ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୧୪ ଅଗଷ୍ଟରେ ସମାପ୍ତ ସପ୍ତାହରେ ୭୧୬.୯ବିଲିୟନ ଡଲାରକୁ ପହଞ୍ଚିଛି। ଗତ ୬ ମାସର ଏହା ଉଚ୍ଚତମ ସ୍ତର ହୋଇଥିବା ବେଳେ ଶୁକ୍ରବାର ଜାରି ସୂଚନାରେ ଏହି ତଥ୍ୟ ଦିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଫରେନ କରେନ୍ସୀ ଆସେଟସ୍) ୭.୨ ବିଲିୟନ ଡଲାର ବୃଦ୍ଧି ଯୋଗୁ ମୁଦ୍ରାଭଣ୍ଡାର ପ୍ରତି ସପ୍ତାହ ୧୦ ବିଲିୟନ ଡଲାର ହାରରେ ବଢିଛି। ଏହି ସମୟରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟରେ ୨.୭ ବିଲିୟନ ଡଲାର ବୃଦ୍ଧି ହୋଇଛି। ବୈଦେଶିକ ମୁଦ୍ରାଭଣ୍ଡାରରେ ଏହି ବୃଦ୍ଧି କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଭାରତର ପୈଠ ସନ୍ତୁଳନ ମଜଭୁତ କରିବା ପାଇଁ ହାତକୁ ନିଆଯାଇତିବା ନୀତିଗତ ଉପାୟ ଯୋଗୁ ସମ୍ଭବ ହୋଇଛି।

ଗଣମାଧ୍ୟମ ସୂତ୍ରଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରାଭଣ୍ଡାରରେ ପିଛିଲା ୭ ସପ୍ତାହରେ ପାଖାପାଖି ୫୦ ବିଲିୟନ ଡଲାର ବୃଦ୍ଧି ହୋଇଛି। ଏଣୁ ଭଣ୍ଡାର ଏବେ ଫେବୃଆରୀରେ ହାସଲ କରିଥିବା ୭୨୮.୫ ବିଲିୟନ ଡଲାର ରେକର୍ଡ ସ୍ତରର ପାଖାପାଖି ପହଞ୍ଚି ଯାଇଛି। ଗତ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣା କରିଥିଲେ ଯେ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ଉପାୟ ଯୋଗୁ ପାଖାପାଖି ୫୭ ବିଲିୟନ ଡଲାରର ନିବେଶ ଆସିଛି, ଏଥିରୁ ୫୦ ବିଲିୟନ ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଜମା ରାଶି ଆକାରରେ ମିଳିଛି। ନିବେଶର ଏହି ବର୍ଦ୍ଧିତ ମାତ୍ରାକୁ ନଜରରେ ରଖି ଆରବିଆଇ ନିଜର ଜମା ହେଜିଂ ସୁବିଧାକୁ ୧ ମାସ ପୂର୍ବରୁ ଅର୍ଥାତ ୩୧ ଅଗଷ୍ଟରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତର ବୈଦେଶିକ ମୁଦ୍ରାଭଣ୍ଡାରର ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେଉଛି। ଏହା ସତ୍ତ୍ୱେ ୫ ଶୀର୍ଷ ଦେଶଙ୍କ କଥା କହିଲେ ଚୀନ୍ ଏବେବି ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଜାପାନ ଥିବା ବେଳେ ତୃତୀୟ ସ୍ଥାନରେ ସ୍ୱିଜରଲ୍ୟାଣ୍ଡ, ଚତୁର୍ଥ ସ୍ଥାନରେ ଋଷିଆ ଓ ପଞ୍ଚମ ସ୍ଥାନରେ ଭାରତ ରହୁଛି। ଚୀନ୍ ବୈଦେଶିକ ମୁଦ୍ରାଭଣ୍ଡାରର ଆକାର ୩.୩୯ ଟ୍ରିଲିୟନ ଡଲାରର ହୋଇଥିବା ବେଳେ ଜାପାନର ୧.୨୬ ଟ୍ରିଲିୟନ ଡଲାର। ଏଥିରେ ସ୍ୱିଜରଲ୍ୟାଣ୍ଡର ୦.୯୩ ଟ୍ରିଲିନ ଡଲାର ହୋଇଥିବା ବେଳେ ଋଷିଆର ୦.୭୫ ଟ୍ରିଲିୟନ ଡଲାର ଓ ଭାରତର ୭୧୬.୯ ବିଲିୟନ ଡଲାରକୁ ପହଞ୍ଚିଛି।