ଜାକାର୍ତ୍ତା: ଇଣ୍ଡୋନେସିଆରେ ରବିବାର ଭୋର ସମୟରେ ଅନାକ କ୍ରାକାଟୋଆ ଆଗ୍ନେୟଗିରିରେ ଅଚାନକ ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। ବିସ୍ଫୋରଣ ପରେ ଆକାଶକୁ ଦୁଇଟି ଧୂମ କୁଣ୍ଡଳି ଉଠିଥିଲା। ଏଥିରୁ ଗୋଟିଏ ପାଖାପାଖି ୨୦ ହଜାର ଫୁଟ ଉଚ୍ଚ ହୋଇଥିବା ବେଳେ ଅନ୍ୟଟି ୫୦ ହଜର ଫୁଟ ପର୍ଯ୍ୟନ୍ତ ପହଞ୍ଚିଛି। ବାୟୁମଣ୍ଡଳରେ ପାଉଁଶ ଭରିବା ଯୋଗୁ ଜାକାର୍ତ୍ତାର ସୋଏକାର୍ଣ୍ଣୋ-ହଟ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଛି। ଏହି ଆଗ୍ନେୟଗିରି ଜାଭା ଓ ସୁମାତ୍ରା ଦ୍ୱୀପ ମଧ୍ୟବର୍ତ୍ତି ସୁଣ୍ଡା ପ୍ରଣାଳୀରେ ରହିଛି। ଭୂ-ବୈଜ୍ଞାନିକ ସଂସ୍ଥାଙ୍କ ଅନୁସାରେ ଆଗ୍ନେୟଗିରିରେ ଗତ ଶୁକ୍ରବାରଠାରୁ ହଲଚଲ ଆରମ୍ଭ ହୋଇଥିଲା।

ରବିବାର ଭୋର ୩ଟା ୫୩ ମିନିଟରେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଥିଲା। ମନିଟରିଂ ପାଇଁ ଲଗାଯାଇଥିବା କ୍ୟାମେରାରେ ଲାଭାର ଚମକ୍ ମଧ୍ୟ ରେକର୍ଡ ହୋଇଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସକ୍ରିୟ ଗହ୍ୱରଠାରୁ ଅନୁନ୍ୟ ୩ କିଲୋମିଟର ଦୂରରେ ରହିବାକୁ ସତର୍କ କରିଛି। ଆଗ୍ନେୟଗିରି ବିସ୍ଫୋରଣ ପରେ ବାହାରି ଥିବା ପାଉଁଶ ଦୁଇ ଦିଗକୁ ବ୍ୟାପିଛି। ଏହାର ପ୍ରଭାବ ବ୍ୟାଣ୍ଟନ, ଲ୍ୟାମ୍ପୁଙ୍ଗ, ବେଙ୍ଗକୁଲୁ, ଦକ୍ଷିଣ ସୁଡା ଷ୍ଟ୍ରେଟ୍ ଓ ପଶ୍ଚିମରେ ହିନ୍ଦ ମହାସାଗର ପର୍ଯ୍ୟନ୍ତ ଦେଖାଯାଇଛି।

ବାୟୁମଣ୍ଡଳରେ ପାଉଁଶ ଭରିଯିବା ଯୋଗୁ ବିପଦକୁ ନଜରରେ ରଖି ସୋଏକର୍ଣ୍ଣ-ହଟ୍ଟା ଏୟାରପୋର୍ଟକୁ ଭୋର୫ଟା ୩୦ ମିନିଟ୍ ରୁ ସକାଳ ସାଢେ ୯ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ବିମାନ ବନ୍ଦର ଅସ୍ଥାୟୀ ବନ୍ଦ କାରଣରୁ ୨୦୯ଟି ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏଥିରେ ଅନ୍ତର୍ଜାତୀୟ ଉଡାଣରେ ସିଙ୍ଗାପୁର ଫ୍ଲାଇଟ୍ ଗୁଡିକ ଉପରେ ଅଧିକ ପ୍ରଭାବ ପଡିଛି। ହଂକଂ, ସିଡନୀ, ଆମଷ୍ଟାରଡମ, ସିଓଲ, ଦୋହା ଓ କୁଆଲାଲମ୍ପୁର ଉଡାଣ ପ୍ରଭାବିତ ହୋଇଛି। ରାତିରେ ଏୟାରପୋର୍ଟ ହ୍ୟାଙ୍ଗରରେ ଥିବା ୧୭୦ ବିମାନ ସକାଳେ ଉଡାଣ କରିପାରିନାହାନ୍ତି।

ବେସାମରିକ ବିମାନ ଚଳାଚଳ ବିଭାଗ ବିଭିନ୍ନ ଏୟାରଲାଇନ୍ସ, ଏୟାରପୋର୍ଟ ସଞ୍ଚାଳକ, ନେଭିଗେସନ ସେବା ଓ ପାଣିପାଗ ବିଭାଗ ସହିତ ପରିସ୍ଥିତି ଉପରେ ନଜର ରଖି ରହିଛି। ଯାତ୍ରୀଙ୍କୁ ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ସେମାନଙ୍କ ଫ୍ଲାଇଟ୍ ଷ୍ଟାଟସ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। କ୍ରାକାଟୋଆ ଚେତାବନୀ ୪ଟି ସ୍ତରରୁ ଏବେ ଦ୍ୱିତୀୟ ସବୁଠୁ ଉଚ୍ଚସ୍ତରରେ ରହିଛି। ୨୦୧୮ ମସିହାରେ ଏଥିରେ ବିସ୍ଫୋରଣ ପରେ ସୁନାମୀ ଆସିଥିଲା। ଫଳରେ ଜାଭା ଓ ସୁମାତ୍ରାରେ ୪୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।