ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଏସି କିଣିବା ମହଙ୍ଗା ହୋଇଛି। ଡାଇକିନ୍, ଏଲଜି, ହାୟର, ମିତ୍ସୁବିସି, ଭୋଲଟାସ୍ ଏବଂ ବ୍ଲୁ ଷ୍ଟାର ଭଳି ପ୍ରମୁଖ କିମ୍ପାନୀଗୁଡ଼ିକ ଏସି ମୂଲ୍ୟ ୫ ରୁ୧୫% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତମ୍ବା ଏବଂ ଆଲୁମିନିୟମ ଭଳି କଞ୍ଚାମାଲ ବୃଦ୍ଧି ଏବଂ ମାଲ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି କମ୍ପାନୀ କହିଛନ୍ତି। ଭାରତୀୟ ମୁଦ୍ରା ମୂଲ୍ୟ ଡଲାର ତୁଳନାରେ କମିବାରୁ ଏସି ପାଇଁ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ କରିବା ମହଙ୍ଗା ହେଉଛି। ଏହା ବି ମୂଲ୍ୟ ବୃଦ୍ଧିର ଏକ ପ୍ରମୁଖ କାରଣ।  ୧ ଜାନୁଆରୀ ୨୦୨୬ରେ ଲାଗୁ ହୋଇଥିବା ବିଇଇର ନୂଆ ଏନର୍ଜି ଏଫିସିଏନ୍ସି ନିୟମ ମଧ୍ୟ ମୂଲ୍ୟ ବୃଦ୍ଧିର କାରଣ ବୋଲି କୁହାଯାଉଛି। ଫେବୃଆରୀ ଏବଂ ଏପ୍ରିଲ ମଧ୍ୟରେ ଦର ବୃଦ୍ଧି ଲାଗୁ ହେବ। 

ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ୧ ଜାନୁଆରୀ ୨୦୨୬ ଠାରୁ ଏସି ପାଇଁ ନୂଆ ମାନଦଣ୍ଡ ଲାଗୁ କରିଛି। ଏହି ମାନଦଣ୍ଡ ଅନୁଯାୟୀ, ୫-ତାରକା ଏସିଗୁଡ଼ିକ ଏବେ ପୁରୁଣା ୫-ତାରକା ଏସି ତୁଳନାରେ ୧୦% ରୁ ୧୧% ଅଧିକ ଶକ୍ତି ସଂରକ୍ଷଣକାରୀ (ଏନର୍ଜି ଏଫିସିଏଣ୍ଟ)। ସରଳ ଭାଷାରେ କହିବାକୁ ଗଲେ, ନୂଆ ଏସିଗୁଡ଼ିକ କମ୍ ଶକ୍ତିରେ ଅଧିକ ଶୀତଳତା ପ୍ରଦାନ କରିବ। ଏଭଳି ଏସି ପ୍ରସ୍ତୁତିରେ ଖର୍ଚ୍ଚ ବଢ଼ିବ। ତେଣୁ ଦାମ ମଧ୍ୟ ବଢ଼ିବ।

ନୂଆ ନିୟମର ଫାଇଦା

LG ଇଣ୍ଡିଆର ନିର୍ଦ୍ଦେଶକ ସଞ୍ଜୟ ଚିତକାରାଙ୍କ ଅନୁଯାୟୀ, ନୂଆ ନିୟମ ଅନୁଯାୟୀ ନିର୍ମିତ ଏସି ପୂର୍ବ ତୁଳନାରେ ପ୍ରାୟ ୧୧% ଅଧିକ ଶକ୍ତି ସଂରକ୍ଷଣକାରୀ ହେବ। ଯଦିଓ କିଣିଲା ବେଳେ ଏସି ପାଇଁ ଅଧିକ ଟଙ୍କା ଦେବାକୁ ପଡିବ ତେବେ ଦୀର୍ଘକାଳୀନ ଭାବରେ ବିଜୁଳି ସଞ୍ଚୟ ହେବ।

ଦର ବୃଦ୍ଧି ନେଇ ଡାଇକିନ୍ ଇଣ୍ଡିଆର ଅଧ୍ୟକ୍ଷ କୱଁଲଜିତ୍ ଜାୱା କହିଛନ୍ତି ଯେ ନୂଆ ଏନର୍ଜି ନିୟମାବଳୀ ପ୍ରଡକ୍ଟକୁ ଉନ୍ନତ କରିଛି, ଏତିପାଇଁ ସେଗୁଡ଼ିକ ଅଧିକ ମହଙ୍ଗା ହୋଇଛି। ତମ୍ବା ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି। ଡଲାର ମୂଲ୍ୟ ବୃଦ୍ଧି ଯୋଗୁ ଖର୍ଚ୍ଚ ବଢିଛି। ଚାଲିଥିବା ବିଶ୍ୱ ଅସ୍ଥିରତା ଆମଦାନୀକୁ ଅଧିକ ମହଙ୍ଗା କରିଛି। ତେଣୁ ମୂଲ୍ୟ ବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି କୱଁଲଜିତ ଜାୱା କହିଛନ୍ତି।

ତେବେ ଏଥର ଅଧିକ ଗରମ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଏସି ଦର ବଢ଼ିବା ସତ୍ତ୍ୱେ ବି ଚଳିତ ବର୍ଷ ଏସି ମାର୍କେଟ୍ ୧୫% ବୃଦ୍ଧି ହେବ ବୋଲି ଡାଇକିନ ଇଣ୍ଡିଆ ଆଶା ରଖିଛି। ଭାରତରେ ରୁମ ଏୟାର-କଣ୍ଡିସନର ବଜାର ବାର୍ଷିକ ପ୍ରାୟ ୧୩.୫ ନିୟୁତ ୟୁନିଟର। ଭୋଲଟାସ୍, ଏଲଜି, ଡାଇକିନ୍, ବ୍ଲୁ ଷ୍ଟାର, ହିଟାଚି, ପାନାସୋନିକ୍ ଏବଂ ଲଏଡ୍ ଭଳି କମ୍ପାନୀଗୁଡ଼ିକ ମଧ୍ୟରେ ବଜାରରେ ପ୍ରତିଯୋଗିତା ତୀବ୍ର ରହିଛି।