ନୂଆଦିଲ୍ଲୀ ୦୩।୦୯; ବଲିଉଡରେ ଜଣେ ଅଭିନେତାଙ୍କ କ୍ୟାରିଅର୍ ସବୁବେଳେ ତାଙ୍କ ଫିଲ୍ମର ବକ୍ସ-ଅଫିସ ସଫଳତା ଦ୍ୱାରା ମାପ କରାଯାଇଥାଏ। କିନ୍ତୁ କିଛି ଏପରି କଳାକାର ଥାଆନ୍ତି, ଯେଉଁମାନେ ବାଧାବିଘ୍ନ ଓ ଫ୍ଲପ୍ ଫିଲ୍ମର ସାମ୍ନା କରିବା ସତ୍ତ୍ୱେ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରନ୍ତି। ବଲିଉଡରୁ ନେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମିଥୁନ ଚକ୍ରବର୍ତ୍ତୀ ଏହାର ଏକ ଜ୍ୱଳନ୍ତ ଉଦାହରଣ।

ପ୍ରାୟ ୫୦ ବର୍ଷର ସିନେମା ଯାତ୍ରାରେ ମିଥୁନ ଦା' ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ, ଏଥିରୁ ପ୍ରାୟ ୧୮୦ଟି ଫିଲ୍ମ ବକ୍ସ-ଅଫିସରେ ବିଫଳ ହୋଇଥିବା ବେଳେ ଅତି କମରେ ୪୫ଟି ଫିଲ୍ମ ବଡ଼ ମହା ଫ୍ଲପ୍ର ସମ୍ମୁଖୀନ ହୋଇଥିଲା। ଏହା ସତ୍ତ୍ୱେ କେହି ତାଙ୍କୁ କେବେବି "ଫ୍ଲପ୍ ଷ୍ଟାର୍" କହିବାକୁ ସାହସ କରି ନଥିଲେ। ଯାହାର ମୁଖ୍ୟ କାରଣ ଥିଲା ତାଙ୍କର ଅଦମ୍ୟ ଧୈର୍ଯ୍ୟ ଏବଂ ଅଭିନୟ ପ୍ରତି ନିଷ୍ଠା।

ପ୍ରଥମ ଫିଲ୍ମରେ ଜାତୀୟ ପୁରସ୍କାର:

ମିଥୁନ ଚକ୍ରବର୍ତ୍ତୀ ୧୯୭୬ ମସିହାରେ ମୃଣାଳ ସେନଙ୍କ ଚଳଚ୍ଚିତ୍ର 'ମୃଗୟା' ଜରିଆରେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ଏଥିରେ 'ଘିନୁଆ' ଚରିତ୍ରରେ ଜବରଦସ୍ତ ଅଭିନୟ ପାଇଁ ସେ ପ୍ରଥମ ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ଇତିହାସ ରଚିଥିଲେ। କ୍ୟାରିଅରର ଆରମ୍ଭରୁ ଏପରି ସମ୍ମାନ ପାଇବାରେ ସେ ପ୍ରଥମ ଅଭିନେତା ଥିଲେ।

'ଡିସ୍କୋ ଡ୍ୟାନ୍ସର'ର ବିଶ୍ୱବ୍ୟାପୀ ଧମା:

୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଡିସ୍କୋ ଡ୍ୟାନ୍ସର' ତାଙ୍କୁ ରାତାରାତି ବିଶ୍ୱ ସ୍ତରର ସୁପରଷ୍ଟାର୍ ବନାଇ ଦେଇଥିଲା। ଭାରତରେ ପ୍ରାୟ ୬ କୋଟି ଟଙ୍କା ଆୟ କରିଥିବା ଏହି ଫିଲ୍ମ ସୋଭିଏତ୍ ୟୁନିଅନ୍ (ରୁଷ)ରେ ପ୍ରାୟ ୬୦ ନିୟୁତ ରୁବେଲ୍ (ପ୍ରାୟ ୯୪ କୋଟି ଟଙ୍କା) ରୋଜଗାର କରି ସେତେବେଳେ ବିଶ୍ୱସ୍ତରରେ ୧୦୦ କୋଟିରୁ ଅଧିକ ଆୟ କରିବାର ରେକର୍ଡ କରିଥିଲା। ଏପରିକି ଏହା ସେହି ସମୟର ସବୁଠାରୁ ବ୍ଲକବଷ୍ଟର ଫିଲ୍ମ 'ଶୋଲେ'କୁ ମଧ୍ୟ ପଛରେ ପକାଇ ଦେଇଥିଲା।

୧୯୯୦ ଦଶକରେ ସେ ଶହେରୁ ଅଧିକ ଫିଲ୍ମ କରିଥିଲେ ଏବଂ ମୁଖ୍ୟ ଅଭିନେତା ଭାବରେ ୧୯୯୫ରେ ଆସିଥିବା 'ରାବଣ ରାଜ' ତାଙ୍କର ଶେଷ ଏକକ ହିଟ୍ ସିନେମା ଥିଲା। ବହୁ ଉତ୍ଥାନ-ପତନ ଦେଇ ଗତି କରିବା ସତ୍ତ୍ୱେ ମିଥୁନ ଚକ୍ରବର୍ତ୍ତୀଙ୍କ ଲୋକପ୍ରିୟତା ଏବଂ ସିନେମା ପ୍ରତି ସମର୍ପଣ ଆଜି ମଧ୍ୟ ସମସ୍ତଙ୍କ ପାଇଁ ଏକ ପ୍ରେରଣା ହୋଇ ରହିଛି।