ବ୍ରହ୍ମପୁର: ବାତ୍ୟା ଅର୍ଣ୍ଣବର ପ୍ରଭାବ ୪ ରାଜ୍ୟ ଉପରେ ପଡ଼ିଛି। ବର୍ତ୍ତିନି ଓଡ଼ିଶା। ଗଞ୍ଜାମରେ ବର୍ଷା ଆଣିଛି ବଡ଼ ବିପଦ। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପାଣି ଘେରରେ ଫସି ରହିଛନ୍ତି ଶହ ଶହ ଲୋକ। ପ୍ରାୟ ୨ ହଜାର ଲୋକ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏବେ ଏୟାରଲିଫ୍ଟ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ସରକାର କହିଛନ୍ତି। କୋଷ୍ଟଗାର୍ଡ ସହ ଆଲୋଚନା କରାଯାଇ ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି।

ଗଞ୍ଜାମରେ ପ୍ରବଳ ବର୍ଷା ପରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଜିଲ୍ଲାର ଅନେକ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରୁ ଲୋକେ ଭୟଭୀତ। ପ୍ରାୟ ୨ ହଜାର ଲୋକ ଜଳବନ୍ଦୀ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୨୦ ଜଣଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ରହିଛି। ଗଞ୍ଜାମର ୪ଟି ସ୍ଥାନରେ ଲୋକେ ପ୍ରଭାବିତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ନେଇ ତତ୍ପର ହୋଇଛି ପ୍ରଶାସନ।

ରାଜୀବ ଭବନରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ଏସଆରସି ରାଜେଶ ପ୍ରଭାକର ପାଟିଲ। ବାତ୍ୟା ପରବର୍ତୀ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।

ବିଶେଷ କରି ଜଳ ଘେରରେ ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି। ଗଞ୍ଜାମର ଚାରିଟି ସ୍ଥାନରେ ଲୋକେ ପ୍ରଭାବିତ ହୋଇଥିବାରୁ ସେଠାରେ ଏୟାରଲିଫ୍ଟ ପାଇଁ ବ୍ୟବସ୍ଥା ଚାଲିଛି। ପ୍ରାୟ ୧୨୦ ଜଣଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରିବାକୁ ଯୋଜନା ରହିଛି। ଏଥିପାଇଁ କୋଷ୍ଟଗାର୍ଡ ସହ ଯୋଗାଯୋଗ କରାଯାଇଛି।

ଅନ୍ୟପଟେ, ସମଗ୍ର ସ୍ଥିତି ଉପରେ ବ୍ରହ୍ମପୁରସ୍ଥିତ RDC ନଜର ରଖିଛନ୍ତି। ବର୍ଷା କମିଲେ ସ୍ଥିତିରେ ସୁଧାର ଆସିବା ନେଇ ଆଶା ରହିଛି। ତେବେ ଏବେ ପ୍ରାଥମିକତା ହେଉଛି ଜଳବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବଂ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା।

ସେପଟେ ଲଗାଣ ବର୍ଷାର ପ୍ରଭାବ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ରେଳବ୍ରିଜ୍ ଉପରେ ପାଣି ଚାଲୁଥିବାରୁ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ଏନେଇ ସମ୍ପୃକ୍ତ ପ୍ରଶାସନ ସହ ଆଲୋଚନା କରାଯାଇଛି। ଯେଉଁ ଯାତ୍ରୀଙ୍କ ପାଇଁ ସଡ଼କ ପଥରେ ଯାତାୟାତ ସମ୍ଭବ, ସେମାନଙ୍କୁ ବସ୍ କିମ୍ବା ଅନ୍ୟାନ୍ୟ ଯାନ ଯୋଗେ ପଠାଇବାର ବ୍ୟବସ୍ଥା କରାଯିବ। ଷ୍ଟେସନ୍ରେ ଅଟକି ରହିଥିବା ଯାତ୍ରୀଙ୍କୁ ମଧ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି।