PLI 2.0 Mobiles: ଭାରତରେ ଯେଉଁ ମୋବାଇଲ ଫୋନ ତିଆରି କରାଯାଉଛି ବୋଲି କୁହାଯାଉଛି ପ୍ରକୃତରେ ତାହା ତିଆରି କରାଯାଉ ନାହିଁ, ବରଂ ଆସେମ୍ବଲ(ପାର୍ଟସ୍-ପାର୍ଟସ୍ ଯୋଡ଼ି ତିଆରି କରିବ) କରାଯାଉଛି। ହେଲେ ଏଭଳି ଅଭିଯୋଗ ଆଣୁ ଶୁଣିବାକୁ ମିଳିବନି। ଏବେ ଭାରତରେ ହିଁ ତିଆରି ହେବ ସ୍ମାର୍ଟଫୋନ। କେନ୍ଦ୍ର ସରକାର ଏନେଇ ଯୋଜନା ଆରମ୍ଭ କରିଛନ୍ତି।

ପ୍ରକୃତରେ ସ୍ମାର୍ଟଫୋନ ତିଆରି କରିବା ପାଇଁ ଏହାର ପାର୍ଟ ସବୁ ବିଦେଶରୁ ଆସୁଥିଲା। ଭାରତରେ ଏହାକୁ ଯୋଡ଼ାଯାଇ ତିଆରି କରାଯାଉଥିଲା। ହେଲେ ଏବେ ମୋବାଇଲଫୋନ ପାର୍ଟ ଭାରତରେ ତିଆରି କରାଯିବ। ମେଡ୍ ଇନ ଇଣ୍ଡିଆ ଫୋନ୍ ଆଉ ଆସେମ୍ବଲ ଇନ ଇଣ୍ଡିଆ ନ ହୋଇ ପ୍ରକୃତ ପରିଚୟ ପାଇବ। ଏଥିପାଇଁ କେନ୍ଦ୍ର ସରକାର PLI (Production Linked Incentive) ଯୋଜନାର ଏକ ନୂଆ ଭର୍ଜନ, ଅର୍ଥାତ୍ PLI 2.0 ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଭାରତରେ ଯଥାସମ୍ଭବ ଅଧିକରୁ ଅଧିକ ମୋବାଇଲ ଫୋନ୍ ପାର୍ଟସ୍ ତିଆରି କରିବା, ଯାହା ଦ୍ଵାରା ବିଦେଶୀ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ନୂଆ ଯୋଜନାରେ ଅତି କମରେ ୫୫% ମୋବାଇଲ ଫୋନ୍ ପାର୍ଟସ୍ ଯେମିତି -ଡିସପ୍ଲେ ଆସେମ୍ବଲି, କ୍ୟାମେରା ମଡ୍ୟୁଲ୍ ଏବଂ ଚିପସେଟ୍ ଆଦି ଭାରତରେ ତିଆରି ହେବ ସେ ନେଇ ସରକାର ଜୋର ଦେଇଛନ୍ତି। ବର୍ତ୍ତମାନ କେବଳ ୧୮-୨୦% ମୋବାଇଲଫୋନ୍ ପାର୍ଟ ଭାରତରେ ତିଆରି କରାଯାଉଛି।

Also Read- India Consumption Shift: ବଦଳୁଛି ଭରତୀୟଙ୍କ ଖର୍ଚ୍ଚ ଶୈଳୀ, ଏବେ ରାସନ ନୁହେଁ, OTT ପ୍ଲାଟଫର୍ମ ଏବଂ iPhones ଉପରେ ହେଉଛି ଅଧିକ ଖର୍ଚ୍ଚ

ସରକାରଙ୍କ ନୂଆ ଯୋଜନା

ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ, ସରକାର ଏହି ଯୋଜନାକୁ ୪୦ ହଜାର କୋଟି ଟଙ୍କାର ପୁରୁଣା ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚରିଂ ସ୍କିମ୍ (ECMS) ସହିତ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି।ଏଥିରେ ଡିସପ୍ଲେ, କ୍ୟାମେରା ମଡ୍ୟୁଲ୍, ଚିପସେଟ୍ ଏବଂ ଲି-ଆୟନ ବ୍ୟାଟେରୀ ଭଳି ଅତ୍ୟାବଶ୍ୟକ ଅଂଶଗୁଡ଼ିକର ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।

ଏଭଳି ମହତ୍ୱାକାଂକ୍ଷା ନେଇ ପ୍ରଥମେ ୨୦୨୦ ଏପ୍ରିଲରେ ୪୦,୯୯୫ କୋଟି ଟଙ୍କା ବ୍ୟୟବରାଦ ସହିତ PLI ଯୋଜନା ଆରମ୍ଭ ହୋଇଥିଲା। ଯାହାର ଲକ୍ଷ୍ୟ ଥିଲା ମୋବାଇଲ୍ ଫୋନରେ ଘରୋଇ ମୂଲ୍ୟ ବୃଦ୍ଧିକୁ(ଘରୋଇ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରି ମୋବାଇଲ ପ୍ରଡକ୍ସନ କରିବା) ୩୫-୪୦% ପର୍ଯ୍ୟନ୍ତ ବୃଦ୍ଧି କରିବା। ହେଲେ ଏହା ସେହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ସରକାରୀ ଆକଳନ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ବଡ଼ ଇଲେକ୍ଟ୍ରୋନିକ୍ସରେ ସ୍ଥାନୀୟ ମୂଲ୍ୟ ବୃଦ୍ଧି କେବଳ ମାତ୍ର ୧୮-୨୦% ହିଁ ହୋଇପାରିଲା। ଏବେ ସରକାର ଏହାକୁ ଆଗୁକୁ ବଢ଼ାଇବାକୁ ଚାହୁଁଛନ୍ତି।

ଚିନ୍ତା ବ୍ୟକ୍ତ କଲା ଅର୍ଥମନ୍ତ୍ରଣାଳୟ 

ଇଲେକ୍ଟ୍ରୋନିକ ପ୍ରଡକ୍ସନରେ ଘରୋଇ ଉତ୍ପାଦନ କମ ହୋଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଭାରତ ସ୍ମାର୍ଟଫୋନ୍ ନିର୍ମାଣ ଏବଂ ରପ୍ତାନିରେ ଅଗ୍ରଗତି କରିଥିବା ବେଳେ, ଅନେକ ମହଙ୍ଗା ଇଲେକ୍ଟ୍ରୋନିକ୍ ପାର୍ଟସ୍ ଏବେ ବି ଆମଦାନି କରିବାକୁ ପଡ଼ୁଛି। ତେଣୁ, ନୂଆ ଯୋଜନା କେବଳ ବିକ୍ରୟ ବୃଦ୍ଧି ଉପରେ ନୁହେଁ, ବରଂ ଭାରତରେ ସ୍ଥାନୀୟ ସୋର୍ସିଂ ଏବଂ ଉତ୍ପାଦନ ପାର୍ଟସ୍ ଉପରେ ମଧ୍ୟ ଧ୍ୟାନ ଦେବ। ସରକାର ଭାରତରେ ଅତ୍ୟାବଶ୍ୟକ ମୋବାଇଲ୍ ପାର୍ଟସ୍ ନିର୍ମାଣ କିମ୍ବା କ୍ରୟ କରୁଥିବା କମ୍ପାନୀଗୁଡ଼ିକୁ ଅତିରିକ୍ତ ସୁବିଧା ପ୍ରଦାନ କରିପାରନ୍ତି।

୨୦୨୦ ମସିହାରେ ଆରମ୍ଭ ହୋଇଥିବା ପୁରୁଣା PLI ଯୋଜନା ଅଧୀନରେ, ୩୨ଟି କମ୍ପାନୀ ନିବେଶ, ଉତ୍ପାଦନ ଏବଂ ରପ୍ତାନି ଲକ୍ଷ୍ୟ ଅତିକ୍ରମ କରିଛନ୍ତି। ଏପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ କେତେ ଖର୍ଚ୍ଚ ହୋଇଛି ଓ କେତେ ଉତ୍ପାଦନ ହୋଇ ରପ୍ତାନୀ ହୋଇଛି ତଳେ ଦେଖନ୍ତୁ।

• ₹୧୭,୫୧୯ କୋଟି ନିବେଶ ହୋଇଥିଲା।
• ₹୧୧.୦୧ ଲକ୍ଷ କୋଟି ଉତ୍ପାଦନ ହୋଇଥିଲା।
• ₹୬.୨୭ ଲକ୍ଷ କୋଟି ରପ୍ତାନି ହୋଇଥିଲା।

Also Read- ଗ୍ରୀସ, ସାଇପ୍ରସ ଓ ଆର୍ମେନିଆକୁ ବ୍ରହ୍ମୋସ ଓ ମିସାଇଲ ଦେଉଛି ଭାରତ! ଚିନ୍ତାରେ ତୁର୍କୀ

ସରକାର ଆଶା କରୁଛନ୍ତି ଯେ ECMS ଅଧୀନରେ ଅନୁମୋଦିତ ୭୫ଟି କାରଖାନା ମଧ୍ୟରୁ ଅନେକ ଏହି ବର୍ଷ ଉତ୍ପାଦନ ଆରମ୍ଭ କରିବେ, ଯାହା ଭାରତରେ ମୋବାଇଲ୍ ପାର୍ଟସ୍ ନିର୍ମାଣର ଗତିକୁ ଆହୁରି ତ୍ୱରାନ୍ୱିତ କରିବ।