ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଲୋକେ ବେଶ୍ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି । ପ୍ରକୃତରେ ଜଣେ ଭାରତୀୟ ମହିଳା ଦକ୍ଷିଣ କୋରିଆରେ ଏକ ବାହାଘରକୁ ଯାଇ କିଭଳି ଅଡୁଆ ପରିସ୍ଥିତିର ସାମ୍ନା କରିଛନ୍ତି, ସେହି ଅଭିଜ୍ଞତାକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ଏହି ପରିସ୍ଥିତି ତାଙ୍କୁ ସେଠିକାର ନିୟମ ଯୋଗୁ ହୋଇଥିଲା। ତେବେ ମହିଳା ଜଣକ ଏହି ଦୃଷ୍ଟାନ୍ତ ବିଷୟରେ ସୋସିଆଲ ମିଡିଆରେ ବଖାଣିବା ପରେ ଏହି ନିୟମ ବିଷୟରେ ଜାଣି ୟୁଜର୍ସମାନେ ବି ବେଶ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆର ଏକ ଲାବୋରେଟୋରୀରେ କାମ କରୁଥିବା ଜଣେ ଭାରତୀୟ ମହିଳା ତାଙ୍କ କୋରିଆନ୍ ସହକର୍ମୀଙ୍କ ବାହାଘରକୁ ନିଜର ଅନ୍ୟ ଦୁଇଜଣ ସହକର୍ମୀଙ୍କ ସହ ଯାଇଥିଲେ । ବାହାଘର ସରିବା ପରେ ସେମାନେ ଯେତେବେଳେ ଲଞ୍ଚ୍‌ ପାଇଁ ଭୋଜନ ହଲ୍‌କୁ ପ୍ରବେଶ କରୁଥିଲେ, ଗାର୍ଡ ସେମାନଙ୍କୁ ଅଟକାଇ ଏକ ‘ଟୋକନ’ ମାଗିଥିଲେ। ଭାଷାଗତ ସମସ୍ୟା ଯୋଗୁଁ କିଛି ବୁଝି ନପାରି ସେମାନେ ନିଜର ସେହି ସହକର୍ମୀଙ୍କୁ ଫୋନ କରିଥିଲେ ।

ସେଠାକାର ପରମ୍ପରା ଅନୁଯାୟୀ, ବାହାଘର ହଲ୍ ଭିତରକୁ ଯିବା ପୂର୍ବରୁ ରିସେପ୍ସନ କାଉଣ୍ଟରରେ ଉପହାର କିମ୍ବା ଟଙ୍କା ଥିବା ଏନଭଲପ୍ ଦେବାକୁ ପଡ଼ିଥାଏ । ଏହାର ବଦଳରେ ସେଠାରୁ ଏକ ଟୋକନ ମିଳେ ଏବଂ ସେହି ଟୋକନ ଦେଖାଇଲେ ହିଁ ଖାଇବା ହଲ୍‌କୁ ପ୍ରବେଶ ମିଳିଥାଏ । ଯେହେତୁ ଏହି ଭାରତୟ ମହିଳା ଓ ତାଙ୍କ ସାଥୀମାନେ ପୂର୍ବରୁ ଉପହାର ଦେଇ ନଥିଲେ, ତେଣୁ ସେମାନଙ୍କ ପାଖରେ ଟୋକନ ନଥିଲା । ପରେ ସେମାନେ ଲଫାପା ଦେଇ ଟୋକନ ଆଣିବା ପରେ ଯାଇ ଖାଇବାକୁ ପାଇଥିଲେ ।

Also Read: ଯୋଡ଼ି ହୋଇଯିବ ସବୁ ମହାଦେଶ, ସୃଷ୍ଟି ହେବ supercontinent, ଆଉ ବଞ୍ଚିପାରିବେନି ମଣିଷ !

ଭାରତୀୟ ବାହାଘର ଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଏହି ଅଭିଜ୍ଞତାକୁ ସେୟାର କରି ମହିଳାଜଣକ କହିଛନ୍ତି ଯେ, କୋରିଆର ଏହି ନିୟମ ତାଙ୍କୁ ଖୁବ୍ ଅଜବ ଲାଗିଥିଲା । କାରଣ ଭାରତୀୟ ବାହାଘରରେ ଅତିଥିମାନେ ସିଧାସଳଖ ବର- କନ୍ୟାଙ୍କ ପାଖକୁ ଯାଇ ଉପହାର ଦିଅନ୍ତି ଏବଂ ଖାଇବା ସହିତ ଉପହାର ଦେବାର କୌଣସି ଟୋକନ ସିଷ୍ଟମ ନଥାଏ । ବିଭିନ୍ନ ଦେଶର ସଂସ୍କୃତି ଓ ପରମ୍ପରା କେତେ ଭିନ୍ନ ହୋଇପାରେ, ତାହା ଦେଖାଇବା ପାଇଁ ସେ ଏହି ଭିଡିଓଟି ପୋଷ୍ଟ କରିଥିବା ପ୍ରକାଶ କରିଛନ୍ତି ।