ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ସେବା ଓ ଅନଲାଇନ୍ ପେମେଣ୍ଟର ବ୍ୟବହାର ବଢ଼ିବା ସହ ସାଇବର ଠକମାନେ ମଧ୍ୟ ଠକେଇର ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏବେ ସରକାରୀ ଯାଞ୍ଚରୁ ସାଇବର ଠକେଇର ଏକ ନୂଆ ପ୍ୟାଟର୍ଣ୍ଣ ସାମ୍ନାକୁ ଆସିଛି। ଠକମାନେ ଗୁଗଲର ଫାୟାରବେସ୍ ପ୍ଲାଟଫର୍ମକୁ ବ୍ୟବହାର କରି ନକଲି ବ୍ୟାଙ୍କିଂ ୱେବସାଇଟ୍ ଓ ବିପଜ୍ଜନକ ଆପ୍ ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ଚୋରି କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଏହି ମାମଲାରେ ଭାରତ ସରକାର ନେଇଛନ୍ତି ଆକ୍ସନ। ଗୁଗଲକୁ ଅନେକ ଫାୟାରବେସ୍ ଆକାଉଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର (I4C) ପକ୍ଷରୁ ଅଗଷ୍ଟରେ ଅତିକମରେ ୫୭ଟି ଫାୟାରବେସ୍-ହୋଷ୍ଟେଡ୍ ୱେବସାଇଟ୍ ଓ ଡାଟାବେସ୍ ହଟାଇବା ପାଇଁ ନୋଟିସ୍ ଜାରି ହୋଇଥିଲା।

ଯାଞ୍ଚରେ ଏହି ୱେବସାଇଟ୍ଗୁଡ଼ିକୁ ମାଲୱେୟାର ବିସ୍ତାର ଏବଂ ମୋବାଇଲ୍ ଫୋନରୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ସରକାରଙ୍କ ନୋଟିସ୍ ପାଇବା ପରେ ଯଦି ତିନି ଘଣ୍ଟା ମଧ୍ୟରେ ଏହି ଲିଙ୍କଗୁଡ଼ିକୁ ହଟାଯାଇନଥାଏ, ତେବେ ଆଇନଗତ ଦାୟିତ୍ୱର ସମ୍ମୁଖୀନ ହେବାର ବ୍ୟବସ୍ଥା ଥିବା ଜଣାପଡ଼ିଛି।

ଯାଞ୍ଚରୁ ଜଣାପଡ଼ିଛି ଯେ ସାଇବର ଠକମାନେ ଆଣ୍ଡ୍ରଏଡ୍ ମାଲୱେୟାରକୁ ଅସଲି ବ୍ୟାଙ୍କିଂ ସେବା ଭଳି ଦେଖାଇ ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ନୂଆ କ୍ରେଡିଟ୍ କାର୍ଡ ଅଫର, ରିୱାର୍ଡ ରିଡିମ୍ କରିବା ଏବଂ କ୍ରେଡିଟ୍ ଲିମିଟ୍ ବଢ଼ାଇବା ଭଳି ଲୋଭ ଦେଖାଇ ୟୁଜରଙ୍କୁ ଫସାଯାଉଥିଲା।

also read- Please ଆମକୁ ଏମିତି କୁହନ୍ତୁନି...ଅରୁଣାଚଳର ଜଣେ କୁନି ଝିଅର ଭାବପୂର୍ଣ୍ଣ ଅପିଲ୍‌; ଭିଡିଓ ଭାଇରାଲ୍‌

୫୭ଟି ୱେବସାଇଟ୍ ମଧ୍ୟରୁ ୭ଟି ୱେବସାଇଟ୍ ବଡ଼ ଭାରତୀୟ ବ୍ୟାଙ୍କର ନକଲ କରି ତିଆରି ହୋଇଥିବା ଜଣାପଡ଼ିଛି। ଏଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ଭଳି ବ୍ୟାଙ୍କର ନାଁ ବ୍ୟବହାର କରାଯାଇଥିଲା। ଲୋକଙ୍କ କ୍ରେଡିଟ୍ କାର୍ଡ ତଥ୍ୟ ଏବଂ OTP ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଚୋରି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।