ନୂଆଦିଲ୍ଲୀ: ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ (ଏସସିଆଇ) ନେତୃତ୍ୱରେ ଏକ କନସୋର୍ଟିୟମ ଦ୍ୱାରା ସଞ୍ଚାଳିତ ଭାରତୀୟ ଏଲଏନଜି କ୍ୟାରିୟର ‘ଦିଶା’ ସୋମବାର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ପାର କରିଛି। ଏସସିଆଇର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଜାହାଜ ୬୨,୩୭୦ ମେଟ୍ରିକ ଟନ ଏଲଏନଜି କାର୍ଗୋ ନେଇ ଆସୁଛି। ଗତ ୩ ମାସରେ ଯୁଦ୍ଧ କ୍ଷେତ୍ରରୁ ବାହାରକୁ ବାହାରିଥିବା ଏହା ପ୍ରଥମ ଭାରତୀୟ ପତାକାରେ ଆସୁଥିବା କାର୍ଗୋ ସିପ୍। ଏହି ଜାହାଜ ଜୁନ ୧୮ ତାରିଖ ସୁଦ୍ଧା ଭାରତ ପହଞ୍ଚିବ ବୋଲି ଆଶା କରାଯାଉଛି।

ପୋର୍ଟ, ସିପିଙ୍ଗ ଓ ଜଳମାର୍ଗ ମନ୍ତ୍ରାଳୟ ନିର୍ଦ୍ଦେଶକ ଓପେସ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜାହାଜ ଗୁଜରାଟର ଦହେଜ ପୋର୍ଟରେ ଲାଗିବ। ମନ୍ତ୍ରାଳୟ ଏହା ବି କହିଛି ଯେ ଭାରତୀୟ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ‘ଡାଇରେକ୍ଟରେଟ ଜେନେରାଲ ଅଫ ସିପିଙ୍ଗ’ ବିଦେଶ ମନ୍ତ୍ରାଳୟ ଓ ଅନ୍ୟ ସମ୍ପର୍କିତ ପକ୍ଷଙ୍କ ସମ୍ପର୍କରେ ଅଛନ୍ତି। ମନ୍ତ୍ରାଳୟ ଏ ପର୍ଯ୍ୟନ୍ତ ୩,୫୮୭ରୁ ଅଧିକ ଭାରତୀୟ ସାମୁଦ୍ରିକ କର୍ମଚାରୀଙ୍କୁ ସୁରକ୍ଷିତ ଫେରିବାରେ ସହାୟତା କରିଛି। ଏଥିରେ ଗତ ୫୦ ଘଣ୍ଟାରେ ୯୦ ଜଣ ଫେରିଥିବା ମନ୍ତ୍ରାଳୟ କହିଛି।

ଶର୍ମା କହିଛନ୍ତି ଯେ ପୁରା ଭାରତରେ ବନ୍ଦର ସଞ୍ଚାଳନ ସ୍ୱଭାବିକ ରହିଛି ଓ କେଉଁଠି ହେଲେ ଭିଡ ଅଥବା ଜାମର ସୂଚନା ନାହିଁ। ତେବେ ପଶ୍ଚିମ ଏସିୟା ସଂକଟରେ ଓମାନ ଉପକୂଳରେ ଭାରତୀୟ ନାବିକ ଥିବା ଜାହାଜଙ୍କ ଉପରେ ଆମେରିକା ନୌସେନାର ଆକ୍ରମଣ ଦେଶରେ ଚିନ୍ତାର କାରଣ ପାଲଟିଛି। ଆମେରିକୀୟ ନୌସେନା ଆକ୍ରମଣରେ ଏ ପର୍ଯ୍ୟନ୍ତ ୩ ଜଣ ନାବିକଙ୍କ ମୃତ୍ୟୁକୁ ନେଇ ଆମେରିକା ନିକଟରେ ଭାରତ ନିଜର ବିରୋଧ ଉପସ୍ଥାପନ କରିଛି।