ନୂଆଦିଲ୍ଲୀ,|୦୬:ସିନ୍ଧୁ ନଦୀ ଜଳ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛି ଭାରତ । ଜାତିସଙ୍ଘ ମାନବାଧିକାର ପରିଷଦର ଏକ ବୈଠକରେ ଭାରତ ପ୍ରସଙ୍ଗକୁ ଗୁରୁତର ସହ ନେଇ ଏବେ ସିନ୍ଧୁ ଚୁକ୍ତିର ବୈଧତା ସରିଯାଇଥିବା କହିଛି । ଏହାକୁ ସରକାର ଅତି ପୁରୁଣା ବୋଲି କହିଛନ୍ତି । ଏହାସହ ଯେଉଁ ଦେଶ ଲଗାତାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥାଏ ତା ନିକଟରୁ ମିତ୍ରତା ଆଶା କରିବା ବୃଥା ବୋଲି ମଧ୍ୟ ଭାରତୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

ୟୁଏନଏଚଆରସିର ୬୨ ତମ ବୈଠକରେ ଭାରତର ପ୍ରତିନିଧି ଅନୁପମା ସିଂ କହିଛନ୍ତି ଯେ, ପାକିସ୍ତାନ ଭାରତ ଉପରେ ଯେଉଁ ଅଭିଯୋଗ ଲଗାଉଛି ତାହା ଭିତ୍ତିହୀନ । ପାକିସ୍ତାନ ବାରମ୍ବାର ଦ୍ୱିପାକ୍ଷିକ ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ଉଠାଇ ଅଯଥା ସମୟ ନଷ୍ଟ କରୁଛି । ଏସବୁ ନକରି ପାକ୍ ନିଜ ଦେଶରେ ବଢୁଥିବା ଆତଙ୍କବାଦ ଉପରେ ଧ୍ୟାନ ଦେଲେ ଭଲ ହେବ । ପାକ୍ ପ୍ରୟୋଜିତ ଆତଙ୍କବାଦ ଆଞ୍ଚଳିକ ଶାନ୍ତି ପ୍ରତି ବିପଦ ଅଟେ ।

Also Read :-ସାରା ବିଶ୍ୱରେ ଦେଶ ଛାଡ଼ିବେ ରେକର୍ଡ ସଂଖ୍ୟକ କୋଟିପତି: ଭାରତରେ ଟ୍ୟାକ୍ସ ଜଟଳିତା ଓ ଶିକ୍ଷା ସମସ୍ୟା ପଳାୟନର କାରଣ!

ସେ ଆହୁରି କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଯେଉଁଦେଶ ଆତଙ୍କବାଦୀ ରପ୍ତାନୀ କରେ ସେହି ଦେଶ ଏବେ ସଦଭାବନା ଏବଂ ମିତ୍ରତା କଥା କହୁଛି । ଦୁନିଆ ବଦଳୁଛି । ପୂର୍ବରୁ ଯେଉଁ ଚୁକ୍ତି ହୋଇଥିଲା ତାହା ବର୍ତ୍ତମାନର ସମୟକୁ ନଜରରେ ରଖି ହୋଇନାହିଁ । ୧୯୬୦ରେ ହୋଇଥିବା ଏହି ଚୁକ୍ତିକୁ ଦେଖିଲେ ଏବେକାର ସ୍ଥିତି ଭିନ୍ନ ରହିଛି ।

ପହଲଗାମ୍ ଆକ୍ରମଣ ପରେ ଚୁକ୍ତି ବାତିଲ

ସୂଚନାଯୋଗ୍ୟ, ଭାରତର ପହଲଗାମରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ କରିଥିଲା । ଏଥିରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରାଯାଇଥିଲା । ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହାପରେ ଭାରତ ସରକାର ସିନ୍ଧୁ ଚୁକ୍ତିକୁ ବାତିଲ କରିଥିଲେ । ଫଳରେ ପାକିସ୍ତାନରେ ପାଣି ସଙ୍କଟ ଦେଖାଦେଇଛି । ପାକିସ୍ତାନ ସୀମାରେ ଆତଙ୍କବାଦ ବନ୍ଦ ନକରିବା ଯାଏଁ ଭାରତ ପାଣି ଟୋପାଏ ଦେବନି ବୋଲି ମଧ୍ୟ କହିସାରିଛି ।