ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧୬ ଜୁଲାଇରୁ ଆରମ୍ଭ ହେଉଥିବା ପକ୍ଷ ପାଇଁ ଡିଜେଲ ଓ ଏଭିଏସନ ଫୁଏଲ (ଏଟିଏଫ) ରପ୍ତାନୀ ଉପରେ ୱିଣ୍ଡଫଲ ଟ୍ୟାକ୍ସ (ଅପ୍ରତ୍ୟାସିତ ଲାଭ କର) ସଂଶୋଧନ କରିଛନ୍ତି। ଏଥିରେ ରପ୍ତାନୀ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ (ଏସଏଇଡି) ଲିଟର ପିଛା ୮.୫ ଟଙ୍କାରୁ ବଢାଇ ୧୫.୫ ଟଙ୍କା କରି ଦେଇଛନ୍ତି। ସେହିପରି ରପ୍ତାନୀ ଯୋଗ୍ୟ ଏଟିଏଫ ଉପରେ ଏସଏଇଡି୭.୫ ଟଙ୍କାରୁ ବଢାଇ ପ୍ରତି ଲିଟର ୧୪.୫ଟଙ୍କା କରି ଦେଇଛନ୍ତି।

ତେବେ ରପ୍ତାନୀ ପେଟ୍ରୋଲ ଦର ୪ଟଙ୍କାରୁ ହ୍ରାସ କରି ଲିଟର ପିଛା ୨.୫ ଟଙ୍କାକୁ ଆଣିଛନ୍ତି । ପଶ୍ଚିମ ଏସିୟା ଉତ୍ତେଜନା ମଧ୍ୟରେ ସରକାର ମାର୍ଚ୍ଚ ୨୭ ତାରିଖରେ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଶୁଳ୍କ ଲାଗୁ କରିଥିଲେ। ଏହା ପରଠାରୁ ପ୍ରତି ୧୫ ଦିନରେ ଏହି ଦର ସଂଶୋଧନ କରି ଆସୁଛନ୍ତି। ଏହା ପରେ ମେ ୧୬ ତାରିଖରୁ ପେଟ୍ରୋଲ ରପ୍ତାନୀ ଉପରେ ମଧ୍ୟ ଶୁଳ୍କ ଲାଗୁ କରାଯାଇଥିଲା।