ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତକୁ ଅଶୋଧିତ ତୈଳର ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କାରଣ ଭାରତ ପାଖରେ ବର୍ତ୍ତମାନ ୨୫୦ କୋଟି ବ୍ୟାରେଲ (ପ୍ରାୟ ୪,୦୦୦ କୋଟି ଲିଟର)ରୁ ଅଧିକ ଅଶୋଧିତ ତୈଳ ଏବଂ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦ ମହଜୁଦ ଅଛି। ଏକ ସରକାରୀ ରିପୋର୍ଟ ଅନୁଯାୟୀ, ଏତିକି ବ୍ୟାକଅପ୍ ଯଥେଷ୍ଟ, ଯାହା ଦ୍ଵାରା ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ମଧ୍ୟ ଦେଶର ସମଗ୍ର ଯୋଗାଣ ଶୃଙ୍ଖଳା ସହଜରେ ୭ ରୁ ୮ ସପ୍ତାହ ପାଇଁ ଚାଲିପାରିବ। ଏହାର ଅର୍ଥ ହେଉଛି ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର ଅଭାବ ବିଷୟରେ କୌଣସି ଚିନ୍ତା କରିବାର ନାହିଁ।

ତେବେ ନିକଟରେ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତ ପାଖରେ କେବଳ ୨୫ ଦିନର ଅଶୌଧିତ ତୈଳ ଓ ପେଟ୍ରୋଲ ଡିଜେଲ ମହଜୁଦ ରହିଛି। ହେଲେ ଏହି ରିପୋର୍ଟ ଉକ୍ତ ରିପୋର୍ଟର ସତ୍ୟାସତ୍ୟକୁ ଖଣ୍ଡନ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତର ଶକ୍ତି ସୁରକ୍ଷା ଆଉ କୌଣସି ଏକକ ରାସ୍ତା କିମ୍ବା ଦେଶ ଉପରେ ନିର୍ଭରଶୀଳ ନୁହେଁ। ଭାରତ ନିଜ ସୁବିଧା ଅନୁସାରେ ନିଜର ଶକ୍ତି ସୁରକ୍ଷା ବିକଳ୍ପ ବାଛୁଛି। ଭାରତ ଦେଶର ହିତ ଅନୁସାରେ, ଜନତାଙ୍କୁ ସ୍ୱାର୍ଥ ଅନୁସାରେ ନିଷ୍ପତ୍ତି ନେଉଛି ବୋଲି ସରକାର କହି ଆସିଛନ୍ତି।

ସରକାରୀ ରିପୋର୍ଟରେ କୁହାଯାଇଛି ଯେ ଭାରତର ଶକ୍ତି କ୍ରୟ ସମ୍ପୂର୍ଣ୍ଣ ଭାବରେ "ଜାତୀୟ ସ୍ୱାର୍ଥ" ଉପରେ ଆଧାରିତ। ଗତ ୧୦ ବର୍ଷ ମଧ୍ୟରେ, ଭାରତ ଏହାର ତୈଳ ଉତ୍ସକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି। ଏକ ଦଶନ୍ଧି ପୂର୍ବେ, ଭାରତ କେବଳ ୨୭ ଟି ଦେଶରୁ ତେଲ କିଣୁଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି। ବିଶ୍ୱ ଉତ୍ତେଜନା ସତ୍ତ୍ୱେ, ଭାରତ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ନୂଆ ଉପାୟ ଖୋଜି ପାଇଛି।

ପଢ଼ନ୍ତୁ- AC prices to rise 5% to 15%: ଗୀଷ୍ମ ଋତୁ ଆସିବା ପୂର୍ବରୁ ୫ ରୁ୧୫% ବଢ଼ିଲା ଏସି ମୂଲ୍ୟ: ମୂଲ୍ୟ ବୃଦ୍ଧିର ଏହି କାରଣ କହିଲେ କମ୍ପାନୀ

ଷ୍ଟ୍ରେଟ୍ ଅଫ୍ ହରମୁଜନେଇ ଚିନ୍ତା

ଆମେରିକା ଇସ୍ରାଏଲ୍ ଇରାନ ଉପରେ ମିଳିତ ଆକ୍ରମଣ କରିବା ପରେ ଇରାନ ଏହାର ସଂକୀର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ୍ ହରମୁଜଙ୍କୁ ବନ୍ଦ କରି ଦେଇଛି। ଫଳରେ ବିଶ୍ୱରେ ୨୦% ତୈଳ ଆମଦାନୀ ରପ୍ତାନୀ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତା ଦେଇ ଭାରତ ୬୦% ତୈଳ ଆମଦାନୀ କରିଥାଏ। ହେଲେ ଏବେ ରାସ୍ତା ବନ୍ଦ ହେବା ଦ୍ୱାରା ଭାରତ ଅଲଗା ରାସ୍ତା ଖୋଜିବାର ସଫଳ ହୋଇଛି। ଏବେ ହରମୁଜ ଦେଇ ଭାରତର ୪୦% ତୈଳ ଆଣୁଥିବା ବେଳେ ଋଷ, ପଶ୍ଚିମ ଆଫ୍ରିକା, ଆମେରିକା ଓ ମଧ୍ୟ ଏସିଆ ଭଳି ବୈକଳ୍ପିକ ରାସ୍ତା ଦେଇ ୬୦ ପ୍ରତିଶତ ତୈଳ ଆମଦାନୀ କରୁଛି। ସେପଟେ ଆମେରିକା ବାରମ୍ବାର ହସ୍ତକ୍ଷେପ କରି ଭାରତର ଶକ୍ତି କ୍ରୟ କ୍ଷମତାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ଟ୍ୟାକ୍ସ ଭୟ ଦେଖାଇ ଭାରତର ବୈଦେଶିକ ନୀତିକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି।

ଆମେରିକାର ଟ୍ରେଜେରୀ ବିଭାଗ ଭାରତୀୟ ରିଫାଇନାରୀଗୁଡ଼ିକୁ ଋଷ ଠାରୁ ତେଲ କିଣିବାକୁ ୩୦ ଦିନ ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ପ୍ରଦାନ କରିଛି। ଏହି ଲାଇସେନ୍ସ ୩ ଏପ୍ରିଲ ପର୍ଯ୍ୟନ୍ତ ବୈଧ ରହିବ। ଏହାର ଅର୍ଥ ହେଉଛି ଭାରତରେ ଅଶୋଧିତ ତୈଳ ଅଭାବର କୌଣସି ସମ୍ଭାବନା ନାହିଁ। ଏହା ବ୍ୟତୀତ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିର ସଙ୍କଟ ବର୍ତ୍ତମାନ ପାଇଁ ସମାଧାନ ହୋଇଛି।

ପଢନ୍ତୁ- ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦୁବାଇରେ କମିଲା ସୁନା ମୂଲ୍ୟ, ଭାରତରେ କମିବ କି’ ଦାମ୍ ?

ଚାରି ବର୍ଷ ଧରି ମୂଲ୍ୟ ସ୍ଥିର ରହିଛି: ପାକିସ୍ତାନରେ ୫୫% ଏବଂ ଜର୍ମାନୀରେ ୨୨% ବୃଦ୍ଧି

ପେଟ୍ରୋଲିୟମ୍ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ୍ (PPAC)ରୁ ମିଳିଥିବା ତଥ୍ୟକୁ ଉଦ୍ଧୃତ କରି ରିପୋର୍ଟ କରାଯାଇଛି ଯେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଗତ ଚାରି ବର୍ଷ ଧରି ସ୍ଥିର ରହିଛି। ଫେବୃଆରୀ ୨୦୨୨ରୁ ଫେବୃଆରୀ ୨୦୨୬ ମଧ୍ୟରେ, ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୦.୬୭% ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ୫୫% ଏବଂ ଜର୍ମାନୀରେ ୨୨% ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳ ମୃଲ୍ୟ ବୃଦ୍ଧି ଓ ହ୍ରାସ ହେବା ସହିତ ଭାରତର ତୈଳ ମୃଲ୍ୟ ବୃଦ୍ଧି ହୋଇଥାଏ। ଗତ କିଛି ବର୍ଷ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ମୂଲ୍ୟ ଅନେକ ଥର କମିଛି। ହେଲେ ଭାରତୀୟ କମ୍ପାନୀମାନେ ତେଲ ଦର ନ କମାଇ ଲାଭ ନେଇଛନ୍ତି। ଆଉ ସରକାର ତେଲ ଉପରେ ଟ୍ୟାକ୍ସ ବଢାଇ କହବଲ ମଜଭୁତ କରିଛନ୍ତି। ତେଣୁ ବର୍ତ୍ତମାନ ଦର ବୃଦ୍ଧି ନହେବାର କାରଣ ଏହା ହୋଇପାରେ ବୋଲି କୁହାଯାଉଛି।

ପଢ଼ନ୍ତୁ- ମିଶୋ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ସରକାରଙ୍କୁ ଦେବାକୁ ପଡ଼ିବ ୧୫୦୦ କୋଟି ଟଙ୍କା