ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଦେଶରେ ଭାରତୀୟ ମୁଦ୍ରା ଟଙ୍କା ବା ରୁପିର ମୂଲ୍ୟ ହ୍ରାସ ପ୍ରସଙ୍ଗ ବେସ୍ ଚର୍ଚ୍ଚାରେ ରହିଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ଚିନ୍ତାଜନକ ଭାବେ ହ୍ରାସ ପାଉଛି। ଗୋଟିଏ ପଟେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ପ୍ରୟାସ କରୁଥିବା ବେଳେ ଡଲାର ତୁଳନାରେ ଟଙ୍କାର ଏଭଳି ଦୁର୍ବଳତା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେଶର ଅର୍ଥନୀତି ପାଇଁ ସୃଷ୍ଟି ହୋଇଥିବା ଏହି ସଂକଟକୁ ନେଇ ଆଜିର ଆଲଚୋନା। ଆଜି ଆମେ ଏହି ରିପୋର୍ଟରେ କେବଳ ଟଙ୍କାର ଅବମୂଲ୍ୟାୟନ ନୁହେଁ, ବରଂ ଏହା ପଛରେ ଥିବା କାରଣ, ଭାରତର ପଡ଼ୋଶୀ ଦେଶମାନଙ୍କ ସହ ତୁଳନା ଏବଂ ସାଧାରଣ ନାଗରିକଙ୍କ ଉପରେ ଏହାର ପଡ଼ୁଥିବା ପ୍ରଭାବ ଉପରେ ସବିଶେଷ ଆଲୋଚନା କରିବା। ନମସ୍କାର ମୁଁ ଅବିନାଶ, ବିଜନେଶ ବିଶେଷରେ ଦେଖିବା-ଖସୁଛି ଟଙ୍କା ବଢ଼ୁଛି ଚିନ୍ତା।

ଆମେରିକା-ଇରାନ ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତି ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଛି। ୟୁରୋପ ଠାରୁ ଆରମ୍ଭ କରି ଏସିଆ ଓ ଆଫ୍ରିକୀୟ ଦେଶ ସମସ୍ତଙ୍କ ଉପରେ ପଡ଼ିଛି ପଶ୍ଚିମ ଏସିଆ ସଂକଟର ପ୍ରଭାବ। ଆମେରିକାରେ ମଧ୍ୟ ମହଙ୍ଗା ସ୍ଥିତି ସୃଷ୍ଟି ହୋଇଛି। ତେବେ ଭାରତ, ପାକିସ୍ତାନ, ବାଂଲାଦେଶ,ଶ୍ରୀଲଙ୍କା, ଇଣ୍ଡୋନେସିଆ ଭଳି ପେଟ୍ରୋଲିୟମ ଉତ୍ପାଦନ ଉପରେ ବହୁମାତ୍ରାରେ ନିର୍ଭର ରହୁଥିବା ଦେଶଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ଏସବୁ ଭିତରେ ଆମେରକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟା ହ୍ରାସ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଟଙ୍କା ମୂଲ୍ୟ ହ୍ରାସ ପାଇବାରୁ ଆମଦାନୀ ବିଲ୍ ଭାରତ ପାଇଁ ଚିନ୍ତା ବଢ଼ାଇଲାଣି। ଏସବୁ ସ୍ଥିତିରେ ଆସନ୍ତୁ ଟିକେ ଟଙ୍କାର ଅତୀତର ଅବମୂଲ୍ୟାୟନ ଉପରେ ନଜର ପକାଇ ନେବା।

Also Read- ସାବଧାନ! ବଜାରରେ ବଢୁଛି ଜାଲ୍ ନୋଟ୍: ୨୦୨୬ରେ ୨୦.୫% ବଢିଛି ୫୦୦ ଟଙ୍କିଆ ଜାଲ୍ ନୋଟ୍, ୨୦ ଟଙ୍କିଆ ନୋଟ୍ ବି ନକଲି !

୨୦୧୪ ମେ ୨୬ ତାରିଖ। ଭାରତୀୟ ରାଜନୀତିରେ ଏକ ନୂଆ ଯୁଗ ଆରମ୍ଭ ହେଲା। ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ସେତେବେଳେ ଗୋଟିଏ ଆମେରିକୀୟ ଡଲାର ପାଇଁ ଭାରତକୁ ମାତ୍ର ୫୯.୯୪ ଟଙ୍କା ଦେବାକୁ ପଡ଼ୁଥିଲା। ତେବେ ସମୟ ବଦଳିଲା। ୨୦୧୯ ମେ ୩୦ ତାରିଖରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ବେଳକୁ ଟଙ୍କାର ମୂଲ୍ୟ ୧୭ ପ୍ରତିଶତ ହ୍ରାସ ପାଇ ୬୯.୩୭ରେ ପହଞ୍ଚିଥିଲା। ପୁଣି ୨୦୨୪ ଜୁନରେ ଯେତେବେଳେ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହେଲା, ସେତେବେଳେ ଟଙ୍କା ୮୩.୩୮ର ନିମ୍ନ ସ୍ତରକୁ ଖସି ଆସିଥିଲା।

୨୦୨୬ ମେ ମାସ ୩୦ ତାରିଖ ସୁଦ୍ଧା ଗୋଟିଏ ଡଲାର ମୂଲ୍ୟ ୯୪.୯୯ ଟଙ୍କାରେ ପହଞ୍ଚିଛି। ଏହି କିଚି ଦିନ ତଳେ ଏହା ୯୭ ଟଙ୍କା ପାଖାପାଖି ପହଞ୍ଚି ଯାଇଥିଲା। ଗତ ଦୁଇ ବର୍ଷରେ ଟଙ୍କା ମୂଲ୍ୟରେ ୧୪.୭୫ ପ୍ରତିଶତର ହ୍ରାସ ନିଶ୍ଚିତ ଭାବେ ଚିନ୍ତାଜନକ। ବିବିସିର ଏକ ରିପୋର୍ଟ ଅନୁସାରେ, ୨୦୧୪ ପର ଠାରୁ ଏପର୍ଯ୍ୟନ୍ତ ମୋଟ ୧୨ ବର୍ଷରେ ଟଙ୍କାର ମୂଲ୍ୟରେ ୬୨.୩୩ ପ୍ରତିଶତର ହ୍ରାସ ପାଇଲାଣି।

ତେବେ କେବଳ ମୋଦୀ ସରକାରଙ୍କ ସମୟରେ ଟଙ୍କା ମୂଲ୍ୟରେ ହ୍ରାସ ଘଟିଛି ତାହା ନୁହେଁ, ପୂର୍ବ ସରକାରଗୁଡ଼ିକରେ ମଧ୍ୟ ଟଙ୍କା ମୂଲ୍ୟ ହ୍ରାସ ପାଇବାର ଏହି ଧାରା ଜାରି ରହିଥିଲା। ମନମୋହନ ସିଂହଙ୍କ ୧୦ ବର୍ଷର କାର୍ଯ୍ୟକାଳ (୨୦୦୪-୨୦୧୪) ସମୟରେ ମଧ୍ୟ ଟଙ୍କାର ମୂଲ୍ୟ ୩୧.୬୫ ପ୍ରତିଶତ ହ୍ରାସ ପାଇଥିଲା।

୨୨ ମେ ୨୦୦୪ ରେ ଯେତେବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଲେ ସେତେବେଳେ ଗୋଟିଏ ଡଲାର ପାଇଁ ୪୫.୩୧ ଟଙ୍କା ଦେବାକୁ ପଡୁଥିଲା । ଯେତେବେଳେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାକାଳ ଶେଷ ହେଲା ଅର୍ଥାତ୍ ୨୦୧୪ ମେ ବେଳକୁ ଗୋଟିଏ ଡଲାର ମୂଲ୍ୟ ପ୍ରାୟ ୫୮ ରୁ ୬୦ ଟଙ୍କାରେ ପହଞ୍ଚିଥିଲା। ମନମୋହନ ସିଂହଙ୍କ ସମୟରେ ଟଙ୍କା ମୂଲ୍ୟ ୩୧.୬୫ ପ୍ରତିଶତ ହ୍ରାସ ପାଇଥିଲା। ତେବେ ସେତେବେଳେର ସ୍ଥିତି ଓ ଆଜିର ସ୍ଥିତି ମଧ୍ୟରେ ଅନେକ ଫରକ ରହିଛି। ଆଜି ଭାରତ ସମ୍ମୃଦ୍ଧି ପଥରେ ଆଗକୁ ବଢ଼ୁଥିବା ବେଳେ ଟଙ୍କାର ମୂଲ୍ୟ ହ୍ରାସ ହେବା ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବର୍ତ୍ତମାନ, ଭାରତୀୟ ଟଙ୍କାର ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଭାରତୀୟ ମୁଦ୍ରା ଅନ୍ୟ ପଡ଼ୋଶୀ ଦେଶର ମୁଦ୍ରା ତୁଳନାରେ ମଜଭୁତ ସ୍ଥିତିରେ କାରବାର କରୁଥାନ୍ତା, ହୁଏତ ଏ ପ୍ରଶ୍ନ ଉଠି ନଥାନ୍ତା। ହେଲେ ଏପରି ସ୍ଥିତି ନାହିଁ। ଅନ୍ୟ ଏସୀୟ ଦେଶଗୁଡ଼ିକ ଅପେକ୍ଷା ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ହେବା ଅର୍ଥନୀତିଜ୍ଞଙ୍କୁ ଚିନ୍ତାରେ ପକାଇଲାଣି।

ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ହେବା ଏବେ ଅର୍ଥନୀତିଜ୍ଞଙ୍କୁ ଚିନ୍ତାରେ ପକାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଦିନେ ମୋଦିଙ୍କ ଅର୍ଥିକ ନୀତିର ପ୍ରଶଂସକ ସାଜିଥିବା ଅର୍ଥନୀତିଜ୍ଞା ସୁରଜିତ ଭଲ୍ଲା ଟଙ୍କାର ଏ ଦୁର୍ଗତି ନେଇ ପ୍ରଶ୍ନ ଉଠାଇଛନ୍ତି। ଯଦି ଅର୍ଥନୀତି ବୃଦ୍ଧି ପାଉଛି, ତେବେ ଟଙ୍କା କାହିଁକି ହ୍ରାସ ପାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି?

ସୁରଜିତ ଭଲ୍ଲା ହୁଅନ୍ତୁ କିମ୍ବା ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ, ଉଭୟ ଏକ କଥାରେ ସହମତ ଯେ, ଭାରତର ଅର୍ଥନୀତି ଦ୍ରୁତ ବଢ଼ୁଥିବା ସତ୍ତ୍ୱେ ଟଙ୍କା କାହିଁକି ଦୁର୍ବଳ ହେଉଛି? ସାଧାରଣତଃ ଅର୍ଥଶାସ୍ତ୍ରର ନିୟମ କହେ ଯେ ଦେଶର ଅଭିବୃଦ୍ଧି ହାର ଅଧିକ ହେଲେ ମୁଦ୍ରା ମଜବୁତ ହେବା କଥା। ହେଲେ ଭାରତ ସରକାର ଅର୍ଥନୀତି ସବଳ ଥିବା ଦାବି କରୁଥିବା ବେଳେ ମୁଦ୍ରା ମୂଲ୍ୟ କାହିଁକି ଖସୁଛି

ଯଦି ତଥ୍ୟ ଦେଖିବା ତେବେ ଗତ କିଛି ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଚୀନ୍ ଠାରୁ ବି ଭଲ ସ୍ଥିତିରେ ରହିଥିଲା। କିନ୍ତୁ ଏହା ସତ୍ତ୍ୱେ, ଗତ କିଛି ବର୍ଷ ମଧ୍ୟରେ ଟଙ୍କା ବର୍ଷକୁ ବର୍ଷ ଦୁର୍ବଳ ହୋଇଛି। ଗତବର୍ଷ ଟଙ୍କା ମୂଲ୍ୟ ସେତେବେଳେ ତୀବ୍ର ବେଗରେ ତଳକୁ ଖସିଥିଲା, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ବଡ଼ ଶୁଳ୍କ ଲଗାଇଥିଲେ। ଏହାପରେ ଇରାନ ଯୁଦ୍ଧ ପରେ ଇନ୍ଧନ ସଂକଟ ଟଙ୍କାଙ୍କୁ ଲଗାତର ଦୁର୍ବଳ କରି ସର୍ବନିମ୍ନ ସ୍ଥିତିକୁ ନେଇଯାଇଛି। ତେଣୁ ଏଥିପାଇଁ କେବଳ ଇରାନ ଯୁଦ୍ଧ କିମ୍ବା ତୈଳ ସଙ୍କଟକୁ ଦାୟୀ କରାଯାଇପାରିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଯୋଗୁ ଭାରତୀୟ ସାମଗ୍ରୀ ଉପରେ ଲଗାଯାଇଥିବା ଆମଦାନୀ ଶୁଳ୍କ ଏବଂ ବିଶ୍ୱ ବଜାରରେ ବଦଳୁଥିବା ସମୀକରଣ ମଧ୍ୟ ଦାୟୀ।

Also Read- PLI 2.0 Mobiles: ଭାରତରେ ତିଆରି ହେବ ମୋବାଇଲ ଫୋନ ପାର୍ଟସ୍; ଆମଦାନୀ କମ କରିବାକୁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା

ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୂର୍ବତନ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ସମାନ ମତ ରଖନ୍ତି। ନିକଟରେ ସେ ଇଣ୍ଡିଆନ ଏକ୍ସପ୍ରେସ୍ରେ ଏକ ଆର୍ଟିକିଲ ଲେଖି ଏହି ପ୍ରଶ୍ନ ଉଠଇଥିଲେ। ଏଥିରେ ସେ ଲେଖିଥିଲେ " ଯୁଦ୍ଧ ପୂର୍ବର ଦୁଇ-ତିନି ବର୍ଷରେ ତୁର୍କୀକୁ ଛାଡ଼ି ଦେଲେ ବୋଧହୁଏ ଅନ୍ୟ କୌଣସି ଦେଶର ମୁଦ୍ରାରେ ଏତେ ଖସି ନାହିଁ, ଯେତିକି ଭାରତୀୟ ମୁଦ୍ରା ଖସିଛି। ୨୦୨୨ ରୁ ଫେବୃଆରୀ ୨୦୨୬ ମଧ୍ୟରେ ଭାରତୀୟ ଟଙ୍କା ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏଭଳି ପରିସ୍ଥିତି ତୁର୍କୀ ବ୍ୟତୀତ ଆଉ କୌଣସି ଦେଶରେ ଦେଖିବାକୁ ମିଳିନାହିଁ।" ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ଆରମ୍ଭରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କାର ମୂଲ୍ୟ ବୃଦ୍ଧି ପାଇଁ ଆକ୍ରମଣାତ୍ମକ ପଦକ୍ଷେପ ନେଇଥିଲା। ତଥାପି, ଏହି ପଦକ୍ଷେପଗୁଡ଼ିକ କେବଳ ସଂକ୍ଷିପ୍ତ ଆଶ୍ୱସ୍ତି ପ୍ରଦାନ କରିଥିଲା ତେବେ ଦେଶରୁ ଡଲାର ପ୍ରବାହକୁ ରୋକିପାରି ନଥିଲା।

ଇରାନ ଯୁଦ୍ଧର ପ୍ରଭାବ ଅନ୍ୟ ଏସୀୟ ଦେଶଗୁଡ଼ିକ ଉପରେ ବି ପଡ଼ିଛି। ହେଲେ ଏହି ସଂକଟ ସମୟରେ ଯେତିକି ଭାରତୀୟ ମୁଦ୍ରା ଦୁର୍ବଳ ହୋଇଛି ସେତିକି ହୁଏତ ଅନ୍ୟ ଏସୀୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହୋଇ ନାହିଁ। ଚୀନ, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର, ପାକିସ୍ତାନ ଆଦି ଦେଶଗୁଡ଼ିକର ମୁଦ୍ରା ଅପେକ୍ଷାକୃତ ସ୍ଥିର ରହିଛି।  ଆସନ୍ତୁ ଆମର ପଡ଼ୋଶୀ ଦେଶମାନଙ୍କ ଉପରେ ମୁଦ୍ରା ସ୍ଥିତି ବିଷୟରେ ଦେଖିବା।

ମାଲେସିଆ: ଏହାର ମୁଦ୍ରା ରିଙ୍ଗିଟ୍ (Ringgit) ଗତ ବର୍ଷ ୯.୨୫ ପ୍ରତିଶତ ମଜବୁତ ହୋଇଛି। ଅନ୍ୟପଟେ ଏହି ବର୍ଷ ଭାରତୀୟ ମୁଦ୍ରା ୪.୪୦% ଦୁର୍ବଳ ହୋଇଥିଲା। ମାଲେସିଆ ମୁଦ୍ରା ଗତ ୭ ବର୍ଷରେ ସବୁଠାରୁ ମଜଭୁତ ସ୍ଥିତିରେ ପହଞ୍ଚିଛି। ଯଦିଓ ୨୦୨୫ରେ ରିଙ୍ଗିଟ ମୂଲ୍ୟରେ ୪. ୫୦ ପ୍ରତିଶତ ହ୍ରାସ ପାଇଥିଲା ତେବେ ଏହାପର ଠାରୁ ଏହି ମୁଦ୍ରା ମୂଲ୍ୟ ମଜଭୁତ ହୋଇଛି। କରେଣ୍ଟ ଆକାଉଣ୍ଟ ସରପ୍ଲସ୍ ଏବଂ ଶକ୍ତିଶାଳୀ ରପ୍ତାନି ଯୋଗୁ ମାଲେସିଆ ଆଜି ଦକ୍ଷିଣ-ପୂର୍ବ ଏସିଆର ଚାମ୍ପିଅନ। ଜୁଲାଇ-ଅକ୍ଟୋବର ୨୦୨୫ ମଧ୍ୟରେ ସେମାନଙ୍କର ବିଦେଶୀ ନିବେଶ ୮.୫ ଅରବ ରିଙ୍ଗିଟରେ ପହଞ୍ଚିଛି। ନିକ୍କେଇ ଏସିଆ ଏହାର ରିପୋର୍ଟ ଅନୁସାରେ ମାଲେସିଆର କରେଣ୍ଟ ଆକାଉଣ୍ଟ୍ ସରପ୍ଲସ୍, ଦୃଢ଼ ଘରୋଇ ଅର୍ଥନୀତି ଏବଂ 2025 ମସିହାରେ 4.9 ପ୍ରତିଶତ GDP ଅଭିବୃଦ୍ଧି ହାର ଭଳି ମୌଳିକ ଆର୍ଥିକ କାରଣ ଯୋଗୁ ହୋଇଛି। ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ସ୍ଥାନୀୟ ମୁଦ୍ରାର ଚାହିଦାକୁ ଦୃଢ଼ କରିଛି।

ଥାଇଲାଣ୍ଡ: ସେହିପରି ଥାଇଲାଣ୍ଡର କରେନ୍ସି ବାଟ୍ ମଧ୍ୟ ଜାନୁଆରୀରେ ପ୍ରତି ଡଲାର ୩୧ରୁ ତଳକୁ ଖସି ଆସିଥିଲା। ଫଳରେ ବର୍ଷକ ତୁଳନାରେ ଥାଇବାଟ ୧୦% ବୃଦ୍ଧି ହୋଇଥିଲା। ଥାଇଲାଣ୍ଡର ରପ୍ତାନି ବୃଦ୍ଧି, ବିଶେଷକରି ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ, ସେମାନଙ୍କ ଅର୍ଥନୀତିକୁ ସୁରକ୍ଷିତ ରଖିଥିଲା।

ଚୀନ୍: ସେପଟେ ଚୀନ ମୁଦ୍ରା ରେନମିନବି (ୟୁଆନ୍) ଡଲାର ତୁଳନାରେ ତିନି ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମାନେ ସେମାନଙ୍କର କୌଶଳ ବଳରେ ବିଶ୍ୱ ବଜାରକୁ ନିୟନ୍ତ୍ରଣ କରୁଛନ୍ତି। ଚୀନକୁ ବିଶ୍ୱର ଫ୍ୟାକ୍ଟ୍ରି କୁହାଯାଉଥିବାରୁ ଟ୍ରେଡ୍ ସରପ୍ଲସ ସହ ଅନ୍ୟନ୍ୟାୟ ନୀତିରେ ୟୁଆଇନକୁ ମଜଭୁତ ରଖିପାରିଛି।

ସିଙ୍ଗାପୁର: ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ସିଙ୍ଗାପୁର ଅର୍ଥନୀତିକୁ ପୁଣି ଥରେ ଉଚ୍ଚ ସ୍ଥାନକୁ ନେଇ ଯାଇଛି। ଏପ୍ରିଲରେ ସେମାନଙ୍କର ରପ୍ତାନି ୨୪.୫ ପ୍ରତିଶତ ବଢ଼ିଛି, ଯାହା ଗତ ଏକ ଦଶନ୍ଧିର ସର୍ବୋଚ୍ଚ।

ପାକିସ୍ତାନ: ଆଶ୍ଚର୍ଯ୍ୟଜନକ ଭାବେ ପାକିସ୍ତାନୀ ଟଙ୍କା ମଧ୍ୟ ସ୍ଥିର ରହିଛି। ରିପୋର୍ଟକୁ ଦେଖିଲେ ପାକିସ୍ତାନୀ ଟଙ୍କା ଗତ ୬ ମାସରେ ଆମେରିକୀୟ ଡଲାର ତୁଳନାରେ ୧.୩୧ ପ୍ରତିଶତ ମଜଭୁତ ହୋଇଛି। ହେଲେ ଏହି ଅବଧି ସମୟରେ ଭାରତୀୟ ଟଙ୍କା ଛଅ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ବର୍ତ୍ତମାନ ଗୋଟିଏ ଡଲାରର ମୂଲ୍ୟ ୨୭୮ ପାକିସ୍ତାନୀ ଟଙ୍କା ରହିଛି। ସାଉଦି ଆରବର ସହାୟତା ଏବଂ କରେଣ୍ଟ ଆକାଉଣ୍ଟରେ ସୁଧାର ଆସିବାରୁ ସେଠାରେ ଅସ୍ଥିରତା କମିଛି।

ଆଙ୍କର (୪) ଆମ ପଡ଼ୋଶୀ ଦେଶମାନଙ୍କର ଉଦାହରଣରୁ ଯାହା ଜଣାପଡ଼ୁଛି ଯେ ଯଦି ଭାରତ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନିଏ, ତେବେ ଟଙ୍କାର ଏହି ପତନକୁ ରୋକାଯାଇପାରିବ। ତେବେ ଟଙ୍କାର ମୂଲ୍ୟ ହ୍ରାସ ହେବା ଦ୍ୱାରା ଲୋକଙ୍କ ଉପରେ ଏହାର କି ପ୍ରଭାବ ପଡ଼ୁଛି ଆସନ୍ତୁ ଜାଣିବା।

(ଭିଓ ୪): ଟଙ୍କାର ଏହି ପତନ କେବଳ ସଂଖ୍ୟାରେ ସୀମିତ ନୁହେଁ। ଏହା ସାଧାରଣ ଲୋକଙ୍କ ରୋଷେଇ ଘର ପର୍ଯ୍ୟନ୍ତ ପ୍ରଭାବ ପକାଉଛି। ଭାରତ ବହୁ ପରିମାଣରେ ତୈଳ ଆମଦାନୀ କରେ। ଟଙ୍କା ଦୁର୍ବଳ ହେଲେ ତୈଳ ଆମଦାନୀ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ, ଯାହାର ସିଧା ପ୍ରଭାବ ପେଟ୍ରୋଲ-ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟରେ ପଡ଼େ। ଏହାବ୍ୟତୀତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ମୋବାଇଲ୍ ଫୋନ୍ ଏବଂ ଅନେକ ଆମଦାନୀ ହେଉଥିବା ଔଷଧର ଦାମ୍ ମଧ୍ୟ ବଢ଼ିଯାଏ।

ବିଦେଶୀ ନିବେଶକମାନେ ଆଜି ଭାରତୀୟ ଶେୟାର ବଜାରରୁ ଟଙ୍କା ଫେରାଇ ନେଉଛନ୍ତି। ମେ ଶେଷ ସୁଦ୍ଧା ୨୩ ଅରବ ଡଲାରର ସେୟାର ବିକ୍ରି ହେବା ଏକ ବଡ଼ ସଙ୍କେତ। ଯଦି ଆମର ଅର୍ଥନୀତିକୁ ଆମେ ବିଦେଶୀ ପୁଞ୍ଜି ପାଇଁ ଆକର୍ଷଣୀୟ କରି ରଖିବାକୁ ଚାହୁଁ, ତେବେ ମୁଦ୍ରାର ସ୍ଥିରତା ଅତ୍ୟନ୍ତ ଜରୁରୀ।

Also Read- ଗ୍ରୀସ, ସାଇପ୍ରସ ଓ ଆର୍ମେନିଆକୁ ବ୍ରହ୍ମୋସ ଓ ମିସାଇଲ ଦେଉଛି ଭାରତ! ଚିନ୍ତାରେ ତୁର୍କୀ

ତେବେ ଏହି ପତନର କିଛି ଅନ୍ୟ ଦିଗ ମଧ୍ୟ ଅଛି। ଟଙ୍କା ଦୁର୍ବଳ ହେଲେ ଭାରତୀୟ ସାମଗ୍ରୀ ବିଶ୍ୱ ବଜାରରେ ଶସ୍ତା ହୋଇଯାଏ, ଯାହା ରପ୍ତାନି କାରବାରକୁ ବଢ଼ାଇବାରେ ସାହାଯ୍ୟ କରେ। ବ୍ରିଟେନ୍ ଭଳି ଦେଶ ସହ ନୂଆ ବାଣିଜ୍ୟ ଚୁକ୍ତି କରିବା ପାଇଁ ଭାରତ ଚେଷ୍ଟା କରୁଛି, ଯେଉଁଠାରେ ଏହି ସୁବିଧା ମିଳିପାରେ। ସେହିପରି, ବିଦେଶରେ କାମ କରୁଥିବା ଭାରତୀୟମାନେ ଯେଉଁ ଟଙ୍କା ପଠାନ୍ତି, ସେଥିରେ ଭାରତୀୟ ପରିବାରକୁ ଅଧିକ ଅଧିକ ଲାଭ ମିଳିଥାଏ। ମାର୍ଚ୍ଚ ୨୦୨୫ ସୁଦ୍ଧା ଭାରତ ୧୩୫ ଅରବ ଡଲାରର ରେମିଟାନ୍ସ ପାଇଛି, ଯାହା ଆମର ଅର୍ଥନୀତିକୁ ବଡ଼ ସହାୟତା ପ୍ରଦାନ କରୁଛି।

ଟଙ୍କାର ଅବମୂଲ୍ୟାୟନ କେବଳ ସରକାରୀ ନୀତିର ଦୋଷ ନୁହେଁ, ଏହା ଏକ ବିଶ୍ୱବ୍ୟାପୀ ଆର୍ଥିକ ଖେଳ। ଟଙ୍କା ମୂଲ୍ୟ ହ୍ରାସକୁ ରୋକିବାକୁ ହେଲେ କେବଳ ଆର୍ଥିକ ସଂସ୍କାର ନୁହେଁ, ବରଂ ନିବେଶକଙ୍କ ଭରସା ବଜାୟ ରଖିବାକୁ ହେବ। ଦ୍ରୁତ ଶିଳ୍ପାୟନ ଓ ଟେକ୍ନୋଲୋଜୀ ଆପଣାଇ କିଭଳି ଦେଶର ଅର୍ଥନୀତିକୁ ସୁଦୃଢ଼ କରିହୁଏ ତାହା ଚୀନ, ମାଲେସିଆ ଥାଇଲାଣ୍ଡ ପରି ପଡ଼ୋଶୀଙ୍କ ଠାରୁ ଶିଖିବା ଉଚିତ। ଯଦି ଭାରତ ଚୀନ୍ କିମ୍ବା ସିଙ୍ଗାପୁର ଭଳି ଏଆଇ ଏବଂ ଉନ୍ନତ ଟେକ୍ନୋଲୋଜୀରେ ପୁଞ୍ଜି ନିବେଶ ବଢ଼ାଏ, ତେବେ ଖୁବ ଶୀଘ୍ର ଟଙ୍କାର ଅବନତି ରୋକି ହେବ। ଆଜି ପାଇଁ ଏତିକି। ଅଧିକ ଖବର ପାଇଁ ଭିଜିଟ କରନ୍ତୁ ଆମ ୱେବ୍ସାଇଟ୍ ପ୍ରମେୟ ନ୍ୟୁଜ-୭ ଡଟ କମ