କଣାସ ୨୪।୮: ପୁରୀ ଜିଲ୍ଲା କଣାସ ଥାନା ମନ୍ଦାରବସ୍ତା ଗାଁରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୁରୀ ପୋଲିସ । ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ଏକାଧିକ ଟିମ୍ ସିସିଟିଭି ଓ ବୈଷୟିକ ତଥ୍ୟ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋରଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଅଞ୍ଚଳର ରାଜକିଶୋର ସାହୁ, ସୁରେଶ ସାହୁ ଓ କେନ୍ଦ୍ରାପଡ଼ା ଭିତରବାମ୍ପୁ ଅଞ୍ଚଳର ସତ୍ୟବ୍ରତ ମଲ୍ଲିକ । ସେମାନଙ୍କ ଠାରୁ ୨ଟି ମୋବାଇଲ ଫୋନ୍, ହତ୍ୟାରେ ବ୍ୟବହୃତ ଛୁରି, ଗୋଟିଏ ବାଇକ୍ ଜବତ କରିଛି କଣାସ ପୋଲିସ ।

ଘରେ ପଡ଼ିଥିଲା ଅଧାପୋଡ଼ା ମୃତଦେହ

କଣାସ ମନ୍ଦାରବସ୍ତା ଅଞ୍ଚଳରେ ୬୧ ବର୍ଷୀୟ ପର୍ଶୁରାମ ପ୍ରଧାନ ଗାଁ ମୁଣ୍ଡରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ । ଘରେ ଦେବୀ ମନ୍ଦିର କରି ପୂଜା ସାଧନା କରୁଥିଲେ । ଏମିତି କି ଲୋକଙ୍କ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରଚାର କରିଥିଲେ । ଏହାର ଫାଇଦା ଉଠାଇ ଅନେକ ଲୋକଙ୍କ ଠାରୁ ଟଙ୍କା ମଧ୍ୟ ନେଇଥିଲେ ପର୍ଶୁରାମ । କିଛି ଦିନ ତଳେ ପର୍ଶୁରାମଙ୍କ ପତ୍ନୀ ପୁଅକୁ ଦେଖା କରିବା ପାଇଁ ଭୁବନେଶ୍ଵର ଯାଇଥିଲେ । ୧୨ ତାରିଖରେ ଫୋନ୍ କରିବାରୁ ପର୍ଶୁରାମଙ୍କ ଫୋନ୍ ବନ୍ଦ ଥିଲା । ୧୩ ତାରିଖ ମଧ୍ୟାହ୍ନରେ ଘରକୁ ଫେରି ଦେଖିଲା ବେଳକୁ ସ୍ବାମୀଙ୍କ ଅଧାପୋଡ଼ା ମୃତଦେହ ପଡ଼ିଥିଲା । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ହତ୍ୟା ମାମଲାରେ ପରିଣତ ହେଲା ।

ତାନ୍ତ୍ରିକ ଖେଳିଲା ଗେମ୍

ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ରାଜକିଶୋର ସାହୁ ଖୋରଧା ସଦର ବାଣିଆ ଟାଙ୍ଗିର ଜିଆଇଇଟି କଲେଜ ପାଖରେ ଫାଷ୍ଟ୍ ଫୁଡ୍ ଦୋକାନ କରେ । ତାର ସାନ ଭାଇ ସୁରେଶ ସାହୁ ଘରେ ରୁହେ । ଅନ୍ୟ ଭାଇ ରାକେଶ ସାହୁ ଡେଲାଙ୍ଗ ଅଞ୍ଚଳରେ ଟିଫିନ୍ ଦୋକାନ କରେ । ପିଉସୀ ପୁଅର ଶାଳୀ ସହ ରାକେଶର ପ୍ରେମ ସମ୍ପର୍କ ଥିଲା । ଯାହାକି ପରିବାରରେ ଅଶାନ୍ତି ସୃଷ୍ଟି କରିଥିଲା । ଏହି ପ୍ରେମ ସମ୍ପର୍କକୁ ଭାଙ୍ଗିବା ପାଇଁ ରାଜକିଶୋର ତାନ୍ତ୍ରିକ ଭାବେ ପର୍ଶୁରାମଙ୍କ ସହ ଯୋଗାଯୋଗ କରିଥିଲା । ରାଜକିଶୋର ପର୍ଶୁରାମକୁ ୧୯ ହଜାର ଟଙ୍କା ଦେଇ କହିଥିଲା ଯେ ତା' ଭାଇ ରାକେଶ ମନରେ ପିଉସୀ ପୁଅର ଶାଳୀ ପ୍ରତି ଘୃଣା ସୃଷ୍ଟି କର । ଏହାପରେ ପର୍ଶୁରାମ ଆଉ ଏକ ଖେଳ ଖେଳିଲେ । ସେ କହିଲେ, ରାଜକିଶୋରଙ୍କ ଜମିରେ ୧୭୦ ଗ୍ରାମର ସୁନା ଦୁର୍ଗାମୂର୍ତ୍ତି ପୋତା ହୋଇଛି, ଆଉ ସେଥି ସହ ସୁନା ଅଳଙ୍କାର ଭର୍ତ୍ତି ହାଣ୍ଡି ଅଛି । ଖୋଳିବା ପାଇଁ ଟଙ୍କା ମାଗିଲା । ଏହି ଲୋଭ ଦେଖାଇ ରାଜକିଶୋର ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ନେଇଗଲା ନା କାମ କଲା, ନା ଟଙ୍କା ଫେରାଇଲା । ଏହି ଟଙ୍କା ରାଜକିଶୋର ଓ ତା ଭାଇ ସୁରେଶ, ସାଙ୍ଗମାନଙ୍କ ଠାରୁ ଧାର କରି ଆଣିଥିଲେ ।

ପ୍ରମାଣ ନଷ୍ଟ ପାଇଁ ସିଲିଣ୍ଡର ଫଟାଇବାକୁ ଚେଷ୍ଟା

ଗତ ୧୧ ତାରିଖ ରାତି ସାଢ଼େ ୯ରୁ ୧୧ଟା ୫୦ ମଧ୍ୟରେ ରାଜକିଶୋର ତାର ସହଯୋଗୀ ସତ୍ୟବ୍ରତ ମଲ୍ଲିକ ବ୍ୟାଗରେ ଲଙ୍କା ଗୁଣ୍ଡ, ଅଧା ଲିଟର ପେଟ୍ରୋଲ ଓ ଧାରୁଆ ଛୁରି ନେଇ ପର୍ଶୁରାମ ନିକଟକୁ ବାହାରିଥିଲେ । ତା' ପରେ ତୃତୀୟ ଅଭିଯୁକ୍ତ ସୁରେଶ ସାହୁକୁ ଫୋନ୍ କରି ଡାକିଲେ ଓ ତାକୁ ବାଇକ୍ ଯୋଗେ ମନ୍ଦାରବସ୍ତା ନିକଟରେ ଛାଡିବାକୁ କହିଲେ । ଦୁହେଁ ପର୍ଶୁରାମଙ୍କ ଘରେ ପଶି ଟଙ୍କା ମାଗିଲେ ତାଙ୍କ ସହ ଯୁକ୍ତିତର୍କ ହେଲା । ରାଗରେ ରାଜକିଶୋର ଛୁରିରେ ପର୍ଶୁରାମଙ୍କ ପେଟକୁ ଭୁସିଦେଲା । ତା ପରେ ଗାମୁଛାରେ ହାତ, ଗୋଡ, ପାଟି ବାନ୍ଧି ପେଟ୍ରୋଲ ଢାଳି ଜିଅନ୍ତା ପୋଡ଼ିଦେଲେ । ଏହାକୁ ଦୁର୍ଘଟଣା ଜନିତ ନିଆଁ ବୋଲି ଦେଖାଇବାକୁ ଏବଂ ପ୍ରମାଣ ନଷ୍ଟ କରିବାକୁ ଗ୍ୟାସ୍ ସିଲିଣ୍ଡର ଫଟାଇବାକୁ ମଧ୍ୟ ଚେଷ୍ଟା କଲେ । ପରେ ସୁରେଶ ସାହାଯ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଗଲେ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା କଣାସ ଥାନା ପୋଲିସ ।

Watch Video: