• ଇଣ୍ଡିଗୋ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣରେ ସଂଶୋଧିତ ଇନ୍ଧନ ଶୁଳ୍କ ଲଗାଇବା ଆରମ୍ଭ କରିବ
  • ଏହା ୨୭୫ଟଙ୍କାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ
  • ଗତ ମାସରେ ଏଟିଏଫ ମୂଲ୍ୟ ଦୁଇଗୁଣାରୁ ଅଧିକ ହୋଇଯାଇଛି

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଏୟାରଲାଇନ ଇଣ୍ଡିଗୋ ବୁଧବାର କହିଛି ଯେ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ ଏପ୍ରିଲ ୨ ତାରିଖରୁ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣରେ ୨୭୫ଟଙ୍କାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସଂଶୋଧିତ ଇନ୍ଧନ ଶୁଳ୍କ ଲଗାଇବା ଆରମ୍ଭ କରିବ। ଇନ୍ଧନ ଶୁଳ୍କରେ ଏହି ବୃଦ୍ଧି ଯୋଗୁ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ଲାଗି ବିମାନ ଭଡ଼ା ବଢିବା ପ୍ରାୟ ନିଶ୍ଚିତ ହୋଇଯାଇଛି। ଏୟାରଲାଇନର ଏହି ଘୋଷଣା ସେହି ଦିନ ଆସିଛି ଯେଉଁଦିନ ବିମାନ ଇନ୍ଧନ (ଏଟିଏଫ) ମୂଲ୍ୟ ସଂଶୋଧନ ହୋଇଛି  । ଏଥିରେ ସରକାର ଘରୋଇ ଉଡାଣ ନିମନ୍ତେ ୨୫%ର ଆଂଶିକ ମୂଲ୍ୟବୃଦ୍ଧିକୁ ସ୍ୱୀକୃତି ଦେଇଛନ୍ତି।

ପଶ୍ଚିମ ଏସିୟା ସଂକଟ ଯୋଗୁ ଇନ୍ଧନର ମୂଲ୍ୟ ବୃଦ୍ଧି  କାରଣରୁ ଏୟାରଲାଇନ ମାର୍ଚ୍ଚ ୧୪ ତାରିଖରୁ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ଟିକେଟରେ ୪୨୫ ଟଙ୍କାରୁ ଆରମ୍ଭ କରି ୨,୩୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ ଶୁଳ୍କ ଅସୁଲ କରି ଆସୁଛନ୍ତି। ଘରୋଇ ଉଡାଣ ନିମନ୍ତେ ଦୂରତା ଅନୁସାରେ ସଂଶୋଧିତ ଇନ୍ଧନ ଶୁଳ୍କ ୨୭୫ ଟଙ୍କାରୁ ୯୫୦ ଟଙ୍କା ମଧ୍ୟରେ ରହିବ। ଇଣ୍ଡିଗୋ ଏକ ବୟାନରେ କହିଛି ଯେ ଅଲଗା ଅଲଗା ଯାତ୍ରା ଦୂରତା ଅନୁସାରେ ନିଜର ଘରୋଇ ଇନ୍ଧନ ଶୁଳ୍କକୁ ପୁଣି ଥରେ ନିର୍ଦ୍ଧାରଣ କରିଛି। ଏଥିରେ ଅନ୍ତର୍ଜାତୀୟ ଉଡାଣ ନିମନ୍ତେ ଦୂରତା ଅନୁସାରେ ୯୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ।

ବୟାନରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ପରିଚାଳନା ନିମନ୍ତେ ଗତ ମାସରେ ଏଟିଏଫ ମୂଲ୍ୟ ଦୁଇଗୁଣାରୁ ଅଧିକ ହୋଇଯାଇଛି। ଏଣୁ ଏହି ସବୁ ମାର୍ଗରେ ଏୟାରଲାଇନର ପରିଚାଳନା ବ୍ୟୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡୁଛି। ଇଣ୍ଡିଗୋର ସଂଶୋଧିତ ଶୁଳ୍କ ୧ ଏପ୍ରିଲ ମଧ୍ୟରାତ୍ରରୁ ଲାଗୁ ହେବ। ତେବେ ଏହା ପୂର୍ବରୁ ବିମାନ କମ୍ପାନୀମାନେ ଯାତ୍ରୀଙ୍କ ଠାରୁ ଇନ୍ଧନ ସରଚାର୍ଜ ଅସୁଲ କରୁଥିଲେ। ହେଲେ ଏହା ଦ୍ୱାରା ଏୟାରଲାଇନଙ୍କ କ୍ଷତି ଭରଣା ହୋଇ ନ ପାରିବାରୁ ଏବେ ଏଥିରେ ସଂଶୋଧନ କରି ଟିକେଟ୍ ମୂଲ୍ୟସହ ମିସାଇ ଦେଇଛନ୍ତି।

Also Read..
ଗୋଟିଏ ଦିନରେ ରୂପା ୯ ହଜାର ଓ ସୁନା ୩,୫୦୦ ଟଙ୍କା ମହଙ୍ଗା