ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନେଇ ବଡ଼ ଖବର । ବିଶ୍ୱର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ନାଟକରେ ମହାରାଜ କଂସଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାଶୁଣା କଳାକାର ସୁଶୀଲ ବିରତି ନେଇଛନ୍ତି । ସେ କଂସଙ୍କ ଭୂମିକାରୁ ଏକ ବର୍ଷ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୁଶୀଲ ମେହେର ନିଜର ନିଷ୍ପତ୍ତି ସମ୍ପର୍କରେ ଏକ ଔପୋଚାରିକ ପତ୍ର ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଛନ୍ତି।

କାହିଁକି ନେଲେ ଏଭଳି ପଦକ୍ଷେପ ?

ଅଭିନେତା ସୁଶୀଲ ମେହେର ତାଙ୍କ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଗତ ଦିନମାନଙ୍କରେ ତାଙ୍କ ଅଭିନୟ ଏବଂ ବିଭିନ୍ନ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଛି । ଏହି କ୍ରମାଗତ ମାନସିକ ଚାପ ଓ ଅସ୍ଥିରତା କାରଣରୁ ସେ ଚଳିତ ବର୍ଷ ମହାରାଜ କଂସ ଚରିତ୍ରରେ ଅଭିନୟ କରିବାକୁ ଅକ୍ଷମ ବୋଲି ଜଣାଇଛନ୍ତି।

Also Read: କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ, ଜାନୁଆରୀରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ସୂଚନାଥାଉକି, ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଐତିହାସିକ ବରଗଡ଼ ଧନୁଯାତ୍ରା । ମହାରାଜା କଂସଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଜଣେ ଦକ୍ଷ କଳାକାରଙ୍କ ଆବଶ୍ୟକତା ଥିବାରୁ, ଏବେ ଆୟୋଜକ କମିଟି ଓ ପ୍ରଶାସନ ସମ୍ମୁଖରେ ନୂଆ କଂସ ଚୟନ କରିବା ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଯାତ୍ରାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଆଗାମୀ ଦିନରେ କିପରି ସୁରୁଖୁରୁରେ ମହୋତ୍ସବ ପାଳନ କରାଯିବ, ସେନେଇ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା ନେଇ ବିଚାରବିମର୍ଶ ଜାରି ରଖିଛନ୍ତି।