ମୁମ୍ବାଇ: ଯେଉଁ ପୁଅ ପାଇଁ ଦିନରାତି ଏକ କରିଦେଇଥିଲେ ବାପା-ମା’... ଆଜି ସେହି ପୁଅର ଜିଦ୍ ପାଇଁ ଚାଲିଗଲା ପୂରା ପରିବାର। ସାମାନ୍ୟ ଆଇ-ଫୋନ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଯେ ଏତେ ଭୟଙ୍କର ରୂପ ନେବ, ତାହା କେହି କେବେ ଭାବିନଥିଲେ। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରୁ ଆସିଛି ଛାତିଥରା ଘଟଣା। ପାହାଡ଼ରୁ ଖସି ପୁଅ ଓ ବାପାଙ୍କ ମୃତ୍ୟୁ ପରେ ମା’ ମଧ୍ୟ ହାରିଦେଲେ ଜୀବନ।

ଛତ୍ରପତି ସମ୍ଭାଜିନଗରର ତିସଗାଁଓ ଅଞ୍ଚଳ। ଏଠାରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା, ଯାହା ଶୁଣିଲେ ଆଖିରେ ଲୁହ ଆସିଯିବ। ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କର ଘଟିଛି ମୃତ୍ୟୁ। ଘଟଣାର ଆରମ୍ଭ ହୋଇଥିଲା ଆଇ-ଫୋନକୁ ନେଇ। ୧୮ ବର୍ଷୀୟ କୁନାଲ ନିଜ ବାପା-ମା’ଙ୍କୁ ଆଇ-ଫୋନ୍ କିଣିଦେବାକୁ ଜିଦ୍ ଧରିଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବାପା ଏଥିପାଇଁ ମନା କରିଥିଲେ। ବାପାଙ୍କ ଏହି ମନାକୁ ସହି ନପାରି ରାଗିଯାଇଥିଲେ କୁନାଲ। ପରିବାର ସହ ଝଗଡ଼ା ପରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଚଢ଼ିଯାଇଥିଲେ। କୁନାଲଙ୍କୁ ବୁଝାଇବା ପାଇଁ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ଚେଷ୍ଟା କରିଥିଲେ। ପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ।

ହେଲେ କୁନାଲ ନିଜ ଜିଦରେ ଅଟଳ ରହିଥିଲେ। ଏହି ସମୟରେ କୁନାଲ ଓ ତାଙ୍କ ବାପାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଆଉ ହଠାତ୍ ପାହାଡ଼ ଉପରୁ ଉଭୟେ ତଳକୁ ଖସିପଡ଼ିଥିଲେ। ଆଖି ଆଗରେ ସ୍ୱାମୀ ଓ ପୁଅଙ୍କୁ ଏଭଳି ଅବସ୍ଥାରେ ଦେଖି ଭାଙ୍ଗିପଡ଼ିଥିଲେ ମା’। ଗଭୀର ମାନସିକ ଆଘାତରେ ସେ ମଧ୍ୟ ପାହାଡ଼ ଉପରୁ ଡେଇଁ ପଡ଼ି ଜୀବନ ହାରିଦେଇଥିବା ସୂଚନା ମିଳିଛି।

also read- ଗୁଗଲ୍ ଫାୟାରବେସ୍‌କୁ ଢ଼ାଲ କରି ସାଇବର ଠକେଇ ! ୫୭ ନକଲି ୱେବସାଇଟ୍ ଉପରେ ସରକାରର ଆକ୍ସନ

ଗୋଟିଏ ଆଇ-ଫୋନ୍ ପାଇଁ ଆରମ୍ଭ ହୋଇଥିବା ଜିଦ୍ ଶେଷରେ ନେଇଗଲା ତିନିଟି ଜୀବନ। ଗୋଟିଏ ପରିବାର ଏକାସାଙ୍ଗରେ ହୋଇଗଲା ନିଃଶେଷ। ଘଟଣାଟି ଯେତିକି ଦୁଃଖଦ, ସେତିକି ଶିକ୍ଷଣୀୟ ମଧ୍ୟ—ଜୀବନଠାରୁ ବଡ଼ ନୁହେଁ କୌଣସି ଜିନିଷ, କୌଣସି ଜିଦ୍ କିମ୍ବା କୌଣସି ଦାମୀ ମୋବାଇଲ୍।