କାରାକସ: ଭେନେଜୁଏଲାରେ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨,୬୪୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରୂପେ କୁହାଯାଇଛି। ଏହା ଛଡା ୧୨ ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏହି ଭୀଷଣ ବିପର୍ଯ୍ୟୟ ଓ ଦୁଃଖର କ୍ଷଣରେ ଭାରତ ବନ୍ଧୁତ୍ୱ ନିର୍ବାହ ଲାଗି ଅପରେସନ ‘ଅମିଷ୍ଟାଡ’ ହାତକୁ ନେଇଛି। ଭାରତୀୟ ବାୟୁସେନାର ୨ଟି ସି-୧୭ ଗ୍ଲୋବ ମାଷ୍ଚର ବିମାନ ୬୬ ଟନ ରିଲିଫ ସାମଗ୍ରୀ, ଔଷଧ ଏବଂ ଦୁଇଟି ‘ଭୀଷ୍ମ କ୍ୟୁବ’ (ମୋବାଇଲ ହସ୍ପିଟାଲ) ଭେନେଜୁଏଲା ପଠାଇଛି।

ଭାରତୀୟ ସେନା ଭେନେଜୁଏଲାର ଇଣ୍ଟରନ୍ୟାସନାଲ ଲା ରିନକୋନାଡା ରେସ୍ ଟ୍ରାକ୍ ରେ ଏକ ଅତ୍ୟାଧୁନିକ ଫିଲ୍ଡ ହସ୍ପିଟାଲ ସ୍ଥାପନା କରିଛି। ଯାହା ଏବେ ଦୁର୍ଗତଙ୍କ ଜୀବନ ବଞ୍ଚାଇବାରେ ବରଦାନ ସାବ୍ୟସ୍ତ ହେଉଛି। ଭାରତର ଏପରି ସହାୟତା ନିମନ୍ତେ ଭେନେଜୁଏଲା କୃତଜ୍ଞତା ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛି। ଭେନେଜୁଏଲା ବୈଦେଶିକ ମନ୍ତ୍ରୀ ଇଭାନ ଗିଲ୍ ଭାରତୀୟ ରାଜଦୂତ ପି.କେ.ଅଶୋକ ବାବୁଙ୍କ ସହ ଫିଲ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେଠାରେ ମିଳୁଥିବା ଉତ୍କୃଷ୍ଟ ଚିକିତ୍ସା ସେବାକୁ ଦେଖି ବିଦେଶମନ୍ତ୍ରୀ ଭାବୁକ ହୋଇପଡିଛନ୍ତି।

ସେ କହିଛନ୍ତି ଯେ ଆମ ଦୁଃଖର ଏହି କ୍ଷଣରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାସ୍ତବିକ୍ ଉତ୍କୃଷ୍ଟ ଭାଇଚାରାର ନିଦର୍ଶନ। ଏଠାରେ ଭାରତୀୟ ଡାକ୍ତର ଦିନରାତି ସେବା ଯୋଗାଇ ଦେଉଛନ୍ତି। ଏଥିରେ ନର୍ସ ଓ ପାରାମେଡିକ୍ସଙ୍କୁ କୃତଜ୍ଞତା ଜଣାଇବା ଲାଗି ଆମ ପାଖରେ ଶବ୍ଦ ନାହିଁ ବୋଲି କହିଛନ୍ତି।

ଏହି ଫିଲ୍ଡ ମେଡିକାଲରେ ଭାରତୀୟ ସେନାର ମେଡିକାଲ ଟିମ୍ ଦୈନିକ ୪୦୦ ଆହତଙ୍କୁ ବ୍ୟାପକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏଠାରେ ଭୂମିକମ୍ପରେ ଆହତ ହୋଇଥିବା ସାଧାରଣ ନାଗରିକ ଓ ଉଦ୍ଧାର କାର୍ଯ୍ୟ କାଳରେ ଆହତ ହେଉଥିବା ଉଦ୍ଧାରକାରୀ ଟିମ୍ ସଦସ୍ୟଙ୍କର ମଧ୍ୟ ଚିକିତ୍ସା ହେଉଛି। ହସ୍ପିଟାଲରେ ମାଇନର ସର୍ଜରୀ, ଏକ୍ସ-ରେ ଓ ଡେଣ୍ଟାଲ କେୟାର ଭଳି ସୁବିଧା ସବୁ ରହିଛି। ଆହତ ଲୋକଙ୍କ ସ୍ୱଜନଙ୍କ ମନରେ ଭାରତୀୟ ଡାକ୍ତର ଖାସ ସ୍ଥାନ ବନାଇ ପାରିଛନ୍ତି। ଇଣ୍ଟରନେଟ୍ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଜନୈକ ଆହତ ଚିକିତ୍ସାକୁ ‘ଉତ୍କୃଷ୍ଟ’ ବୋଲି ଉଲ୍ଲେଖ କରି ଭାରତୀୟ ମେଡିକାଲ ଷ୍ଟାଫଙ୍କ ସ୍ପର୍ଶ ଚିକିତ୍ସା କାଳରେ ଆଦୌ ଯନ୍ତ୍ରଣା ଅନୁଭବ ହେବାକୁ ଦେଉ ନାହିଁ ବୋଲି ଲେଖିଛନ୍ତି।