ଇଂଲଣ୍ଡଚେଷ୍ଟର-ଲି-ଷ୍ଟ୍ରିଟଠାରେ ଅନୁଷ୍ଠିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ଧୋଇନେଲା ବର୍ଷା । ସେଥିପାଇଁ କୌଣସି ଫଳାଫଳ ବିନା ଶେଷ ହୋଇଛି ପ୍ରଥମ ଟି୨୦ । ଭାରତ ପ୍ରଥମେ ବ୍ୟାଟିଂ କରି ୧୯୦ ରନର ମଜବୁତ ଟାର୍ଗେଟ୍ ଦେଇଥିଲେ ମଧ୍ୟ, ବର୍ଷା ଏବଂ ଓଦା ପଡ଼ିଆ କାରଣରୁ ଇଂଲଣ୍ଡ ଗୋଟିଏ ବି ବଲ୍ ଖେଳିପାରିଲା ନାହିଁ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ଆରମ୍ଭରେ ସଞ୍ଜୁ ସାମସନ ଓ ଇଶାନ କିଶନ କମ ରନରେ ଆଉଟ୍ ହୋଇଥିଲେ। କିନ୍ତୁ ଅଭିଷେକ ଶର୍ମା ୨୪ ବଲ୍ରେ ୫୯ ରନ୍ ଏବଂ ଅଧିନାୟକ ଶ୍ରେୟସ ଆୟର ୪୭ ବଲ୍ରେ ୬୮ ରନକରି ଦଳକୁ ସମ୍ଭାଳିଥିଲେ। ଇନିଂସ୍ ଶେଷ ଭାଗରେ ଶିବମ ଦୁବେ ମାତ୍ର ୨୧ ବଲ୍ରେ ଅପରାଜିତ ୪୨ ରନ୍ କରି ଭାରତକୁ ଏକ ବଡ଼ ସ୍କୋର୍ରେ ପହଞ୍ଚାଇଥିଲେ। ସାକିବ ମହମୁଦ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ବର୍ଷାର ପ୍ରଭାବ:

ମ୍ୟାଚ୍ ଆରମ୍ଭ କରାଇବା ପାଇଁ ଅମ୍ପାୟାରମାନେ ବହୁ ସମୟ ଅପେକ୍ଷା କରିଥିଲେ। କଟ୍-ଅଫ୍ ସମୟର ମାତ୍ର ୪୫ ମିନିଟ୍ ବାକି ଥିବା ବେଳେ ପଡ଼ିଆ ଓଦା ଥିବାରୁ ମ୍ୟାଚ୍ ରଦ୍ଦ କରିବାକୁ ପଡ଼ିଥିଲା। ଏହି ପଡ଼ିଆରେ ପୂର୍ବରୁ ୨୦୦୨ ଓ ୨୦୧୧ରେ ଅନୁଷ୍ଠିତ ଅନେକ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ତେବେ ଏହି ମ୍ଯାଚ ବାତିଲ ହେବା ପରେ ଉଭୟ ଦଳ ଏବେ ମ୍ୟାଞ୍ଚେଷ୍ଟର ଅଭିମୁଖେ ଯାତ୍ରା କରିବେ। ସିରିଜ୍ରଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା ଆସନ୍ତା ଶନିବାର,ଜୁଲାଇ ୪ ତାରିଖରେଖେଳାଯିବ। ପ୍ରଶଂସକଙ୍କ ନଜର ଏବେ ସେହି ମ୍ୟାଚ୍ ଉପରେ ରହିଛି, ବିଶେଷ କରି ଦୀର୍ଘ ଦିନ ଧରି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସୁଯୋଗ ମିଳିବ ନେଇ ଚର୍ଚ୍ଚା ଚାଲିଥିବାରୁ ଦେଖିବାକୁ ବାକି ରହିଲା କେବେ ଜାତୀୟ ଦଳରେ ସ୍ଥାନ ପାଇବେ ‘ବେବି ବସ’ ।