ଅମରାବତୀ: ଭାରତର ଖଣି କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି ଆନ୍ଧ୍ରପ୍ରଦେଶ। ସ୍ୱାଧୀନତା ପରେ ଦେଶର ପ୍ରଥମ ବେସରକାରୀ ସୁନା ଖଣି ପ୍ରକଳ୍ପର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ ହୋଇଛି। କର୍ଣ୍ଣୁଲ ଜିଲ୍ଲାର ସ୍ୱର୍ଣ୍ଣଗିରିରେ ଆରମ୍ଭ ହୋଇଥିବା ଏହି ଖଣିରୁ ପ୍ରତିବର୍ଷ ପ୍ରାୟ ୯୦୦ କିଲୋଗ୍ରାମ ସୁନା ଉତ୍ପାଦନ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ। ଜନ୍ନାଗିରିରୁ ସ୍ୱର୍ଣ୍ଣଗିରି ହୋଇଥିବା ଏହି ସ୍ଥାନ ଏବେ ଦେଶର ମାନଚିତ୍ରରେ ସ୍ୱର୍ଣ୍ଣ ହବ୍ ଭାବେ ଉଭା ହେବ।

ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର ଜୋନ୍ନାଗିରି, ଏବେ ସ୍ୱର୍ଣ୍ଣଗିରି। ସୁନା ଖଣି ପ୍ରକଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନାମ ପରିବର୍ତ୍ତନ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏହି ଖଣିର ବ୍ୟବସାୟିକ ଉତ୍ପାଦନର ଶୁଭାରମ୍ଭ କରିଛନ୍ତି।ପ୍ରାୟ ୪୦୫ କୋଟି ଟଙ୍କା ବିନିଯୋଗରେ ବିକଶିତ କର୍ଣ୍ଣୂଲ ଜିଲ୍ଲାର ଟୁଗାଲି ମଣ୍ଡଳରେ ଥିବା ଏହି ପ୍ରକଳ୍ପ ୫୯୮ ହେକ୍ଟର ଅଞ୍ଚଳରେ ବିସ୍ତୃତ।

ଜିଓମାଇସୋର ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଏହି ଖଣି ହେଉଛି ସ୍ୱାଧୀନତା ପରଠାରୁ ଦେଶର ପ୍ରଥମ କାର୍ଯ୍ୟକ୍ଷମ ବେସରକାରୀ ପ୍ରାଥମିକ ସୁନା ଖଣି। ଗତ ମେ ମାସରୁ ପରୀକ୍ଷାମୂଳକ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଏବେ ଆନୁଷ୍ଠାନିକ ଭାବେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହୋଇଛି।୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରାୟ ୪୦୦ କିଲୋଗ୍ରାମ ସୁନା ଉତ୍ପାଦନ ଲକ୍ଷ୍ୟ ରହିଛି।ଆଗାମୀ ବର୍ଷଗୁଡ଼ିକରେ ଏହାକୁ ବଢ଼ାଇ ବାର୍ଷିକ ପ୍ରାୟ ଏକ ଟନ୍ ଅର୍ଥାତ୍ ୯୦୦ରୁ ୧୦୦୦ କିଲୋଗ୍ରାମ ସୁନା ଉତ୍ପାଦନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ୱିତୀୟ ପ୍ରୋସେସିଂ ୟୁନିଟ୍ ନିର୍ମାଣ ହେଲେ ଏହି କ୍ଷମତା ପ୍ରାୟ ଦୁଇ ଟନ୍ ପର୍ଯ୍ୟନ୍ତ ବଢ଼ିପାରେ।

ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭୦୦ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିରୁ ପ୍ରାୟ ୮୦ ପ୍ରତିଶତ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ ନିଯୁକ୍ତ ହେବେ।ଉତ୍ପାଦନ ବୃଦ୍ଧି ସହ ରୟାଲଟି ଏବଂ ଅନ୍ୟାନ୍ୟ ଦେୟ ବାବଦରେ ରାଜ୍ୟ ସରକାରଙ୍କ ରାଜସ୍ୱ ମଧ୍ୟ ବଢ଼ିବ। ବିଶେଷଜ୍ଞଙ୍କ ମତରେ, ଆନ୍ଧ୍ରପ୍ରଦେଶରେ ଥିବା ବିପୁଳ ସୁନା ଭଣ୍ଡାରକୁ ଆଧାର କରି ଆଗାମୀ ଦିନରେ ଅଧିକ ବିନିଯୋଗ, ନୂଆ ଚାକିରି ଏବଂ ବୈଜ୍ଞାନିକ ଅନୁସନ୍ଧାନର ସମ୍ଭାବନା ବଢ଼ିବ।