ନୂଆଦିଲ୍ଲୀ,୩୦/୧୨ : ପାକିସ୍ତାନରେ ହେବ ମରୁଡି । ପାଣି ପାଇବେନି ପାକ୍ ନାଗରିକ । ଟୋପାଏ ପାଣି ପାଇଁ ଡହଳବିକଳ ହେବେ । ଆତଙ୍କବାଦୀ କାର୍ଯ୍ୟକଳାପରୁ ଓହରୁ ନଥିବାରୁ ପାକ୍ ଉପରେ ଭାରତ ନେବାକୁ ଯାଉଛି ବଡ ଆକ୍ସନ୍ । ଶତ୍ରୁ ଦେଶକୁ ପାଣି ବନ୍ଦ କରିବାକୁ ଭାରତ ସରକାର ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି । ଏବେ କେନ୍ଦ୍ର ସରକାର ସିନ୍ଧୁ ନଦୀର ଉପନଦୀ ଚେନାବରେ ହାଇଡ୍ରୋ ପାଓ୍ୱାର ବା ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ପରିବେଶ ମନ୍ତ୍ରାଳୟ ମଧ୍ୟ ପ୍ରକଳ୍ପରେ ମୋହର ମାରିଛି ।

ରିପୋର୍ଟ ଅନୁସାରେ, ସିନ୍ଧୂ ଏବଂ ଏହାର ଉପନଦୀର ଜଳକୁ ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଏବେ ଚେନାବ ନଦୀରେ ୨୬୦ ମେଗା ଓ୍ୱାଟର ଦୁଲହସ୍ତି ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପ ତିଆରି କରାଯିବ । ଜମ୍ମୁ-କାଶ୍ମୀରର କିସ୍ତଓ୍ୱାରରେ ଏହାର ନିର୍ମାଣ ହେବ ବୋଲି ଜଣାପଡିଛି ।

ପହଲଗାମ୍ ଆକ୍ରମଣ ପରେ ଭାରତ ପ୍ରଥମେ ସିନ୍ଧୁ ନଦୀର ଚୁକ୍ତିକୁ ବାତିଲ କରିଥିଲା । ଫଳରେ ନଦୀ ସମ୍ଭନ୍ଧୀୟ କୌଣସି ତଥ୍ୟ ଭାରତ ପାକିସ୍ତାନକୁ ପ୍ରଦାନ କରିବ ନାହିଁ । ପାଣିକୁ ଏକପାଖିଆ ଭାବେ ବ୍ୟବହାର କରିପାରିବ । ଏବେ ଚେନାବ ନଦୀରେ ନୂତନ ଜଳ ବିତ୍ୟୁତ ପ୍ରକଳ୍ପ ପାକିସ୍ତାନ ପାଇଁ ବଡ ଚ୍ୟାଲେଞ୍ଜ୍ ଭାବେ ଉଭା ହେବ । ଏହି ନିଷ୍ପତ୍ତି ସାଓ୍ୱାଲକୋଟ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଟେଣ୍ଡର ଘୋଷଣା ପରେ ନିଆଯାଇଛି । ଯାହାର ନିର୍ମାଣ ଦାୟିତ୍ୱ ନ୍ୟାଶନାଲ ହାଇଡ୍ରୋ ଇଲେକ୍ଟ୍ରିକ୍ କର୍ପୋରେସନ ନେବ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଟେଣ୍ଡର ପକାଇବା ପାଇଁ ନୋଟିସ ଜାରି କରାଯାଇଛି ।

ପୂର୍ବରୁ ସିନ୍ଧୁ ଚୁକ୍ତି ଆଧାରରେ ଭାରତରୁ ସିନ୍ଧୁ ନଦୀର ତିନୋଟି ଉପ ନଦୀର ଜଳ ବ୍ୟବହାର ପାଇଁ ଅନୁମତି ଥିଲା । ସେହିପରି ପାକିସ୍ତାନକୁ ଝେଲମ, ଚେନାବର ଜଳ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ଯେଉଁ ଚୁକ୍ତି ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ରବ୍ଦ ହୋଇଛି । ପାକିସ୍ତାନ ଯେତେ ନେହୁରା ହେଲେ ବି ଭାରତ ଆଉ ଥରେ ପାକିସ୍ତାନକୁ ବିଶ୍ୱାସ କରିବା ମୁଡରେ ନାହିଁ ।

ଭାରତର ବିଭିନ୍ନ ପ୍ରକଳ୍ପ ପରେ ଇସଲାମବାଦ ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଥିଲା । ଚେନାବ ଭାରତରୁ ବାହାରି ପାକିସ୍ତାନରେ ପ୍ରବେଶ କରିଛି । ଏହାର ଜଳ ପାକରେ କୃଷି, ଶିଳ୍ପରେ ବ୍ୟବହାର ହୁଏ । ଭାରତ ଚେନାବ ଉପରେ ଏକଚାଟିଆ ଅଧିକାର ଜାହିର କରିପାରିବ ନାହିଁ ବୋଲି ଇସଲାମବାଦ କହିଥିଲା ।

ଦୁଲହସ୍ତି ପ୍ରକଳ୍ପ ପାଇଁ ଚିନ୍ତାରେ ପାକ୍

ପାକିସ୍ତାନର ପୂର୍ବତନ ସଙ୍ଘୀୟ ମନ୍ତ୍ରୀ ସେରୀ ରେହମାନ କହିଛନ୍ତି ଯେ, ଚେନାବର ଜଳକୁ ଭାରତ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଯାହା ସିନ୍ଧୂ ନଦୀ ଚୁକ୍ତିର ଖୁଲମକୁଲା ଉଲ୍ଲଙ୍ଘନ । ଏହା ପାକିସ୍ତାନର ଜଳ ଅଧିକାର ହନନ କରୁଥିବା ସେ ପ୍ରକାଶ କରିଛନ୍ତି ।