଲା। କିନ୍ତୁ ଆଣ୍ଡ୍ରଏଡ୍ ୧୭ର ଏହି ନୂଆ ଅପଡେଟେଡ୍ ଟୁଲ୍ ବ୍ୟବହାରକାରୀଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରିଦେବ।

ନୂଆ ବ୍ୟବସ୍ଥା ହୋଇପାରିବ ଗୁରୁତ୍ୱପୂର୍ଣ୍ଣ ଡାଟା ସହଜରେ ପାଇପାରିବେ:

ଏହି ନୂଆ ଫିଚର ଦ୍ବାରା ଆଇଫୋନରୁ ଗୁଗଲ୍ ଆକାଉଣ୍ଟ ସୂଚନା, ଫୋନ୍ରେ ସେଭ୍ ଥିବା ସମସ୍ତ ପାସୱାର୍ଡ, ୱାଇ-ଫାଇ କ୍ରେଡେନସିଆଲ୍ସ (Wi-Fi Credentials), ସବୁଠାରୁ ଗୁରୁତ୍ୱପୂର୍ଣ୍ଣ eSIM ମଧ୍ୟ ସିଧାସଳଖ ନୂଆ ଫୋନ୍କୁ ସ୍ଥାନାନ୍ତରିତ ହୋଇପାରିବ। ତେବେ ରିପୋର୍ଟ ଅନୁଯାୟୀ, ଗୁଗଲ୍ ପକ୍ଷରୁ ଏହି ଫିଚର୍ର ରୋଲ୍ଆଉଟ୍ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ନିର୍ଦ୍ଦିଷ୍ଟ ପ୍ରିମିୟମ୍ ଡିଭାଇସ୍ ପାଇଁ ଆରମ୍ଭ ହୋଇଛି। ବର୍ତ୍ତମାନ ଏହା ଗୁଗଲ୍ ପିକ୍ସେଲ୍ (Google Pixel) ସ୍ମାର୍ଟଫୋନ୍ ସସ ସାମସଙ୍ଗ୍‌ର ନୂଆ ଫୋଲ୍ଡେବଲ୍ ସିରିଜ୍ Galaxy Z Flip 8 ଏବଂ Galaxy Z Fold 8ରେ ଉପଲବ୍ଧ ହେଉଛି। ଆଗାମୀ ଦିନରେ ଅନ୍ୟ ସମସ୍ତ ଆଣ୍ଡ୍ରଏଡ୍ ବ୍ରାଣ୍ଡଗୁଡ଼ିକୁ ଏହି ସେବା ଯୋଗାଇ ଦିଆଯିବ।

Also Read: କିଣିବା ପୂର୍ବରୁ ଭାବି ନିଅନ୍ତୁ, ୨ ଲକ୍ଷ ଟଙ୍କା ଟପିବ ଆପଲ୍ର ନୂଆ ଆଇଫୋନ୍ !

QR କୋଡ୍ ସ୍କାନ୍ କରି କରିପାରିବେ ସେଟ୍ଅପ୍

ଏହି ନୂଆ ମାଇଗ୍ରେସନ୍ ପ୍ରକ୍ରିୟା ଅତ୍ୟନ୍ତ ସରଳ ରଖାଯାଇଛି। ନୂଆ ଆଣ୍ଡ୍ରଏଡ୍ ଫୋନର ସେଟ୍ଅପ୍ ସମୟରେ ଆପଣଙ୍କୁ ଏକ ଆଇଫୋନରୁ ଡାଟା କପି ଅପ୍ସନ ମିଳିବ। ଏହାପରେ ଆଣ୍ଡ୍ରଏଡ୍ ଫୋନରେ ଏକ QR କୋଡ୍ ଆସିବ। ଏହି କ୍ୟୁଆରକୁ ଆଇଫୋନ୍ରେ ସ୍କାନ୍ କରିବା ମାତ୍ରେ ଦୁଇଟିଯାକ ଡିଭାଇସ୍ ଓ୍ବାୟାରଲେସ୍ ପ୍ରକ୍ରିୟାରେ ପରସ୍ପର ସହ କନେକ୍ଟ ହୋଇଯିବେ। ଏହାପରେ ବ୍ୟବହାରକାରୀ ନିଜ ପସନ୍ଦ ଅନୁସାରେ ଫାଇଲ୍ ବାଛି ଟ୍ରାନ୍ସଫର କରିପାରିବେ।

ତେବେ ଡାଟା ଟ୍ରାନ୍ସଫର ସମୟରେ କିଛି ସତର୍କତା ରଖିବାକୁ ଗୁଗଲ ପରାମର୍ଶ ଦେଇଛି।

- ଟ୍ରାନ୍ସଫର ଶେଷ ହେବା ପର୍ଯ୍ୟନ୍ତ ଦୁଇଟିଯାକ ଫୋନ୍ କନେକ୍ଟ ରହିବା ଆବଶ୍ୟକ

- ଆଇଫୋନ୍ଟି ଆକ୍ଟିଭ ୱାଇ-ଫାଇ ସହ କନେକ୍ଟ ହୋଇଥିବା ଜରୁରୀ

- ଉଭୟ ଫୋନରେ ପର୍ଯ୍ୟାପ୍ତ ଚାର୍ଜ ରହିଥିବା ଆବଶ୍ୟକ ଏବଂ ନୂଆ ଆଣ୍ଡ୍ରଏଡ୍ ଫୋନ ଡାଟା ରଖିବା ପାଇଁ ଖାଲି ସ୍ପେସ୍ ରହିଥିବା ଆବଶ୍ୟକ

ଖାଲି ସେତିକି ନୁହେଁ, ଏହି ସେଟ୍ଅପ୍ ସରିବା ପରେ ୟୁଜର୍ସଙ୍କୁ ହ୍ୱାଟ୍ସଆପ୍ (WhatsApp) ଚାଟ୍ ହିଷ୍ଟ୍ରି ଟ୍ରାନ୍ସଫର କରିବାର ସୁବିଧା ମଧ୍ୟ ମିଳିଥାଏ। ଏହା ସହିତ iMessageରୁ ଗୁଗଲ୍ ମେସେଜ୍ ଏବଂ iCloud ଫଟୋକୁ ସହଜରେ ଗୁଗଲ୍ ଫଟୋଜ୍ (Google Photos)କୁ ମଧ୍ୟ ସହଜରେ ସ୍ଥାନାନ୍ତର କରିହେବ।