ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତାକାଲି ଠାରୁ ଦେଶରେ ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍ ଚାଲିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିଆଣାରୁ ଜିନ୍ଦରେ ଏହାକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିବେ। ଟ୍ରେନ୍ ଜିନ୍ଦ ଓ ସୋନିପତ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ଟେକ୍ନୋଲୋଜୀକୁ ସଫଳ ହେବା ମାତ୍ରେ ଭାରତ ବିଶ୍ୱର କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ର ତାଲିକାରେ ସାମିଲ ହୋଇଯିବ ଯେଉଁମନେ ଏହି ଟେକ୍ନୋଲୋଜୀର ସଫଳ ବ୍ୟବହାର କରିପାରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ହାଇଡ୍ରୋଜେନ୍ ଟ୍ରେନ୍ ଦେଶରେ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ। ଭାରତୀୟ ରେଳବାଇରେ ନୂତନ ଓ ଗ୍ରୀନ ଟେକ୍ନୋଲୋଜୀ ବ୍ୟବହାରକୁ ଗତି ଦେବ।

କିପରି କାମ କରିବ ହାଇଡ୍ରୋଜେନ୍ ଟ୍ରେନ୍?

ଏହି ଟ୍ରେନ୍ରେ ଡିଜେଲ୍ କିମ୍ବା ଓଭରହେଡ୍ ବିଦ୍ୟୁତ ତାରର ଆବଶ୍ୟକତା ନାହିଁ। ଟ୍ରେନରେ ଲାଗିଥିବା ପ୍ରୋଟନ୍ ଏକ୍ସଚେଞ୍ଜ ମେମ୍ବ୍ରେନ୍ (PEM) ଫ୍ୟୁଏଲ୍ ସେଲ୍ ହାଇଡ୍ରୋଜେନ୍ ଓ ବାୟୁମଣ୍ଡଳର ଅମ୍ଳଜାନ ମଧ୍ୟରେ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କରିଥାଏ। ଏହି ବିଦ୍ୟୁତ ଦ୍ୱାରା ଟ୍ରେନର ମୋଟର ଚାଲିଥାଏ। ଏହି ପ୍ରକ୍ରିୟାରେ କୌଣସି ଧୂଆଁ କିମ୍ବା କାର୍ବନ୍ ନିର୍ଗମନ ହୁଏ ନାହିଁ। କେବଳ ଜଳୀୟ ବାଷ୍ପ ଓ ଉତ୍ତାପ ବାହାରିଥାଏ। ଫଳରେ ଏହା ପରିବେଶ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ।

Also Read- ଡିଜେଲ ଓ ATF ଉପରେ ୱିଣ୍ଡଫଲ Tax ବଢାଇଲେ ସରକାର, ଜାଣନ୍ତୁ ପେଟ୍ରୋଲ ପାଇଁ ନିଷ୍ପତ୍ତି କ’ଣ?

ଜିନ୍ଦରେ ଦେଶର ସବୁଠୁ ବଡ଼ ହାଇଡ୍ରୋଜେନ୍ ରିଫ୍ୟୁଏଲିଂ କେନ୍ଦ୍ର

ଭାରତୀୟ ରେଳବାଇ ହରିୟାଣାର ଜିନ୍ଦରେ ଦେଶର ସର୍ବବୃହତ ରେଳ ହାଇଡ୍ରୋଜେନ୍ ରିଫ୍ୟୁଏଲିଂ କେନ୍ଦ୍ର ସ୍ଥାପନ କରିଛି। ଏଠାରେ ଇଲେକ୍ଟ୍ରୋଲିସିସ୍ ପ୍ରକ୍ରିୟାରେ ପାଣିରୁ ହାଇଡ୍ରୋଜେନ୍ ପ୍ରସ୍ତୁତ କରାଯାଉଛି। ହାଇଡ୍ରୋଜେନ୍ ଉତ୍ପାଦନ, ସଂରକ୍ଷଣ, ରିଫ୍ୟୁଏଲିଂ ଓ ଟ୍ରେନ୍ ପରିଚାଳନା ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ମଧ୍ୟ ବିକଶିତ କରାଯାଇଛି।

ଜିନ୍ଦ-ସୋନିପତ ରୁଟ୍‌ରେ ଚାଲିବ ଟ୍ରେନ୍

୧୦ଟି କୋଚ୍ ବିଶିଷ୍ଟ ଏହି ଟ୍ରେନରେ ଏକା ସାଂଗରେ ପ୍ରାୟ ୨,୬୦୦ ଯାତ୍ରୀ ଯାତ୍ରା କରିପାରିବେ। ଏହା ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଚଳାଚଳ କରିବ। ଏହି ରୁଟ୍ରେ ଜିନ୍ଦ ଜଙ୍କସନ୍, ଗୋହାନା ଜଙ୍କସନ୍ ଓ ସୋନିପତ ସହିତ ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲାଲିତ ଖେରା, ଭମ୍ଭେୱା, ଇସାପୁର ଖେରୀ, ବୁଟାନା, ଖଣ୍ଡରାଇ, ରାବ୍ରାହ, ଲାଥ, ମୋହନା ଏବଂ ବାରୱାସନି ପରି ଅନେକ ଷ୍ଟେସନ୍ ଓ ହଲ୍ଟରେ ଟ୍ରେନ୍ ରହିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରେନ୍ ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ଚଳାଚଳ କରିବ। ତେବେ ଏହାର ସର୍ବାଧିକ ଡିଜାଇନ୍ ସ୍ପିଡ୍ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଛି।

ବିଶ୍ୱର ନିର୍ଦ୍ଦିଷ୍ଟ ଦେଶ ତାଲିକାରେ ସାମିଲ ହେବ ଭାରତ

ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବା ପରେ ହାଇଡ୍ରୋଜେନ୍ ଚାଳିତ ରେଳ ଟେକ୍ନୋଲୋଜୀ ଥିବା କିଛି ନିର୍ଦ୍ଦିଷ୍ଟ ଦେଶମାନଙ୍କ ମଧ୍ୟରେ ଭାରତ ସ୍ଥାନ ପାଇବ। ଏହା ପୂର୍ବରୁ ଜର୍ମାନୀ ବାଣିଜ୍ୟିକ ଭାବେ ହାଇଡ୍ରୋଜେନ୍ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ବେଳେ ଜାପାନ, ଚୀନ୍, ଇଟାଲୀ ଓ ଫ୍ରାନ୍ସ ସୀମିତ ମାତ୍ରାରେ ଏହି ଟେକ୍ନୋଲୋଜୀର ପରୀକ୍ଷାମୂଳକ ବ୍ୟବହାର କରୁଛନ୍ତି।

ଭାରତୀୟ ରେଳବାଇର ୯୯ ପ୍ରତିଶତରୁ ଅଧିକ ବ୍ରଡଗେଜ୍ ରେଳପଥ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହେବା ପରେ ହାଇଡ୍ରୋଜେନ୍ ଚାଳିତ ଟ୍ରେନର ଶୁଭାରମ୍ଭ ଦେଶର ସ୍ୱଚ୍ଛ ଓ ସବୁଜ ପରିବହନ ବ୍ୟବସ୍ଥା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।