ଭୁବନେଶ୍ୱର ୦୩।୧୦; ଭୁବନେଶ୍ୱର ୨୦୦ ଫୁଟିଆ ରାସ୍ତାରେ ଏକ ଷଣ୍ଢ ସହ ବାଇକ୍ ଧକ୍କାରେ ଚାଲିଗଲା ଓଡ଼ିଶାର ଗର୍ବ ତଥା ଅନ୍ତର୍ଜାତୀୟ ପର୍ବତାରୋହୀ ଇଞ୍ଜିନିୟର ଜଗନ୍ନାଥ ମହାନ୍ତଙ୍କ ଜୀବନ। ଜଗନ୍ନାଥଙ୍କ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ୍ ଭାଗାମୁଣ୍ଡା ପଞ୍ଚାୟତର ନୂଆଗାଁ ଚାନ୍ଦପୋଷି। ସେ ଭୁବନେଶ୍ୱରରେ ଏକ ସଫ୍ଟୱେର୍ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।

ଗୁରୁବାର ସନ୍ଧ୍ୟାରେ ସେ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ୨୦୦ ଫୁଟିଆ ରାସ୍ତାରେ ଅଚାନକ ଏକ ଷଣ୍ଢ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ଫଳରେ ବାଇକ୍ ସହ ଜଗନ୍ନାଥ କିଛି ଦୂରକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗନ୍ନାଥ ଦୁଃସାହସିକ ପର୍ବତାରୋହଣ, ସମାଜସେବା ଓ ମାନବିକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ ଅନ୍ତର୍ଜାତୀୟ ପର୍ବତାରୋହୀ ଭାବେ ସେ ବିଭିନ୍ନ ସାହସିକ ଅଭିଯାନରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ପର୍ବତାରୋହଣ ପାଇଁ ତାଙ୍କ ନାମ ୱର୍ଲ୍ଓ୍ବାଇଡ ବ୍ଲକ ଅଫ ରେକର୍ଡ୍,

ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଚ୍ଚ, ୟୁନିଭର୍ସାଲ ବୁକ୍ ଅଫ ରେକର୍ଚ୍ଚ ଏବଂ ଇଣ୍ଡିଆନ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛି। ସେ ୨୦୨୧ରେ ଗ୍ଲୋବାଲ୍ ଚେଞ୍ଜ୍ ମେକର ସମ୍ମାନ ପାଇଥିଲେ। ତାଙ୍କର ସ୍ୱପ୍ନ ଥିଲା, ଦିନେ ଏଭରେଷ୍ଟ ଶିଖର ଛୁଇଁବା। ହେଲେ ସେହି ସ୍ବପ୍ନ ଅଧୁରା ରହିଗଲା। ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଗନ୍ନାଥଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି କ୍ୟାପିଗଲ ହସ୍ପିଗଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି