ଲକ୍ଷ୍ନୌ,|୦୬:ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବୁଧବାର ଖେଳାଯିବ ଦ୍ଵିତୀୟ ଦିନିକିଆ । ଧର୍ମଶାଳାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା । ଲକ୍ଷ୍ନୌ ମ୍ୟାଚ ଜିତି ଦଳ ସିରିଜ କବଜା କରିବାକୁ ପ୍ରୟାସ କରିବ। ଆଫଗାନିସ୍ତାନ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ପ୍ରଥମ ମ୍ୟାଚ ୨୫ ଓଭର ବିଶିଷ୍ଟ ରହିଥିଲେ ହେଁ ଭାରତ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଥିଲା। ନବାଗତ ଗୁରନୂର ବ୍ରାର ଓ ହର୍ଷ ଦୁବେ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଅଧିନାୟକ ଶୁଭମନ ଗିଲ୍ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। କେବଳ ଭେଟେରାନ ରୋହିତ ଶର୍ମାଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖୁବାକୁ ମିଳି ନଥିଲା । ସେ କିଛି ଦର୍ଶନୀୟ ସଟ୍ ଖେଳିଥିଲେ ହେଁ ରନ ଆଉଟ୍ ହୋଇଥିଲେ। ଆଜି ସେ ବଡ଼ ଇନିଂସ ଖେଳି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିବେ।

ମଧ୍ୟ କ୍ରମରେ ଶ୍ରେୟାସ ଆୟରଙ୍କ ବ୍ୟାଟରୁ ମଧ୍ଯ ବଡ଼ ଇନିଂସ ଆଶା କରାଯାଉଛି। ସେ ସଫଳ ହେଲେ ଭାରତର ବ୍ୟାଟିଂ ବିଭାଗକୁ ନେଇ ଚାଲିଥିବା ପରୀକ୍ଷାର ପରିସମାପ୍ତି ଘଟିବ। ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତର ବୋଲିଂ ବିଭାଗ ସୁଦୃଢ଼ ରହିଛି। ତଥାପି ଭାରତ କୁଲଦୀପ ଯାଦବଙ୍କୁ ଏକାଦଶରେ ସୁଯୋଗ ଦେବା ଆଶା କରାଯାଉଛି।

ଆଫଗାନିସ୍ତାନକୁ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ। ଅବଶ୍ୟ ଲକ୍ଷ୍ନୌର ପିଚ୍ ବୋଲିଂ ବାହିନୀଙ୍କୁ ଯଥେଷ୍ଟ ସହାୟତା କରିବ। ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ। ଏକାନା ଷ୍ଟାଡ଼ିୟମ୍ର ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ସ୍ଥାନୀୟ ଜଳବାୟୁ ମଧ୍ୟ ସ୍ପିନ ବୋଲିଂ ପାଇଁ ଅନୁକୂଳ ରହିବ । ବ୍ୟାଟରମାନେ କ୍ରିକଜରେ ରହିଲେ ପିଚ୍ ର ଫାଇଦା ଉଠାଇ ପାରିବେ। ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍କରି ନେବା ଆଶା କରାଯାଉଛି।