ଅହମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଛି। ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୩ ରନ୍ କରିଥିବା ବେଲେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ବଲ୍ରେ ୬୩ ରନରେ ଏକ ବଡ଼ ଯୋଗଦାନ ଦେଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୧ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍ର ବିଜୟ ଲକ୍ଷ ହାସଲ କରିବାକୁ ପଡ଼ିବ।

ପଞ୍ଚମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଏକ ପରିବର୍ତ୍ତନ କରାଯାଇଥିଲା। ଶୁଭମନ ଗିଲ୍‌ଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସାମିଲ୍ କରାଯାଇଥିଲା। ସାମସନ ଏହି ସିରିଜ୍‌ର ପ୍ରଥମ ତଥା ଶେଷ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ସହିତ ଓପନିଂ ଆସିଥିଲେ। ଦୁଇ ବ୍ୟାଟର ଆରମ୍ଭରୁ ବିସ୍ଫୋରକ ଇନିଂସ ଖେଳିଥିଲେ। ଦୁଇ ବ୍ୟାଟର ୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୬୩ ରନ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଏହାପରେ ୫.୪ ଓଭରରେ ଅଭିଷେକ ଶର୍ମାଙ୍କ ୱିକେଟ୍ ଯାଇଥିଲା। ଶର୍ମା କୋର୍ବିନ ବୋଶଙ୍କ ବଲରେ ଡି କକଙ୍କ ହାତକୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।

ଏହାପରେ ସାମସନଙ୍କ ସହିତ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ତିଲକ ବର୍ମା। ଦଳୀୟ ସ୍କୋରକୁ ଏହି ଦୁଇ ବ୍ୟାଟର ଦ୍ରୁତ ଗତିରେ ଆଗକୁ ନେଉଥିବା ବେଳେ ୯.୧ ଓଭରେ ବେଳେ ସଞ୍ଜୁ ସାମସନ ୨୨ ବଲ୍‌ରେ ୩୭ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଖରାପ ଫର୍ମ ଯୋଗୁ ପୁଣିଥରେ ନିରାଶ କରିଥିଲେ। ସେ ମାତ୍ର ୫ ରନ୍ କରି ପାଭିଲିଅନ ଫେରିଥିଲେ।

ଏହାପରେ ଦଳରେ ଆରମ୍ଭ ହୋଇଥିଲା ହାର୍ଦ୍ଦିକ ଓ ତିଲକ ଶୋ। ଦୁହେଁ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ। ପାଣ୍ଡ୍ୟା ପ୍ରଥମ ବଲରେ ହିଁ ୬ ମାରି ସେ ପୂରା ଫର୍ମର୍‌ ଅଛନ୍ତି ବୋଲି ଦେଖାଇ ଦେଇଥିଲେ। ତା’ପରେ ଆକାଶ ଛୁଆଁ ଛକ୍କା ଓ ମାଟି ଛୁଇଁ ଗଡ଼ି ଯାଉଥିବା ଚୌକା ମଇଦାନରେ ଚାରିଆଡ଼କୁ ଯାଇଥିଲା। ପାଣ୍ଡ୍ୟା ଓ ତିଲକ ବର୍ମା ଉଭୟ ବିସ୍ଫୋରକ ଇନିଂସ ଖେଳି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେଇଯାଇଥିଲେ। ୧୯.୩ ଓଭରରେ ଦଳୀୟ ସ୍କୋର ୨୨୦ ରନ୍‌ ବେଳେ ପାଣ୍ଡ୍ୟାଙ୍କ ୱିକେଟ୍ ଯାଇଥିଲା। ସେ ମାତ୍ର ୨୫ ବଲରେ ବିସ୍ଫୋରକ ୬୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶେଷ ଓଭର ପଞ୍ଚମ ବଲ୍‌ରେ ତିଲକ ବର୍ମା ମଧ୍ୟ ରନ୍ ଆଉଟ୍ ହୋଇଥିଲେ। ହେଲେ ସେ ଯିବା ପୂର୍ବରୁ ଦଳ ପାଇଁ ୭୨ ରନ୍‌ର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଶେଷରେ ଜିତେଶ ଶର୍ମା ଓ ଶିବମ ଦୁବେ ଓଭର ଶେଷ ବଲ୍‌ ଖେଳି ନଟ୍‌ ଆଉଟ୍ ଫେରିଥିଲେ।

ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍। କାରଣ ଏହି ୫ ଟିକିଆ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତିଛି। ଚୁତୁର୍ଥ ମ୍ୟାଚ୍‌ ଟି ଖରାପ ପାଗ ଯୋଗୁ ବାତିଲ ହୋଇଯାଇଥିଲା। ଆଜି ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯାଉଥିବାରୁ ଏହା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ଭାରତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ବେଳେ ଯଦି ଆଜିର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଯିବ ତେବେ ସିରିଜ୍ ଡ୍ର ରହିବ। ଅନ୍ୟପଟେ ଭାରତ ଦିନିକିଆ ସିରିଜ୍ ଭଳି ଟି-୨୦ରେ ବି ନିଜର ପତିଆରା ଜାରି ରଖିବାକୁ ଜୋରସୋର ଉଦ୍ୟମ କରିବ।