ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ସୂଚନା। ଭାରତୀୟ ରେଳବାଇ ନିଜର ଟିକେଟ୍ ବାତିଲ୍ ଏବଂ ରିଫଣ୍ଡ୍ ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ନୂଆ ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟିକେଟ୍ କଳାବଜାରୀ ରୋକିବା, ସ୍ୱଚ୍ଛତା ଆଣିବା ଏବଂ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା। ନିକଟରେ ଆଇଆରସିଟିସି ୩ କୋଟିରୁ ଅଧିକ ସନ୍ଦିଗ୍ଧ ବା ଫେକ୍ ଆକାଉଣ୍ଟକୁ ବ୍ଲକ୍ କରିବା ପରେ ଦଲାଲ୍ ଓ ବଟ୍ସ୍ (Bots) ମାନଙ୍କୁ ରୋକିବା ପାଇଁ ଏହି କଡ଼ା ପଦକ୍ଷେପ ନିଆଯାଇଛି।

ଟିକେଟ୍ ବାତିଲ୍ ଉପରେ କେତେ କଟିବ ଟଙ୍କା?ଜାଣନ୍ତୁ ନିୟମ

୭୨ ଘଣ୍ଟା ପୂର୍ବରୁ ସର୍ବାଧିକ ରିଫଣ୍ଡ୍: ଯଦି କୌଣସି କନଫର୍ମ ଟିକେଟ୍କୁ ଟ୍ରେନ୍ ବାହାରିବାର ୭୨ ଘଣ୍ଟା ପୂର୍ବରୁ ବାତିଲ୍ କରାଯାଏ, ତେବେ ଯାତ୍ରୀଙ୍କୁ ସର୍ବାଧିକ ରିଫଣ୍ଡ୍ ମିଳିବ। ଏଥିପାଇଁ ଯାତ୍ରୀଙ୍କ ପିଛା କେବଳ ଏକ ସାଧାରଣ କ୍ୟାନ୍ସଲେସନ୍ ଚାର୍ଜ କଟାଯିବ।

୭୨ ରୁ ୨୪ ଘଣ୍ଟା ମଧ୍ୟରେ ୨୫% କାଟ୍: ଟ୍ରେନ୍ ବାହାରିବାର ୭୨ ଘଣ୍ଟାରୁ ନେଇ ୨୪ ଘଣ୍ଟା ପୂର୍ବରୁ ଯଦି ଟିକେଟ୍ ବାତିଲ୍ କରାଯାଏ, ତେବେ ଟିକେଟ୍ ମୂଲ୍ୟରୁ ୨୫% ଟଙ୍କା କାଟି ନିଆଯିବ।

୨୪ ରୁ ୮ ଘଣ୍ଟା ମଧ୍ୟରେ ୫୦% କାଟ୍: ଟ୍ରେନ୍ ବାହାରିବାର ୨୪ ଘଣ୍ଟାରୁ ଆରମ୍ଭ କରି ୮ ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନ୍ସଲ୍ କଲେ ଟିକେଟ୍ ଭଡ଼ାର ୫୦ ପ୍ରତିଶତ ଅର୍ଥାତ୍ ଅଧା ଟଙ୍କା କାଟି ଦିଆଯିବ। ଯାତ୍ରୀମାନେ ଯେପରି ଆଗୁଆ ନିଜର ଯାତ୍ରା ନିଶ୍ଚିତ କରନ୍ତି, ସେଥିପାଇଁ ଏହି ନିୟମ କରାଯାଇଛି।

୮ ଘଣ୍ଟା ପୂର୍ବରୁ ଶୂନ୍ୟ (Zero)ରିଫଣ୍ଡ୍: ଯଦି ଟ୍ରେନ୍ ବାହାରିବାର ୮ ଘଣ୍ଟାରୁ କମ୍ ସମୟ ଥାଏ ଏବଂ ସେତେବେଳେ କନଫର୍ମ ଟିକେଟ୍ ବାତିଲ୍ କରାଯାଏ, ତେବେ ଯାତ୍ରୀଙ୍କୁ କୌଣସି ରିଫଣ୍ଡ୍ ମିଳିବ ନାହିଁ। ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲକୁ ରୋକିବା ପାଇଁ ଏହି କଡ଼ା ନିୟମ ଲାଗୁ କରାଯାଇଛି।

କାଉଣ୍ଟର ଓ ଇ-ଟିକେଟ୍ (E-ticket)ପାଇଁ ନୂଆ ବ୍ୟବସ୍ଥା

ଯେକୌଣସି ଷ୍ଟେସନରେ କାଉଣ୍ଟର ଟିକେଟ୍ ବାତିଲ୍: ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନେ ପିଆରଏସ୍ କାଉଣ୍ଟର ଟିକେଟ୍କୁ ଏବେ ଯେକୌଣସି ଷ୍ଟେସନରୁ ବାତିଲ୍ କରିପାରିବେ, ପୂର୍ବରୁ ଥିବା ସମସ୍ତ କଟକଣାକୁ ହଟାଇ ଦିଆଯାଇଛି।

ଇ-ଟିକେଟ୍ ପାଇଁ ଟିଡିଆର ଆବଶ୍ୟକ ନାହିଁ: ଅନ୍ଲାଇନ୍ ଇ-ଟିକେଟ୍ ବାତିଲ୍ କଲେ ଆଉ ଟିକେଟ୍ ଡିପୋଜିଟ୍ ରିସିପ୍ଟ (TDR) ଫାଇଲ୍ କରିବାକୁ ପଡ଼ିବ ନାହିଁ। ଏବେ କୌଣସି ମାନୁଆଲ୍ ପ୍ରକ୍ରିୟା ବିନା ସିଧାସଳଖ ରିଫଣ୍ଡ୍ ଆପଣଙ୍କ ବ୍ୟାଙ୍କ୍ ଖାତାକୁ ଆସିଯିବ।

ଟତ୍କାଳ ଓ ଆଧାର ଭେରିଫିକେସନ୍ ନିୟମରେ କଡ଼ାକଡ଼ି

ବୁକିଂ ପାଇଁ ଆଧାର ବାଧ୍ୟତାମୂଳକ: ୧ ଅକ୍ଟୋବର ୨୦୨୫ ରୁ ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଟିକେଟ୍ ବୁକିଂ ଆରମ୍ଭ ହେବାର ପ୍ରଥମ ୧୫ ମିନିଟ୍ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ହେଲେ 'ଆଧାର ପ୍ରମାଣୀକରଣ' (Aadhaar authentication) ବାଧ୍ୟତାମୂଳକ କରାଯାଇଛି।

ଏଜେଣ୍ଟଙ୍କ ଉପରେ କଟକଣା: ଟତ୍କାଳ ଟିକେଟ୍ (Tatkal ticket) ବୁକିଂ ପାଇଁ ମଧ୍ୟ ଆଧାର ଭେରିଫିକେସନ୍ ବାଧ୍ୟତାମୂଳକ ହୋଇଛି। ଏଜେଣ୍ଟମାନେ ଏବେ ଟତ୍କାଳ ବୁକିଂ ଖୋଲିବାର ପ୍ରଥମ ୩୦ ମିନିଟ୍ ପର୍ଯ୍ୟନ୍ତ (ଏସି କ୍ଲାସ୍ ପାଇଁ ସକାଳ ୧୦ଟାରୁ ୧୦:୩୦ ଏବଂ ନନ୍-ଏସି ପାଇଁ ଦିନ ୧୧ଟାରୁ ୧୧:୩୦ ଯାଏଁ) ଟିକେଟ୍ ବୁକ୍ କରିପାରିବେ ନାହିଁ। ଏହାଦ୍ୱାରା ସାଧାରଣ ଯାତ୍ରୀମାନେ ସହଜରେ ଟିକେଟ୍ ପାଇପାରିବେ।

ରେଳବାଇର ଏହି ନୂତନ ସଂସ୍କାର ଦ୍ୱାରା ଦଲାଲମାନଙ୍କ ଦୌରାତ୍ମ୍ୟ କମିବା ସହ ସାଧାରଣ ରେଳ ଯାତ୍ରୀଙ୍କୁ ଅଧିକ ସୁବିଧାରେ ଟିକେଟ୍ ଏବଂ ରିଫଣ୍ଡ୍ ମିଳିପାରିବ। ଯାତ୍ରୀମାନେ ଯାତ୍ରାର ଯଥେଷ୍ଟ ପୂର୍ବରୁ ନିଜର ଯୋଜନା ପ୍ରସ୍ତୁତ କଲେ ରିଫଣ୍ଡ୍ କ୍ଷତିରୁ ବର୍ତ୍ତିପାରିବେ।