ମୁମ୍ବାଇ : ବଲିଉଡର ବହୁଚର୍ଚ୍ଚିତ ଫିଲ୍ମ ‘ଡନ୍ 3’କୁ ନେଇ ବିବାଦ ଥମିବାର ନାଁ ନେଉନି । ଅଭିନେତା ରଣବୀର ସିଂହ ଓ ଫରହାନ ଅଖତରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ସଂଗଠନ IMPPA ପର୍ଯ୍ୟନ୍ତ ପହଞ୍ଚିଛି । ଆଉ ଏହି ମାମଲାରେ ରଣବୀରଙ୍କ ଟିମର କଡ଼ା ଆଭିମୁଖ୍ୟ ସାମ୍ନାକୁ ଆସିଛି । IMPPA ଯଦି ତାଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନିଏ, ତେବେ ଆଇନଗତ ପଦକ୍ଷେପ ନେବାକୁ ପଛକୁ ଘୁଞ୍ଚିବେ ନାହିଁ ବୋଲି ରଣବୀରଙ୍କ ଆଇନଜୀବୀମାନେ ଚେତାବନୀ ଦେଇଥିବା ରିପୋର୍ଟ ଆସିଛି ।

ସୂଚାନୁଯାୟୀ, ଫିଲ୍ମ ‘ଡନ୍ 3’ରୁ ରଣବୀର ସିଂହ ଓହରିଯିବା ପରେ ଫରହାନ ଅଖତର ଏବଂ ରିତେଶ ସିଧୱାନୀଙ୍କ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ତାଙ୍କ ବିରୋଧରେ ପ୍ରାୟ ୪୫ କୋଟି ଟଙ୍କାର କ୍ଷତିପୂରଣ ଦାବି ହୋଇଥିବା ରିପୋର୍ଟ ରହିଛି । ଏହି ମାମଲାକୁ ନେଇ ପ୍ରଯୋଜକମାନେ IMPPAର ଦ୍ୱାରସ୍ଥ ହୋଇଛନ୍ତି । ଏବେ ରଣବୀରଙ୍କ ପକ୍ଷରୁ ମଧ୍ୟ ଜୋରଦାର ଜବାବ ଦିଆଯାଇଛି । ଅଗଷ୍ଟ ୧୮ରେ ହୋଇଥିବା IMPPA ବୈଠକରେ ରଣବୀରଙ୍କ ଆଇନଜୀବୀ ଏକ ଚିଠି ଦାଖଲ କରିଥିବା ରିପୋର୍ଟ ଆସିଛି । ଏଥିରେ IMPPAର ଏହି ବିବାଦ ଉପରେ ନିଷ୍ପତ୍ତି ନେବାର ଅଧିକାର ନେଇ ପ୍ରଶ୍ନ ଉଠାଯାଇଛି । ଏହାସହ ରଣବୀରଙ୍କ ବିରୋଧରେ କୌଣସି ନିଷ୍ପତ୍ତି ହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଥିବା କୁହାଯାଉଛି ।

ଏହା ପୂର୍ବରୁ ମଧ୍ୟ ଏହି ବିବାଦରେ ରଣବୀରଙ୍କ ବିରୋଧରେ FWICE ପକ୍ଷରୁ ନନ୍-କୋଅପରେସନ୍ ଡାଇରେକ୍ଟିଭ୍ ଜାରି ହୋଇଥିଲା । ତେବେ ରଣବୀରଙ୍କ ପକ୍ଷରୁ ଆଇନଗତ ନୋଟିସ୍ ପରେ IMPPA, Producers Guild ଏବଂ CINTAAର ହସ୍ତକ୍ଷେପରେ ସେହି ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇଥିଲା । କିନ୍ତୁ ଏବେ ବିବାଦରେ ଆଉ ଏକ ବଡ଼ ମୋଡ଼ ଆସିଛି । ରଣବୀରଙ୍କ ବାପା ଜଗଜିତ ସିଂହ ଭବନାନୀ ମଧ୍ୟ ପୁଅଙ୍କ ପକ୍ଷ ନେଇ IMPPAରେ ଆବେଦନ କରିଛନ୍ତି । ଫରହାନଙ୍କ ପକ୍ଷରୁ ଦାବି କରାଯାଇଥିବା ୪୫ କୋଟି ଟଙ୍କାର କ୍ଷତିପୂରଣକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି ।

ତେବେ ‘ଡନ୍ 3’ରୁ ରଣବୀର କାହିଁକି ଓହରିଲେ, ଏହାଦ୍ୱାରା ପ୍ରଯୋଜକଙ୍କ କେତେ କ୍ଷତି ହୋଇଛି ଏବଂ ୪୫ କୋଟି ଟଙ୍କା ଦାବିର ଆଇନଗତ ସ୍ଥିତି କ’ଣ ରହିବ ? IMPPA ଏହି ବିବାଦରେ କେଉଁ ନିଷ୍ପତ୍ତି ନେବ, ତାହା ହିଁ ଆଗାମୀ ଦିନରେ ସବୁଠାରୁ ବଡ଼ ପ୍ରଶ୍ନ । ‘ଡନ୍ 3’ ବିବାଦ ଏବେ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନାହିଁ ଏହା ବଲିଉଡ୍ର ଆଇନଗତ ଓ ଶିଳ୍ପ ସଂଗଠନ ମଧ୍ୟରେ ଏକ ବଡ଼ ବିବାଦର ରୂପ ନେଇଛି ।