ନୂଆଦିଲ୍ଲୀ: ନିକଟରେ ନନ୍ଦିଗ୍ରାମ ଏକ୍ସପ୍ରେସର ଫାର୍ଷ୍ଟ ଏସି କୋଚ୍ରେ ଚତୁର୍ଥୀ ଭଳି ଫୁଲ ସଜାଇବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଖୁବ୍ ବିବାଦ ହୋଇଥିଲା। ଅବଶ୍ୟ ରେଲଓ୍ବେ ଏହି ଘଟଣାରେ ଆକ୍ସନ ନେଇ ଟିଟିଇଙ୍କୁ ସସପେଣ୍ଡ୍ କରିଥିଲା। ହେଲେ ଏବେ ପୁଣି ସୋସିଆଲ ମିଡିଆରେ ରେଲଓ୍ବେ ସହ ଜଡ଼ିତ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ପୂଜକ ଚଳନ୍ତା ଟ୍ରେନରେ ପୂଜାର୍ଚ୍ଚନା ଏବଂ ଅଭିଷେକ କରୁଛନ୍ତି। ତାଙ୍କ ପାଖରେ ଆଉ କିଛି ଶ୍ରୁଦ୍ଧାଳୁ ମଧ୍ୟ ଅନୁଷ୍ଠାନରେ ସାମିଲ ଥିବାର ନଜର ଆସିଛନ୍ତି।

ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ ଉଠାଇଛନ୍ତି ଯେ, ଟ୍ରେନ ବଗିରେ ଏଭଳି ଧାର୍ମିକ ଅନୁଷ୍ଠାନ କରିବା ପାଇଁ ଅନୁମତି ଅଛି କି ? ଆଉ ଏହାର ଉତ୍ତରରେ ରେଲଓ୍ବେ ପକ୍ଷରୁ ସଫେଇ ରଖାଯାଇଛି। ଉତ୍ତର ରେଳବାଇ ଏହି ପ୍ରଶ୍ନର ଉତ୍ତର ରଖି କହିଛି ଯେ, ପୂଜା କୌଣସି ସାମାନ୍ୟ କୋଚ୍ରେ ହେଉନଥିଲା ବରଂ ବ୍ୟକ୍ତିଗତ ଭାବରେ ବୁକ୍ କରାଯାଇଥିବା ସାଲୁନ୍ କୋଚରେ ହୋଇଥିଲା।

ରେଲଓ୍ବେ ଅନୁସାରେ, ଏହି ସାଲୁନ କୋଚ୍ ଆଇଆରସିଟିସି (IRCTC) ମାଧ୍ୟମରେ ବୁକ୍ କରାଯାଇଥିଲା। ସାଲୁନ କୋଚ୍ ବିଶେଷ କରି ବରିଷ୍ଠ ଅଧିକାରୀ, ବିଶିଷ୍ଠ ବ୍ୟକ୍ତି କିମ୍ବା ବ୍ୟକ୍ତିଗତ ଭାବରେ ବୁକିଂ ପାଇଁ ଉପଲବ୍ଧ କରାଯାଇଥାଏ। ଏଥିରେ ଏସି ବଗି, ବସିବା ପାଇଁ ସ୍ଥାନ, ଡିନର ଟେବୁଲ, ରୋଷେଇ ଏବଂ ବାଥରୁମ୍ ଭଳି ସୁବିଧା ରହିଥାଏ। ଏଥିପାଇଁ ଏହି କୋଚ୍ରେ ଆୟୋଜିତ କାର୍ଯ୍ୟକ୍ରମ ସାମାନ୍ୟ ଯାତ୍ରୀ ବଗିଠାରୁ ଅଲଗା କାଟାଗୋରୀର ଥିଲା।

Also Read: ଟ୍ରେନ୍ ଭିତରେ ଚଉଠି ! ଏକ୍ସପ୍ରେସ୍ AC କୋଚରେ ଗୋଲାପର ସେଜ ଏବଂ ବେଲୁନ

କେଉଁ ନିୟମ ଅନୁସାରେ ମିଳିଲା ଅନୁମତି ?

ରେଲଓ୍ବେ ପକ୍ଷରୁ କୁହାଯାଇଛି ସାଲୁନ କୋଚ୍ ୨୦୨୬ ଜୁଲାଇ ୮ରେ ବୁକ୍ କରାଯାଇଥିଲା। ବୁକିଂ କରିଥିବା ପକ୍ଷ ଏଥିପାଇଁ ୩,୦୮,୫୮୦ ଟଙ୍କା ଜମା କରିଥିଲେ। ଯୋଜନା ଅନୁସାରେ ଏହି ସାଲୁନ କୋଚ୍ ୨୦୨୬ ଜୁଲାଇ ୧୦ରେ ନୂଆଦିଲ୍ଲୀରୁ ମୁମ୍ବାଇ ବାନ୍ଦ୍ରା ଟର୍ମିନସ ଯାଉଥିବା ଟ୍ରେନ ସଂଖ୍ୟା ୧୨୯୨୬ ପଶ୍ଚିମ ଏକ୍ସପ୍ରେସ ସହ ଏକତରଫା ଯାତ୍ରା ପାଇଁ ଯୋଡ଼ା ଯାଇଥିଲା। ରେଲଓ୍ବେ କହିଛି ପୂଜା-ପାଠ ସେହି ବ୍ୟକ୍ତିଗତ ସାଲୁନ କୋଚ୍ ଭିତରେ କରାଯାଇଥିଲା। ଏଥିପାଇଁ ଭଡ଼ା ବାବଦ ଅର୍ଥ ମଧ୍ୟ ପୈଠ କରାଯାଇଥିଲା। ଏଥିପାଇଁ ଏହାକୁ ସାମାନ୍ୟ ଯାତ୍ରୀ ବଗିରେ ଧାର୍ମିକ ଅନୁଷ୍ଠାନ ଭାବରେ ନଦେଖିବା ଦରକାର।

ଆହୁରି ମଧ୍ୟ କୁହାଯାଇଛି ଏହି ଆୟୋଜନ ଦ୍ବାରା ଟ୍ରେନ ପରିଚାଳନା, ସୁରକ୍ଷା କିମ୍ବା ଯାତ୍ରୀଙ୍କ ସୁବିଧା ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିନାହିଁ। ରେଲଓ୍ବେ କହିଛି ସମୟରେ ଟ୍ରେନ୍ ପରିଚାଳନା, ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଆମର ପ୍ରାଥମିକତା। ଏଥିରେ କୌଣସି ପ୍ରକାର ସାଲିସ କରାଯାଏନାହିଁ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଚଳନ୍ତା ଟ୍ରେନରେ ରୁଦ୍ରାଭିଷେକ କରାଗଲା ? ତାହାର କାରଣ ଜଣାପଡ଼ିନାହିଁ। ସେହିଭଳି ଅନେକ ଏଭଳି ସ୍ଥାନରେ ରୁଦ୍ରାଭିଷେକକୁ ନେଇ ସମାଲୋଚନା କରିଛନ୍ତି।