ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱପକରେ ରବିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ବର୍ମିଂହାମଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ହରମନପ୍ରୀତ କୌରଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତକୁ ଗ୍ରୁପ୍-ଏ'ରେ ରଖାଯାଇଛି, ଯେଉଁଠାରେ ତାକୁ ପାକିସ୍ତାନ, ନେଦରଲ୍ୟାଣ୍ଡସ, ସାଉଥ୍ ଆଫ୍ରିକା, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ଭଳି ଦଳଗୁଡ଼ିକର ସାମ୍ନା କରିବାକୁ ପଡ଼ିବ । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୱାର୍ମ-ଅପ୍ ମ୍ୟାଚ୍‌ଗୁଡ଼ିକରେ ମିଶ୍ରିତ ପ୍ରଦର୍ଶନ ସହିତ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ । ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଥିଲା, କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷ ରୋମାଞ୍ଚକର ମ୍ୟାଚ୍‌ରେ ୫ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ଭାରତୀୟ ଦଳ ଏପର୍ଯ୍ୟନ୍ତ ମହିଳା ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିପାରି ନାହିଁ । ଟିମ୍ ୨୦୨୦ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ଏଭଳି ପରିସ୍ଥିତିରେ ଏଥର ଟିମ୍ ଇଣ୍ଡିଆ ଇତିହାସ ରଚିବା ସଂକଳ୍ପ ନେଇ ପଡ଼ିଆକୁ ଓହ୍ଲାଇବ ।

ଅନ୍ୟପଟେ ପାକିସ୍ତାନ ମଧ୍ୟ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଚାହିଁବ । ଭାରତ-ପାକିସ୍ତାନ ମ୍ୟାଚ୍‌ ଚାପ ଏବଂ ରୋମାଞ୍ଚ ସବୁବେଳେ ଅଲଗା ପ୍ରକାରର ରହିଥାଏ । ପ୍ରଶଂସକମାନେ ଏକ ହାଇ-ଭୋଲ୍ଟେଜ୍ ମ୍ୟାଚ୍ର ଆଶା ରଖିବେ ।

ଭାରତ ବନାମ ପାକିସ୍ତାନ (ୱିମେନ୍ସ ଟି୨୦)

ମୋଟ ମ୍ୟାଚ୍-୧୬

ଭାରତର ବିଜୟ -୧୩

ପାକିସ୍ତାନର ବିଜୟ-୩

ଦୁଇ ଦଳ ଆଇସିସି ମହିଳା ଟି-୨୦ ବିଶ୍ୱକପ ଏପର୍ଯ୍ୟନ୍ତ ୮ ଥର ମୁହାଁମୁହିଁ ହୋଇଛନ୍ତି । ଏହି ସମୟ ମଧ୍ୟରେ ଭାରତୀୟ ଦଳ ୬ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ସେହିପରି ପାକିସ୍ତାନ ଦୁଇଟି ମ୍ୟାଚ୍ ଜିତିଛି ।

ଆଇସିସି ମହିଳା ଟି୨୦ ୱାର୍ଲ୍ଡ କପ୍ ୨୦୨୬ ପାଇଁ ଭାରତୀୟ ଦଳ:

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ, ନନ୍ଦିନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂ, କ୍ରାନ୍ତି ଗୌଡ଼, ଶ୍ରେୟଙ୍କା ପାଟିଲ ଏବଂ ରାଧା ଯାଦବ ।